ଟାଙ୍ଗିଆରେ ହାଣି ପତ୍ନୀଙ୍କୁ ହତ୍ୟା, ମଦ୍ୟପ ସ୍ବାମୀ ଗିରଫ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଡିମ୍ବିରିମୁଣ୍ଡା ପଞ୍ଚାୟତ ବାବେଜୁରି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସ୍ବାମୀର ଟାଙ୍ଗିଆ ଚୋଟରେ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ମହିଳା ହେଲେ ପ୍ରେମଚାନ୍ଦ ତିର୍କୀ (୩୨)ଙ୍କ ପତ୍ନୀ ଭାରତୀ ବାଗ (୩୦)। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ବାମୀ ପ୍ରେମଚାନ୍ଦକୁ ଗିରଫ କରିଛି। ଖବରପାଇ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ରକ୍ତଭିଜା କପଡ଼ା ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ ୨୦୧୬ରେ ବାବେଜୁରି ଗ୍ରାମରେ ରହୁଥିବା ପ୍ରେମଚାନ୍ଦ ଶାସନ ଥାନା ଲକ୍ଷ୍ମନୀ ଗ୍ରାମର ଭାରତୀ ବାଗଙ୍କୁ ପ୍ରେମ ବିବାହ କରିଥିଲେ। କାମଧନ୍ଦା କରୁ ନଥିବା ପ୍ରେମଚାନ୍ଦ ପରିବାରରେ ଅଭାବ ଅନାଟନ ଲାଗି ରହିଥିଲା। ଏହାକୁ ନେଇ ବିଭିନ୍ନ ସମୟରେ ପତି, ପତ୍ନୀଙ୍କ ମଧ୍ୟରେ ମତାନ୍ତର ରହୁଥିଲା। ସମୟ ସମୟରେ ପ୍ରେମଚାନ୍ଦ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିଲା। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଗତ କିଛି ଦିନ ସଂପର୍କୀୟ ଘରେ ବୁଲିବା ପରେ ସୋମବାର ତାରିଖରେ ପ୍ରମଚାନ୍ଦ ଘରକୁ ନିଶାସକ୍ତ ଅବସ୍ଥାରେ ଫେରିଥିଲା। ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରେମଚାନ୍ଦ ଏକ ଟାଙ୍ଗିଆରେ ଭାରତୀଙ୍କୁ ଚୋଟ ପକାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଭାରତୀଙ୍କ ବାପା ଆନନ୍ଦ ବାଗଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ହତ୍ୟା ମାମଲା ରୁଜୁ କରି ପ୍ରେମଚାନ୍ଦକୁ ଗିରଫ କରିଛି। ଉଭୟଙ୍କର ଦେଢ଼ ବର୍ଷର ଝିଅ ଅଛି। ସେହିପରି ପ୍ରେମଚାନ୍ଦଙ୍କ ବୁଢ଼ା ବାପା ଇଲାଏସ୍‌ ତିର୍କି ଏବେ ବେସାହାର ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର