ଭୁବନେଶ୍ବର: ସିଏ ବଞ୍ଚିଛନ୍ତି.. ଏବେବି ବଞ୍ଚିଛନ୍ତି… ମୃତ୍ୟୁ ପରେ ବି ସେ ମୋ ହୃଦୟରେ ବଞ୍ଚିଛନ୍ତି । ମୃତ୍ୟୁ ତ ଶରୀରର ହୁଏ, ହେଲେ ସ୍ମୃତି କଣ କେବେ ଶେଷ ନିଶ୍ବାସ ତ୍ୟାଗ କରେ କି ? ନା ! ସ୍ମୃତିର ମୃତ୍ୟୁ ନାହିଁ- ସିଏ ସେମିତି ବଞ୍ଚିରହେ ମନରେ, ସିଏ ସେମିତି ଜୀବିତ ଥାଏ ଛାତି ଭିତରେ… ଆତ୍ମାରେ, ଶରୀରରେ ଆଉ ରକ୍ତର ପ୍ରତିଟି ବୁନ୍ଦାରେ… ଜୀବନ ସାଥିଟିଏ ସବୁବେଳେ ସେମିତି । ଜୀବିତ ଥିଲେ ତ, ତା ସହ ପ୍ରତି ମୁହୂର୍ତ୍ତ ସ୍ବର୍ଗର ସୁଖ ଭଳି ଲାଗେ.. କିନ୍ତୁ ମୃତ୍ୟୁ ପରେ ବି କମେନି ସେ ଜୀବନସାଥି ପ୍ରତି କାଣିଚାଏ ବି ଭଲପାଇବା । ବରଂ ଅଧିକ ବଢିଯାଏ… ତାକୁ ଝୁରିବାପଣ, ତାକୁ ଖୋଜିବାପଣ ହିଁ ଆହୁରି ତା ପ୍ରେମରେ, ତା ସ୍ମୃତିରେ ଛନ୍ଦେଇ ଦିଏ… 

Advertisment

ଠିକ୍ ସେମିତି ଏକ ଘଟଣା ରାଜଧାନୀ ଭୁବନେଶ୍ବରରେ ଘଟିଛି । ଯେଉଁଠି ନିଜ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ବାମୀଙ୍କ ଉପସ୍ଥିତିକୁ ପ୍ରତିକ୍ଷଣରେ ଅନୁଭବ କରିବାକୁ ନିଜ ହାତରେ ସ୍ବାମୀଙ୍କ ଅବିକଳ ଟାଟୁ କରିଛନ୍ତି ସ୍ତ୍ରୀ । ଆଜିକାଲିର ଯୁବପିଢିଙ୍କ ପାଇଁ ଟାଟୁ ଏକ ଫ୍ୟାସନ ହୋଇଥିବା ବେଳେ ଟାଟୁକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିବାଦ ଦେଖାଦିଏ । ହେଲେ ଏଠି ଜଣେ ପତ୍ନୀ ନିଜର ପ୍ରାଣପ୍ରିୟ ପତିଙ୍କ ପାଇଁ ହାତରେ ଛୁଞ୍ଚିର ଆଘାତକୁ ସହି ଟାଟୁ କରିଛନ୍ତି । 

rita

ଭୁବନେଶ୍ବର ଓଲଡ ଟାଉନର ରୀତା ଦାସ ଏବଂ ତାଙ୍କ ସ୍ବାମୀ ପ୍ରଶାନ୍ତ ସେନାପତି । ୨୦୦୦ ମସିହା ଫେବୃଆରୀ ୨୫ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହେଁ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏକାଠି କାମ ବି କରୁଥିଲେ । ଦୁଇ ଝିଅ ପାୟଲ ଏବଂ ପ୍ରିୟଙ୍କାଙ୍କୁ ନେଇ ସବୁକିଛି ଠିକଠାକ୍ ଥିଲା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ହଠାତ୍ କର୍କଟରେ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ପିଲାଛୁଆଙ୍କ ହାତ ଛାଡି ଚାଲିଗଲେ ପ୍ରଶାନ୍ତ । ୬ ମାସ ତଳେ ଅଫେରା ରାଇଜକୁ ସ୍ବାମୀ ଚାଲିଯାଇଥିବା ବେଳେ ସ୍ତ୍ରୀ କିନ୍ତୁ ଭୁଲିପାରୁ ନାହାନ୍ତି ସ୍ବାମୀଙ୍କ ଅନାବିଳ ସ୍ନେହକୁ, ତାଙ୍କ ଉପସ୍ଥିତିକୁ । ପ୍ରତି ମୁହୂର୍ତ୍ତରେ ସ୍ବାମୀ ମନେପଡୁଥିବାରୁ, ତାଙ୍କ ସ୍ମୃତି ମନେପଡୁଥିବାରୁ ସେ ସ୍ବାମୀଙ୍କୁ ଝୁରି ଝୁରି ନିଜ ହାତରେ କରିଛନ୍ତି ସ୍ବାମୀଙ୍କ ଛବି । 

rita das

ସ୍ବାମୀ ସିନା ଅଧା ବାଟରେ ହାତ ଛାଡି ସେପାରିକୁ ଚାଲିଗଲେ । ହେଲେ ସ୍ତ୍ରୀ କିନ୍ତୁ ତାଙ୍କ ହାତ ଛାଡି ନାହାନ୍ତି, ତାଙ୍କ ସ୍ମୃତିକୁ ନିଜ ହାତରେ ତିଆରି କରି ସାରା ଜୀବନ, ଶ୍ମଶାନ ଯିବା ଯାଏଁ ସାଇତି ରଖିବାକୁ ଏଭଳି ପ୍ରୟାସ କରିଛନ୍ତି । ତାଙ୍କ ସ୍ମୃତିରେ ଶରୀରକୁ କଷ୍ଟ ଦେଇ  ଆଙ୍କିଛନ୍ତି  ସ୍ୱାମୀଙ୍କ  ଅବିକଳ ପ୍ରତିଛବି । ଆଉ କହିଛନ୍ତି- ସେ ଅଛନ୍ତି ଏଇଠି ଅଛନ୍ତି, ମୋ ପାଖେ ପାଖେ ଅଛନ୍ତି... 

ପରିବାର ଏବଂ ପ୍ରିୟଜନଙ୍କ ମୃତ୍ୟୁ ପରେ ଅନେକ ଲୋକ ମହମର ମୂର୍ତ୍ତି ହେଉ କିମ୍ବା ଘରେ ବଡ ଛବି ଆଙ୍କି ମୃତ ବ୍ୟକ୍ତିଙ୍କ ଉପସ୍ଥିତିକୁ ଅନୁଭବ ପାଇଁ ବିଭିନ୍ନ ପନ୍ଥା ଆପଣାଉଥିବା ବେଳେ ଭୁବନେଶ୍ବରରେ ରୀତା ଆପଣାଇଛନ୍ତି ଏଭଳି ଏକ ପନ୍ଥା ଯାହା ତାଙ୍କର ତାଙ୍କ ସ୍ୱାମୀଙ୍କ ପ୍ରତି ଥିବା ଅମାୟିକ ଭଲପାଇବାର ଏକ ପ୍ରତିଫଳନ, ଏକ ଜୀବନ୍ତ ନିଦର୍ଶନ ।