ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡ

ବାରିପଦା: ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟ (୨) ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ଅଭିଯୁକ୍ତ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା ଶୁଣାଣି କରିଛନ୍ତି। ଜୋରିମାନା ଅନାଦେୟ ରହିଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୧୫ ମସିହା ନଭେମ୍ବର ମାସ ୪ ତାରିଖ ଦିନ ରାତି ପ୍ରାୟ ୧୦ଟାରୁ ୧୨ଟା ମଧ୍ୟରେ ଚାନ୍ଦୁଆ ଥାନା ଅନ୍ତର୍ଗତ ପୋଡୁଗିରିଶୋଳ ଗାଁର ଠାକୁରା ହେମ୍ବ୍ରମ୍‌ (୩୬) ନିଜ ପତ୍ନୀ ମାଇନ ହେମ୍ବ୍ରମ୍‌ଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିଲା। ଏହି ଖବର ପରଦିନ ସକାଳକୁ ସମଗ୍ର ଗାଁରେ ପ୍ରଚାର ହୋଇଯିବା ପରେ ଗାଁଲୋକେ ସେଠାରେ ଜମା ହୋଇଯାଇଥିଲେ। ଏହାପରେ ଗ୍ରାମର ୱାର୍ଡ ମେମ୍ବର ହେମେନ୍ଦ୍ର ହେମ୍ବ୍ରମ୍‌ ଏହି ହତ୍ୟାକାଣ୍ଡ ଘଟଣାରେ ଚାନ୍ଦୁଆ ଥାନାରେ ହତ୍ୟାକାରୀ ସ୍ୱାମୀ ଠାକୁରା ହେମ୍ବ୍ରମ୍‌ଙ୍କ ବିରୋଧରେ ଚାନ୍ଦୁଆ ଥାନାରେ ଏତଲା ଦେଇଥିଲେ। ଚାନ୍ଦୁଆ ପୁଲିସ ଏହି ହତ୍ୟାକାଣ୍ଡ ଘଟଣାରେ ଏକ ମାମଲା (ନଂ ୧୦୨/୦୫.୧୧.୨୦୧୫) ରୁଜୁ କରି ତଦନ୍ତ ଆରଂଭ କରିଥିଲେ। ଆଜି ଜଜ୍‌ ସମର ବିଳାସ ବେହେରା ମାମଲାର ବିଚାର କରିଥିବାବେଳେ ସରକାରୀ ଓକିଲ ଶାନ୍ତନୁ କୁମାର ଦାଶ ମାମଲା ପରିଚାଳନା କରିଥିଲେ। ଏହି ମାମଲାରେ ମୋଟ ୨୪ ଜଣଙ୍କଠାରୁ ସାକ୍ଷ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର