କମର୍ଦ୍ଦା: ଗୁରୁବାର ଦିନ ସବୁ ପଞ୍ଚାୟତ ଗୁଡ଼ିକରେ ନବନିର୍ବାଚିତ ସରପଞ୍ଚମାନେ ପ୍ରାକ୍ତନ ସରପଞ୍ଚଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବା ସହ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ କସବା କମର୍ଦ୍ଦା ଗ୍ରାମ ପଞ୍ଚାୟତରେ ଏକ ନିଆରା  ଦୃଶ୍ୟ ଦେଖିବାକୁ ମିଳିଛି। ନୂତନ ସରପଞ୍ଚ ଭାବେ ପତିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ପତ୍ନୀ।

Advertisment

ଉକ୍ତ ପଞ୍ଚାୟତରେ ଅଢ଼େଇ ବର୍ଷ ପୂର୍ବରୁ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅକାଳ ବିୟୋଗ ଯୋଗୁ ଉପନିର୍ବାଚନରେ ଉମାକାନ୍ତ ପ୍ରଧାନ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପତ୍ନୀ ଦେବୀରାଣୀ ପ୍ରଧାନ ସରପଞ୍ଚ ଭାବେ ବିଜୟୀ ହୋଇଥିବା ବେଳେ ଆଜି ତାଙ୍କ ପତିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ଏହି କ୍ରମରେ ଅନୁଷ୍ଠିତ ଏକ ସଭାରେ ସମାଜସେବୀ ଲକ୍ଷ୍ମୀ ନାରାୟଣ ପାଳ ସଭାପତିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁଲିନ କୁମାର ପରିଡ଼ା, ଚିତ୍ତରଞ୍ଜନ ଦାସ, ନିର୍ମଳ କୁମାର ଭଞ୍ଜ, ବଙ୍କିମ ଜେନା, ଶ୍ରୀଧର ସିଂ, ସରୋଜ କୁମାର ମହାନ୍ତି, ପରେଶ କୁମାର ଭଞ୍ଜ, ଅଂଶୁମାନ ରାଉତ, ଜନ୍ମେଜୟ ପଣ୍ଡା, ଶଙ୍କର ନନ୍ଦଙ୍କ ସହ ସମସ୍ତ ନିର୍ବାଚିତ ସଭ୍ୟ/ସଭ୍ୟା ଉପସ୍ଥିତ ରହି ନୂତନ ସରପଞ୍ଚଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ନୂତନ ସରପଞ୍ଚ ତାଙ୍କର ପତିଙ୍କ କାର୍ଯ୍ୟକାଳରେ ଅଧୁରା ରହି ଯାଇଥିବା କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।