ସ୍ବାମୀ ମୁଣ୍ଡ ପାଇଁ ୨ ଲକ୍ଷ ସୁପାରି, ଅନୈତିକ ସମ୍ପର୍କରୁ ସୁପାରି ଦେଇ ସ୍ବାମୀକୁ ହତ୍ୟା

ପତ୍ନୀ ସମେତ ୨ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ବାରିପଦା: ୨୦୧୧ରେ ପ୍ରେମ ବିବାହ। ପରେ କୋଳକୁ ଆସିଲା ଏକ ଛୋଟ ଛୁଆ। ବିବାହର ୮ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟକୁ ପଶି ଆସିଥିଲା ଜଣେ ତୃତୀୟ ବ୍ୟକ୍ତି। ସ୍ବାମୀ ଏହା ଜାଣିବାରୁ ଆରମ୍ଭ ହୋଇଥିଲା କଳି ଝଗଡ଼ା ଓ ପାରିବାରିକ ଅଶାନ୍ତି। ମାତ୍ର ଏହି ଘଟଣା ପାଇଁ ପ୍ରେମ ବିବାହ କରିଥିବା ସ୍ବାମୀକୁ ନିଜ ସ୍ତ୍ରୀ ଯେ ସୁପାରି ଦେଇ ହତ୍ୟା କରିବା ତାହା ଥିଲା କଳ୍ପନା ବାହାରେ। ମାତ୍ର ବାରିପଦା ଟାଉନ୍ ଥାନା ଇଲାକାରେ ଘଟିଥିବା ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ୍‌ କରିଛି ପୁଲିସ। ଘଟଣାଟି ଏମିତି। ଟାଉନ ଥାନା ଛାଞ୍ଚ ଅଞ୍ଚଳର ଆଦିତ୍ୟ ପଣ୍ଡାଙ୍କର ୨୭ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏରେ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ତେବେ ଘରେ କେବଳ ସ୍ବାମୀ ସ୍ତ୍ରୀ ଆଉ ଛୁଆ ଶୋଇଥିବାରୁ ପୁଅର ଏପରି ମୃତ୍ୟୁକୁ ସନ୍ଦେହ କରି ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ ମୃତକଙ୍କ ପିତା ହରିଶ ଚନ୍ଦ୍ର ପଣ୍ଡା। ମୃତକଙ୍କ ପତ୍ନୀ ତଥା ନିଜ ବୋହୂ ଚନ୍ଦନା ପଣ୍ଡାଙ୍କ ବିରୋଧରେ ଅଭିଯୋଗ କରିଥିଲେ ହରିଶ ଚନ୍ଦ୍ର। ଏହା ସହିତ ଚନ୍ଦନାଙ୍କ ସହିତ ଅନୈତିକ ସମ୍ପର୍କ ଥିବା ତାଙ୍କ ଦାଦା ଶ୍ବଶୁରଙ୍କ ପୁଅ ହୃଷିକେଶ ପଣ୍ଡା ଓରଫ୍ ପୁପୁନ୍‌ଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଥିଲା। ପୁଲିସ ପ୍ରଥମେ ମୃତକଙ୍କ ପତ୍ନୀଙ୍କୁ ଜେରା କରିଥିଲା। ପ୍ରଥମେ ସ୍ବାମୀଙ୍କର ମୃତ୍ୟୁ ହୃଦଘାତରେ ହୋଇଥିବା କହୁଥିବା ଚନ୍ଦନା କିନ୍ତୁ ପରେ ସବୁ ସତକଥା ମାନିଥିଲେ। ଏହା ସହିତ ହତ୍ୟାରେ ସାମିଲ ତଥା ମୁଖ୍ୟ ଅଭିଯୁକ୍ତ ମୁର୍ଶିଦାବାଦ ଅଞ୍ଚଳର ସୁପାରୀ କିଲର୍ ଜମିର୍ ଶେଖ୍ ଏବଂ ହତ୍ୟାକାଣ୍ଡରେ ସହଯୋଗ କରିଥିବା ମୁର୍ଶିଦାବାଦ ଅଞ୍ଚଳର ଲାଲଟୁ ଶେଖ ସମ୍ପର୍କରେ ମଧ୍ୟ ପୁଲିସକୁ ସୂଚନା ଦେଇଥିଲେ ଚନ୍ଦନା। ମୁଖ୍ୟ ଅଭିଯୁକ୍ତ ଜମିର୍ ଫେରାର୍ ଥିବାବେଳେ ଚନ୍ଦନା ଏବଂ ସହଯୋଗୀ ଲାଲଟୁକୁ ପୁଲିସ୍ ଆଜି ଗିରଫ କରିଛି।

ଆଦିତ୍ୟ ଓ ଚନ୍ଦନା ପରିବାର ଇଚ୍ଛା ବିରୋଧରେ ୨୦୧୧ରେ ପ୍ରେମ ବିବାହ କରିଥିଲେ। ଜଣେ ପୋଷ୍ଟାଲ୍ ଏଜେଣ୍ଟ୍ ଭାବେ କାର୍ଯ୍ୟ କରୁଥିବା ଆଦିତ୍ୟଙ୍କର ଏକ ସନ୍ତାନ ମଧ୍ୟ ଅଛି। ତାଙ୍କୁ ଆଦିତ୍ୟ ବିଭିନ୍ନ ସମୟରେ ଅତ୍ୟାଚାର କରୁଥିବା ଓ ତାଙ୍କ ସୁନାଗହଣାକୁ ନେଇ ବନ୍ଧା ପକାଇଥିବା ଚନ୍ଦନା କହିଛନ୍ତି। ତେବେ ଏହା ମଧ୍ୟରେ ତାଙ୍କ ଜୀବନକୁ ଭୁବନେଶ୍ବରରେ ରହୁଥିବା ନିଜର ସମ୍ପର୍କୀୟ ଦିଅର ପୁପୁନ୍ ପ୍ରବେଶ କରିଥିଲେ। ପୁପୁନ୍ ସହିତ ଚନ୍ଦନାଙ୍କର ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ଆଦିତ୍ୟ ଏ ସମ୍ପର୍କରେ ଅବଗତ ହେବା ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆହୁରି ଅଧିକ ବଢ଼ିଥିଲା। ଆଦିତ୍ୟଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଚନ୍ଦନା ବାରିପଦାରେ ରହି ରାଜମିସ୍ତ୍ରୀ କାମ କରୁଥିବା ମୁର୍ଶିଦାବାଦ ଅଞ୍ଚଳର ଲାଲଟୁଙ୍କ ସହଯୋଗ ଲୋଡ଼ିଥିଲେ। ଲାଲ୍‌ଟୁ ଏଥି ପାଇଁ ଜମିରକୁ ବାଛିଥିଲା। ଆଦିତ୍ୟଙ୍କୁ ରାସ୍ତାରୁ ହଟାଇବାକୁ ୨ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ବେଳେ ୩୦ ହଜାର ଟଙ୍କାର ଅଗ୍ରୀମ କଥା ଛିଡ଼ିଥିଲା। ଜମିର୍ ମଧ୍ୟ ଥରେ ବାରିପଦା ଆସି ସବୁ ଦେଖିଶୁଣି ଯାଇଥିଲା। ଘଟଣା ଦିନ ଜମିରକୁ ଘରକୁ ଡାକିଥିଲା ଚନ୍ଦନା। ଆଦିତ୍ୟ ଶୋଇବା ପରେ ରାତି ପ୍ରାୟ ସାଢ଼େ ୧ରୁ ୨ ମଧ୍ୟରେ ଜମିର ଆସି ତାଙ୍କ ମୁହଁକୁ ତକିଆରେ ମାଡ଼ି ବସିଥିଲା। ଚନ୍ଦନା ମଧ୍ୟ ଏହି ହତ୍ୟାକାଣ୍ଡରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଆଦିତ୍ୟ ଛାଟିପିଟି ହେବାରୁ ଶୋଇବା ଘରେ ଥିବା ଆଲଣା ମଧ୍ୟରେ ତାଙ୍କ ମୁଣ୍ଡ ପଶିଯାଇଥିଲା। ଧସ୍ତାଧସ୍ତି ଶବ୍ଦ ଶୁଣି ଆଦିତ୍ୟଙ୍କ ବାପା ଆସିଯିବାରୁ ଜମିର ପଛପଟ କବାଟ ଦେଇ ଫେରାର୍ ହୋଇ ଯାଇଥିଲା। ମେଡ଼ିକାଲ୍ ଆଣିବା ପରେ ଆଦିତ୍ୟଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ଚନ୍ଦନାଙ୍କୁ ଗିରଫ କରିବା ସହିତ ଅଗ୍ରୀମ ଦେବାକୁ ଥିବା ୩୦ ହଜାର ଟଙ୍କା ଜବତ୍ କରିଛି। ଚନ୍ଦନାଙ୍କ ସୂଚନା ବଳରେ ସହଯୋଗୀ ଲାଲ୍‌ଟୁକୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପ୍ରୟାସ ଜାରି ରଖାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ କେପି ପଟ୍ଟନାୟକ, ଟାଉନ୍ ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର