ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପତ୍ନୀ କିରଣ

ଶୋକାକୂଳ ପରିବେଶରେ ପୈତୃକ ଗାଁରେ ଶେଷହେଲା ଶେଷକୃତ୍ୟ

ରାୟଗଡ଼ା: ସେ ଜଣେ ଦକ୍ଷ ଅଫିସର ଥିଲେ। ୧୨/୧୩ ବର୍ଷର ଚାକିରି ସମୟ ମଧ୍ୟରେ ବହୁ ସଙ୍ଗୀନ ମାମଲାର ତଦନ୍ତ କରିଛନ୍ତି। ଗତ କିଛି ଦିନ ହେଲା ଅଫିସ ଏବଂ ସର୍କଲରୁ ବହୁତ ଚାପ ପଡୁଥିବା ଫୋନରେ କହିଥିଲେ। ଘରଠୁ ବହୁତ ଦୂରରେ ଚାକିରି କରୁଥିବାରୁ ବାରମ୍ବାର ଛୁଟି ମାଗିବା ସତ୍ତ୍ବେ ତାଙ୍କୁ ମିଳୁନଥିଲା। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିକାରୀ ଦେବ ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ଏପରି ମତ ରଖିଛନ୍ତି ପତ୍ନୀ କିରଣ ମହାନ୍ତି।

ଦେବ କୌଣସି ମାନସିକ ଚାପରେ ନଥିବା କହିବା ସହିତ ମୃତ୍ୟୁ ଘଟଣାର ପ୍ରକୃତ ତଦନ୍ତ ଦାବି କରିଛନ୍ତି କିରଣ। ଉଭୟ ସ୍ବାମୀ-ସ୍ତ୍ରୀ ପୁଲିସ୍ ବିଭାଗରେ ଚାକିରି କରୁଥିବାରୁ ସ୍ବାମୀଙ୍କ ମୃତ୍ୟୁକୁ ସନ୍ଦେହ ଚକ୍ଷୁରେ ଦେଖିବା ସହ ନ୍ୟାୟ ପାଇଁ ପୁଲିସ୍ ବିଭାଗ ଉପରେ ଭରସା ଥିବା କହିଛନ୍ତି ପତ୍ନୀ କିରଣ। ସେପଟେ ମୃତ ଥାନା ଅଧିକାରୀ ଦେବ ଗମାଙ୍ଗଙ୍କ ମାଆଙ୍କ ବୟାନ୍ ଘଟଣାକୁ ଅଧିକ ସନ୍ଦେହ ଭିତରକୁ ଟାଣିଛି। ଘଟଣା ଦିନ ଦୁଇ ବରିଷ୍ଠ ପୁଲିସ୍ ଅଫିସରଙ୍କ ସହ ଦେବ ମଧ୍ୟାହଣ୍ ଭୋଜନ ଖାଇଥିଲେ। କିଛି ସମୟ ପରେ ଦେବଙ୍କ ସହ ଉପସ୍ଥିତ ଥିବା ପୁଲିସ୍ ଅଧିକାରୀ ଦେବଙ୍କ ମାଆକୁ ଗାଧୋଇବା ପାଇଁ ଯିବାକୁ କହିଥିଲେ।

ମା’ ଗାଧୁଆ ଘରକୁ ଯିବାର କିଛି କ୍ଷଣ ମଧ୍ୟରେ ପାଟିତୁଣ୍ଡ ଶୁଣିବା ସହ ଗୁଳି ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ମାଆ ଦେବଙ୍କ ରୁମକୁ ଆସିବା ପରେ ଦେବଙ୍କ ମୃତ ଶରୀର ତଳେ ପଡିଥିବା ଦେଖିଥିଲେ। ଗତ କିଛି ଦିନ ହେଲା ଦେବ ନିଜ ମାଆଙ୍କୁ ନେଇ ପାଖରେ ରଖିଥିଲେ। କେବେ କିଛି ଘଟଣା ଘଟୁନଥିବା ବେଳେ ଦୁଇ ପୁଲିସ୍ ଅଫିସର ଆସିବା ପରେ ହିଁ କାହିଁକି ଏମିତି ଘଟଣା ଘଟିଲା ବୋଲି ଦେବଙ୍କ ମାଆ ପ୍ରଶ୍ନ କରିଛନ୍ତି। ଶନିବାର ମୃତ ଥାନା ଅଧିକାରୀ ଦେବଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୈତୃକ ଗାଁ କଇଠପଦର କୁଡିଆରେ ସଂପନ୍ନ ହୋଇଛି। ଦେବଙ୍କ କିଛି ସଂପର୍କୀୟ ଓ ଗ୍ରାମବାସୀଙ୍କ କହିବା କଥା ପିଲା ଦିନରୁ ଦେବ ଶାନ୍ତ ସ୍ବଭାବର ଥିଲେ। ଜଣେ ସଚ୍ଚୋଟ ପୁଲିସ୍ ଅଫିସରଙ୍କ ଏଭଳି ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ସଂପର୍କୀୟ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର