ରେଙ୍ଗାଳି: ମହିଳା ସଶକ୍ତୀକରଣ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ଶାସନକ୍ଷେତ୍ରରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଉଛି। ଅନେକ ସ୍ଥାନରେ କିନ୍ତୁ ମହିଳାଙ୍କୁ ପଛରେ ପକାଇ ତାଙ୍କ ସ୍ବାମୀମାନେ ଶାସନ ଚଳାଉଥିବା ଅଭିଯୋଗ ହେଉଛି। ଏପରିକି ସେମାନେ ବେଆଇନ କାର୍ଯ୍ୟ କରିବାକୁ ମଧ୍ୟ ପଛାଉନାହାନ୍ତି। ତେବେ, ସ୍ତ୍ରୀ ସରପଞ୍ଚ ଥିବାବେଳେ ସ୍ବାମୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏପରି ଏକ ଘଟଣା ଘଟିଛି କଣିହାଁ ବ୍ଲକ୍ ସୁସୁବା ପଞ୍ଚାୟତରେ। ଏହି ପଞ୍ଚାୟତର ସରପଞ୍ଚ ମାମାଲି ସାମଲଙ୍କ ସ୍ବାମୀ ଗତକାଲିଠାରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି।
ସୂଚନା ଅନୁଯାୟୀ, ସୁସୁବା ପଞ୍ଚାୟତରେ ମନରେଗା କାର୍ଯ୍ୟକୁ କେନ୍ଦ୍ରକରି ପିଇଓ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ଓ ସରପଞ୍ଚଙ୍କ ସ୍ୱାମୀ ଶିଶିର ସାମଲଙ୍କ ମଧ୍ୟରେ ଗୁରୁବାର ଯୁକ୍ତିତର୍କ ହୋଇଥିଲା। ପଞ୍ଚାୟତର ବୈଠକ ହେବ ବୋଲି ଗତକାଲି ସରପଞ୍ଚ ନୋଟିସ୍ ଦେଇଥିଲେ। ଗତକାଲି ଅପରାହ୍ନରେ ଶିଶିର ସାମଲ ପଞ୍ଚାୟତ ପିଅନ ରବି ଚନ୍ଦ୍ର ମହାନ୍ତିଙ୍କଠାରୁ ଚାବିପେନ୍ଥା ଛଡ଼ାଇନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ନୂଆ ତାଲା ପକାଇ ପଳାଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟରେ କାହାକୁ ପୂରାଇ ଦିଆଯିବ ନାହିଁ ବୋଲି କହିଥିଲେ। ଆଜି ପଞ୍ଚାୟତ ବୈଠକ ଥିବାରୁ ୱାର୍ଡସଭ୍ୟମାନେ ଦିନ ୧୦ଟାବେଳେ ପହଞ୍ଚି ଫାଟକରେ ତାଲା ପଡ଼ିଥିବା ଦେଖିଥିଲେ। ପିଇଓ ଶ୍ରୀ ପ୍ରଧାନ ପହଞ୍ଚିଥିଲେ। ସମସ୍ତେ ଫାଟକ ସମ୍ମୁଖରେ ଛିଡ଼ା ହୋଇ ରହିଥିଲେ।
ଏ ସଂପର୍କରେ ପିଇଓ ଶ୍ରୀ ପ୍ରଧାନ, ୱାର୍ଡସଭ୍ୟ ଡ. ଦୋଳ ଗୋବିନ୍ଦ ସାହୁ, ସ୍ୱର୍ଣ୍ଣମୟୀ ଦାସ, ବୁଦ୍ଧଦେବ ସାହୁ, ବାସନ୍ତୀ ବେହେରା ପ୍ରମୁଖ ବିଡିଓଙ୍କୁ ଅଭିଯୋଗ କରିଥିଲେ। ପଞ୍ଚାୟତର କୌଣସି କାର୍ଯ୍ୟ ପାଇଁ ଗ୍ରାମସଭା ହେଉନାହିଁ ଓ ୱାର୍ଡସଭ୍ୟମାନଙ୍କୁ କାର୍ଯ୍ୟ ସମ୍ପର୍କରେ କୌଣସି ସୂଚନା ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ। ଏହି ଘଟଣାକୁ ଅଞ୍ଚଳବାସୀ ତୀବ୍ର ନିନ୍ଦା କରିବା ସହ ଏ ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି। ଏ ସଂପର୍କରେ କଣିହାଁ ବିଡିଓ ନିଶାନ ମିଶ୍ରଙ୍କୁ ପଚାରିବାରୁ ସୁସୁବା ପଞ୍ଚାୟତ କାର୍ଯ୍ୟାଳୟରେ କେହି ତାଲା ପକାଇଥିବା ତାଙ୍କ ନଜରକୁ ଆସିଛି ବୋଲି କହିଛନ୍ତି। ସରପଞ୍ଚଙ୍କୁ ଚିଠି ଦିଆଯାଇଛି। ଆସନ୍ତାକାଲି ସୁଦ୍ଧା ପଞ୍ଚାୟତ କାର୍ଯ୍ୟାଳୟ ତାଲା ନଖୋଲିଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।