ବ୍ରହ୍ମପୁର : ଶିଳପୁଆରେ ଛେଚି ସ୍ବାମୀକୁ ହତ୍ୟା

ବ୍ରହ୍ମପୁର : ଘରୋଇ ଅଶାନ୍ତିକୁ କେନ୍ଦ୍ର ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇ କରୁଣ ପରିଣତି ଘଟିଛି। ଟାଉନ୍‌ ଥାନା ଅନ୍ତର୍ଗତ ଜାଗିଲି ସାହିରେ ପତ୍ନୀ ଏକ ଶିଳପୁଆରେ ସ୍ବାମୀର ମୁଣ୍ଡକୁ ଛେଚି ହତ୍ୟା କରିଛି। ମୃତକଙ୍କ ନାମ ବନମାଳୀ ବେହେରା(୩୭) ବୋଲି ପୁଲିସ କହିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପତ୍ନୀ ସୁନିତା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ୍ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରୁ ରକ୍ତ ଲାଗିଥିବା ଶିଳପୁଆ ଜବତ କରିଛି।

ଜାଗିଲି ସାହିରେ ବନମାଳୀ ସ୍ତ୍ରୀ ସୁନିତା ଓ ୪ପୁଅ, ଝିଅଙ୍କୁ ନେଇ ରହୁଥିଲେ। ବନମାଳୀଙ୍କ ମା ମଧ୍ୟ ତାଙ୍କ ସହ ରହୁଥିଲେ। ଗତକାଲି ସଂଧ୍ୟାରେ କୌଣସି ଏକ କାରଣକୁ କେନ୍ଦ୍ର କରି ବନମାଳୀ ଓ ସୁନିତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବନମାଳୀ ସୁନିତାଙ୍କୁ ମାଡ଼ ମାରିବା ସହିତ ପ୍ରବଳ ଗାଳିଗୁଳଜ କରିଥିଲେ। ଏଥିରେ ସୁନିତା ଉତ୍ୟକ୍ତ ହୋଇ ଘରେ ଥିବା ଶିଳପୁଆରେ ବନମାଳୀଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ବନମାଳୀ ତଳେ ପଡ଼ି ଯାଇଥିବା ବେଳେ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରେ ସୁନିତା ତାଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ବନମାଳୀଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ସଂରକ୍ଷିତ ରଖିଥିଲା। ଆଜି ସକାଳେ ଟାଉନ୍ ଥାନା ପୁଲିସ ବଡ଼ ଡାକ୍ତରଖାନାରେ ପହଞ୍ଚି ପଞ୍ଚନାମା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଅଧିକାଂଶ ସମୟରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲେ। ପୁଲିସର ଅଧିକ ପଚରାଉଚରା ପରେ ସ୍ବାମୀ ବନମାଳୀଙ୍କୁ ହତ୍ୟା କରିଥିବା ନେଇ ସ୍ତ୍ରୀ ସୁନିତା ସ୍ବୀକାର କରିଥିଲା।

ସମ୍ବନ୍ଧିତ ଖବର