ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୧୯ଖଣ୍ଡ ମୌଜାର ଚାରପାଲି ଗ୍ରାମରେ ନିଆଁରେ ପୋଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତା ମହିଳାଙ୍କ ନାମ ସୁରେଖା ଗଡ଼ତିଆ (୩୬) ଓ ତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯାଇଥିଲା। ବୁଧବାର ସନ୍ଧ୍ୟା ୬ଟାରେ ଘଟଣା ଘଟିଥିବା ବଳେ ଗୁରୁତର ଅବସ୍ଥାରେ ସୁରେଖାଙ୍କୁ ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରାତି ସାଢ଼େ ୧୦ଟା ବେଳେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଅନ୍ୟପଟେ ସୁରେଖାଙ୍କ ସ୍ୱାମୀ ନରେଶ ଗଡ଼ତିଆ ନିଆଁ ଲିଭାଇବାକୁ ଚେଷ୍ଟା କରିବାରେ ତାଙ୍କ ହାତ, ମୁହଁ ଓ ଛାତି ପୋଡି ଯାଇଛି। ସେ ଗୁରୁତର ଅବସ୍ଥାରେ ଝାରସୁଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ କଣ୍ଡେଇକେଲା ଫାଣ୍ଡି ଅଧିକାରୀ ସୁଶାନ୍ତ କିଷାନ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ନରେଶଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ମଧ୍ୟ ସେ ସ୍ପଷ୍ଟ ଭାବେ କିଛି କହି ପାରି ନଥିଲେ।। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ତେବେ ଫାଣ୍ଡି ଅଧିକାରୀ ଶ୍ରୀ କିଷାନଙ୍କ କହିବା ଅନୁସାରେ ସୁରେଖାଙ୍କ ଦେହରୁ କିରାସିନି ଗନ୍ଧ ଆସୁଥିଲା। ରୋ‌ଷେଇ କରିବା ବେଳେ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି।