ଯାଜପୁର/ବରୀ: ରାଜ୍ୟ ରାଜନୀତିର ହଟ୍‌ସ୍ପଟ୍‌ ଯାଜପୁର ଜିଲ୍ଲାରେ ଚାଲିଥିବା ଦଳବଦଳ ରାଜନୀତି ଏବେ ବେଶ୍‌ ଚର୍ଚ୍ଚାରେ। ସକାଳେ ଯିଏ ବିଜେପିକୁ ଯାଉଛନ୍ତି, ସନ୍ଧ୍ୟାରେ ସ୍ଥାନୀୟ ନେତା ପୁଣି ସେମାନଙ୍କୁ ନିଜ ଦଳକୁ ଫେରାଇ ଆଣିବା ଲାଗି ସବୁ ବଳ ଖଟାଇ ଦେଉଛନ୍ତି। ସମ୍ମାନ ରକ୍ଷା ଓ ପତିଆରା ବୃଦ୍ଧି ପାଇଁ ଜିଲ୍ଲାରେ ଦୁଇ ପ୍ରମୁଖ ଦଳ ଏବେ ଛକାପଞ୍ଝା ସ୍ଥିତିରେ ରହିଛନ୍ତି। ଜିଲ୍ଲାର ଏ ଦଳ ଡିଆଁ ରୋଗ ଆଗକୁ ମହାମାରୀ ରୂପ ନ ନେଉ, ସେଥିପାଇଁ ଯାଜପୁରର ବିଜେଡି ନେତା ସତର୍କତା ଅବଲମ୍ବନ କରୁଛନ୍ତି। 

Advertisment

ଗତ ୧୬ ତାରିଖରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି ପୁନର୍ବାର ବିଜେଡିକୁ ଫେରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଶ୍ରୀ ଗେଡ଼ିଙ୍କ ଘରବାହୁଡ଼ା ଯାଜପୁର ରାଜନୀତି ବାତାବରଣକୁ ଉଷ୍ମ କରିଛି। ବରୀର ନବନିର୍ବାଚିତ ବିଜେଡି ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ଶ୍ରୀ ଗେଡ଼ିଙ୍କୁ ଦଳକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ଦୁଇଦିନ ତଳେ ଦୁଇଜଣ ସମିତିସଭ୍ୟ ଓ ଜଣେ ସରପଞ୍ଚଙ୍କ ପ୍ରତିନିଧି ତାଙ୍କ ଉଦ୍ୟମରେ ଦଳକୁ ଫେରିଥିଲେ। ରାଜଧାନୀସ୍ଥିତ ଶଙ୍ଖଭବନରେ ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବିରୋଧୀଦଳ ଉପମୁଖ୍ୟସଚେତକ ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ଶ୍ରୀ ଗେଡ଼ି ଆଜି ବିଜେଡିରେ ଯୋଗ ଦେଇଥିଲେ। ଘର ବାହୁଡ଼ା ପରେ ଶ୍ରୀ ଗେଡ଼ି କହିଛନ୍ତି, ବରୀର ବିକାଶ ପାଇଁ ସେ ଶାସକ ବିଜେପିକୁ ଯାଇଥିଲେ। କିଛି ଦିନ ପାଇଁ ବାଟ ହୁଡ଼ିଥିଲେ। ତେବେ ସେଠାରେ କୌଣସି ବିକାଶର ଚିତ୍ର ଦେଖିବାକୁ ନ ପାଇ ପୁଣି ନିଜ ଘରକୁ ଫେରି ଆସିଛନ୍ତି।