ସ୍ତ୍ରୀ ହତ୍ୟାକାରୀକୁ ୭ ବର୍ଷ କାରାଦଣ୍ଡାଦେଶ

ପଦ୍ମପୁର:  ସ୍ତ୍ରୀକୁ ମାଡ଼ ମାରି ହତ୍ୟା ଅଭିଯୋଗରେ ହତ୍ୟାକାରୀ ସ୍ୱାମୀକୁ ବରଗଡ଼ ଜିଲ୍ଲା ପଦ୍ମପୁର ଅତିରିକ୍ତ ଦୌରା ଜଜ୍ ୭ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ବରପାଲି ଥାନା ଅନ୍ତର୍ଗତ ଖେମସରା ଗ୍ରାମର ସମାରୁ ଦୀପ  ୧୫ ବର୍ଷ ତଳେ ବିଜେପୁର ଥାନା ଅନ୍ତର୍ଗତ ବଡ଼ବାଉଁସେନ ଗ୍ରାମର ଗଙ୍ଗା ବାଗଙ୍କ ଝିଅ ରୀନା ବାଗଙ୍କୁ ବୈଦିକ ରୀତିରେ ବିବାହ କରିଥିଲା । ବିବାହ ପରେ ତାଙ୍କର ପୁଅ ଗୋଟିଏ  ଜନ୍ମ ହୋଇଥିଲା। ମଝିରେ ମଝିରେ ସମାରୁ ମଦ୍ୟପାନ କରି  ସ୍ତ୍ରୀ ରୀନା ସାଙ୍ଗରେ ଝଗଡ଼ା କରୁଥିଲା। ୨୦୧୬ ମସିହା ମେ’ ୨୦ ତାରିଖ ସମାରୁ ପରିବାର ସହ ବିଜେପୁର ଥାନା ଅନ୍ତର୍ଗତ ଗଠିଆପାଲିର ଅର୍ଜୁନ ତାଣ୍ଡିଆ ଘରକୁ କୁଣିଆ ଯାଇଥିଲେ । ରାତିରେ କୌଣସି କଥାକୁ ନେଇ  ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗିଥିଲେ । ସମାରୁ ରାଗି ଯାଇ ଚପଲରେ ସ୍ତ୍ରୀର କାନପାଖରେ ବାରମ୍ବାର ମାଡ଼ ମାରିଥିଲା ।

ପାଟିତୁଣ୍ଡ ଶୁଣି ଅର୍ଜୁନର ପରିବାର ଲୋକେ ଉଠି ପଡ଼ିଥିଲେ। ରୀନାର ବାପା ଓ ସମାରୁର ଭାଇକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ।    ସେମାନେ ପହଂଚି ଦେଖିଲା ବେଳକୁ  ରୀନାର ମୃତ ଦେହ ପଡ଼ି ରହିଥିଲା। ସମାରୁ ଘଟଣାସ୍ଥଳରୁ ଫେରାର ଥିଲା । ଆରଦିନ ଅର୍ଜୁନ  ବିଜେପୁର ଥାନାରେ ଏତଲା ଦେଇଥିଲେ। ପଦ୍ମପୁର  ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ଅରବିନ୍ଦ ରଥ ମୋଟ୍‌ ୨୧ଜଣ ସାକ୍ଷୀଙ୍କ  ବୟାନ ଆଧାରରେ  ଅଭିଯୁକ୍ତ ସମାରୁକୁ  ଦୋଷୀ ସାବ୍ୟସ୍ତ କରି ୭ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ରଜନୀକାନ୍ତ ଦାଶ ଓ ମୁଦାଲା ପକ୍ଷରୁ ଜୟନ୍ତ ଆଚାର୍ଯ୍ୟ ମାମଲା ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର