ରାସଗୋବିନ୍ଦପୁର : ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେଲେ। ସାଥୀ ହୋଇ ସାରା ଜୀବନ କଟାଇବେ ବୋଲି ନିୟମ କଲେ। ସଫଳ ଦାମ୍ପତ୍ୟର ସନ୍ତକ ଭାବେ ୧୦ ବର୍ଷ ଓ ୧୨ ବର୍ଷ ଦୁଇ ପିଲା ଥିଲେ। ..ସବୁ କିଛି ଠିକ୍ ଠାକ୍ ଚାଲିଥିବା ବେଳେ ଛଳନା କଲା ପତ୍ନୀ। ନିଜ ପ୍ରମିକ ସହ ମିଶି ସ୍ବାମୀକୁ ହତ୍ୟାକଲା ଏବଂ ପାପ ଲୁଚାଇବାକୁ ଯାଇ ମାଟିରେ ପୋତିଦେଲା। ହେଲେ ପାପ ଲୁଚିଲାନି। ଶେଷରେ ପୁଲିସ ହାତରେ ଧରାପଡ଼ିଛନ୍ତି ନରହନ୍ତା ପତ୍ନୀ ଓ ପ୍ରେମିକ। ଏପରି ଏକ ଚାଂଚଲ୍ୟକର ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଝାଟିଗଡ଼ା ପଞ୍ଚାୟତ କିଆଖାଳି ଗାଁରେ।
ଗ୍ରାମର ନରେନ୍ଦ୍ର ବାରିକଙ୍କ ପୁଅ ଶଙ୍କର୍ଷଣ (୪୨)ଙ୍କ ସ୍ତ୍ରୀ ଲକ୍ଷ୍ମୀ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ ଜୁଳୁବଳନ୍ଦା ଗ୍ରାମର ସପନ ଦାସ ଓରଫ୍ ଦୀପୁଙ୍କୁ ପ୍ରେମ କରୁଥିଲେ। ତେବେ ସେମାନେ ଏକ ହେବା ପାଇଁ ଶଙ୍କର୍ଷଣଙ୍କୁ ବାଟରୁ ହଟାଇବାକୁ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀ ପ୍ରେମିକ ଦୀପୁକୁ ଫୋନ୍ କରି ଡକାଇଥିଲା। ସମସ୍ତେ ଶୋଇପଡ଼ିବା ପରେ ସୁଯୋଗ ଦେଖି ଉଭୟ ଶଙ୍କର୍ଷଣଙ୍କ ବେକକୁ ଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ ଏକ ସ୍କୁଟିରେ ନେଇ ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କଳମା ପଞ୍ଚାୟତର ଆମ୍ବତୋଟା ନିକଟରେ ଗାତ ଖୋଳି ପୋତିଦେଇଥିଲେ। ତେବେ ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଛତୁ ତୋଳିବ ପାଇଁ ତୋଟାକୁ ଯାଇଥିବା ବେଳେ ସେଠାରେ ସଦ୍ୟ ଏକ ଗାତ ଖୋଳା ହୋଇଥିବା ଓ ପାରିପାର୍ଶିକ ସ୍ଥିତିକୁ ଦେଖି ସେମାନେ ସନ୍ଦେହ କରିଥିଲେ। ପରେ ପୁଲିସକୁ ଖବର ଦିଆଯାଇଥିଲା। ବେତନଟୀ ଏସ୍ଡିପିଓ ଗୋବିନ୍ଦ ଚନ୍ଦ୍ର ସେଠୀ, ଥାନା ଆଇଆଇସି ରେଣୁବାଳା ସାହୁଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ଶବକୁ ଖୋଳି ବାହାର କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରିଥିଲା। ତେବେ ତଦନ୍ତ ପରେ ପୁଲିସ ଲକ୍ଷ୍ମୀ ଓ ଦୀପୁକୁ ଅଟକ ରଖି ପଚରାଉଚରା କରିଥିଲା। ଫଳରେ ସେମାନେ ସବୁକଥା ମାନିଯାଇଥିବା ଜଣାପଡ଼ିଛି।