ପାରିବାରିକ କଳହର କରୁଣ ପରିଣତି, ଶାବଳରେ ସ୍ତ୍ରୀକୁ କଲା ହତ୍ୟା ସ୍ବାମୀ 

ରାୟଗଡ଼ା: ପାରିବାରିକ କଳହକୁ ନେଇ ଉତ୍ତ୍ୟକ୍ତ ସ୍ବାମୀ ନିଜ ସ୍ତ୍ରୀକୁ ଶାବଳରେ ଭୁସି ହତ୍ୟା କରିଛି। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଥାନା ଫୁଲୁଗୁଡା ଗ୍ରାମରେ। ହତ୍ୟାକାଣ୍ଡର ଶିକାର ମହିଳାଙ୍କ ନାମ ଚମ୍ପା ନିଶିକା (୨୫)। ପୁଲିସ୍ ଗାଁରେ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାର୍ଡ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ  ମୃତଦେହକୁ ଜବତ କରିଛି। ଅଭିଯୁକ୍ତ ସ୍ୱାମୀ ରତୁନୁ ନିଶିକାକୁ ଅଟକ ରଖି ପୁଲିସ୍ ପଚରା ଉଚରା କରୁଛି।

କୁମ୍ଭିକୋଟା ଫାଣ୍ଡି ଫୁଲୁଗୁଡା ଗ୍ରାମରେ ରତୁନୁ ନିଶିକା ସ୍ତ୍ରୀ ଚମ୍ପା ନିଶିକା ଓ ସାତ ମାସର ସନ୍ତାନ ସହ ରହି ଆସୁଥିଲେ।  ଗତ କିଛି ଦିନ ହେଲା କୌଣସି କାରଣକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା। ଗତକାଲି ରାତିରେ ରତୁନୁ ଶୋଇଥିବା ବେଳେ ସ୍ତ୍ରୀ ଚମ୍ପା ଉଠାଇବାରୁ ରତୁନୁ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଶାବଳରେ ଚମ୍ପାର ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ପ୍ରବଳ ରକ୍ତସ୍ରାବ ହେବାରୁ ଚମ୍ପାର ମୃତ୍ୟୁ ହୋଇଥିଲା।

ଆଜି ସକାଳେ ସୂଚନା ପାଇ ପୁଲିସ୍ ଫୁଲୁଗୁଡା ଗ୍ରାମରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ରତୁନୁକୁ ଥାନାକୁ ଆଣିବା ସହ ମୃତଦେହକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଡିଏସପି ଉଲ୍ଲାସ ମାଝି ଘଟଣାର ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରେ ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ, ଏସଆଇ ଶିବଶଙ୍କର ସାହୁ, ସୌମ୍ୟରଂଜନ ପତି, କୁମ୍ଭିକୋଟା ଫାଣ୍ଡି ଅଧିକାରୀ ପିତାମ୍ବର ଶବର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର