ଡାକ୍ତରଙ୍କ ମୃତ୍ୟୁର ୨୪ ଘଣ୍ଟାରେ ପତ୍ନୀ ଚାଲିଗଲେ

ସୋରଡ଼ା : କରୋନା ସଂଘାତ କେତେ ଭୟଙ୍କର ତାହା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ାରେ। ଏ ଅଞ୍ଚଳର ଖ୍ୟାତନାମା ଡାକ୍ତର ପୀତାମ୍ବର ଖାଡ଼ଙ୍ଗା (୭୯)ଙ୍କ ଗତକାଲି ଭୁବନେଶ୍ବର ଏମ୍‌ସ୍‌ରେ ଚିିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଥିଲା। ଏହାର ମାତ୍ର ୨୪ ଘଣ୍ଟା ଭିତରେ ପୀତାମ୍ବରଙ୍କ ପତ୍ନୀ ରଞ୍ଜୁକ୍ତାଙ୍କର ମଧ୍ୟ ଏମ୍‌ସ୍‌ରେ ମୃତ୍ୟୁ ଘଟିଛି। ଏହି ଘଟଣା ସୋରଡ଼ା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ସ୍ବାମୀଙ୍କ ଚିତା ନ ଲିଭୁଣୁ ମୃତ୍ୟୁର କୋଳରେ ଶୋଇ ଯାଇଛନ୍ତି ପତ୍ନୀ ରଞ୍ଜୁକ୍ତା।

ପୀତାମ୍ବର କରୋନାରେ ସଂକ୍ରମିତ ହେବା ପରେ ସେ ଏମ୍‌ସ୍‌ରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କ ପ‌ଛେ ପଛେ ପତ୍ନୀ ରଞ୍ଜୁକ୍ତା ବି ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ମଧ୍ୟ ଏମ୍‌ସ୍‌ରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ରଞ୍ଜୁକ୍ତାଙ୍କ କୋଭିଡ୍ ପରୀକ୍ଷାରୁ ନେଗେଟିଭ୍ ରିପୋର୍ଟ ଆସିଥିଲା। ଆଜି ସକାଳେ ସେ ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିଲେ। କିଛି ସମୟ ପରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇପଡ଼ିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ସେ ମଧ୍ୟ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଭୁବନେଶ୍ବର‌ରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ଜଣାପଡ଼ିଛି। ଦିବଙ୍ଗତ ପୀତାମ୍ବର ଓ ରଞ୍ଜୁକ୍ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଡା.ପୀତାମ୍ବର ସୋରଡ଼ାରେ ଦୀର୍ଘ ୩୫ ବର୍ଷ ହେଲା ଘରୋଇ ଡାକ୍ତରଖାନା ଖୋଲି ଗଞ୍ଜାମ ସମେତ ସୀମାନ୍ତ କନ୍ଧମାଳ ଓ ଗଜପତିର ସହସ୍ରାଧିକ ଲୋକଙ୍କୁ ସ୍ବାସ୍ଥ୍ୟସେବା ‌‌ଯୋଗାଇ ଆସୁଥିଲେ। ଏହାସହ ଲାୟନସ୍‌ କ୍ଲବ୍ ସହ ଜଡ଼ିତ ରହି ସମାଜସେବାରେ ନିଜକୁ ନିୟୋଜିତ ରଖିଥିଲେ। କିନ୍ତୁ ଡାକ୍ତର ଦମ୍ପତିଙ୍କ ହଠାତ୍ ବିୟୋଗ ସୋରଡ଼ାବାସୀଙ୍କୁ ସ୍ତବ୍ଧ କରିଦେଇଛି।

ସମ୍ବନ୍ଧିତ ଖବର