ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି। ଆଜି ସ୍ବର୍ଗତ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି ଏସ୍ଡିଜେଏମ୍ କୋର୍ଟର ଦ୍ବାରସ୍ଥ ହୋଇ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଅନ୍ୟ ତିନି ଜଣ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ନିବେଦନ କରିଛନ୍ତି। ମାନ୍ୟବର ଅଦାଲତ ଏହି ପିଟିସନ୍କୁ ବିଚାର ପାଇଁ ଗ୍ରହଣ କରି ଆଗାମୀ ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।
ଗତବର୍ଷ ଡିସେମ୍ବର ୨୭ ତାରିଖ ଦିନ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ୍ ନିକଟରୁ ମିଳିଥିଲା। ପ୍ରଥମେ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଭାବେ ଅପମୃତ୍ୟୁ ମାମଲାରୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏଭଳିକି ତଦନ୍ତ ବେଳେ ପୁଲିସ କୁଆଡ଼େ ସ୍ବର୍ଗତ ପଣ୍ଡାଙ୍କ ପରିବାରକୁ ଧମକଚମକ ଦେଉଥିବା ନେଇ ବି ଅଭିଯୋଗ ହୋଇଥିଲା। ଦୀର୍ଘ ଦିନ ପରେ ବି ପୁଲିସ ତଦନ୍ତରେ ଆଶାଜନକ ସଫଳତା ନ ମଳିବା ପରେ ଏହାକୁ ନେଇ ପୁଲିସର ଭୂମିକା ଉପରେ ବି ପ୍ରଶ୍ନ ଉଠାଇଥିଲେ ପରିବାର। ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ବି ଜିଲ୍ଲାବନ୍ଦ ଆନ୍ଦୋଳନ କରାଯିବା ସହ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ଏଭଳିକି ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମଧ୍ୟ ଜିଲ୍ଲାପାଳଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଏତଲାକୁ ପୁଲିସ ଗ୍ରହଣ କରିଥିଲେ ହେଁ ମକଦ୍ଦମା ରୁଜୁ କରି ନ ଥିଲା। ତେଣୁ ସ୍ବର୍ଗତ ପଣ୍ଡାଙ୍କ ପରିବାର ନ୍ୟାୟ ପାଇଁ ପୁଲିସ ଓ ପ୍ରଶାସନର ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ଆଜି ଏସଡିଜେଏମ୍ଙ୍କ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ସ୍ବର୍ଗତ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ପୁଲିସର ତଦନ୍ତକୁ ସନ୍ଦେହ କରିବା ସହ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭି. କେଣୁ, ପ୍ରକାଶ ଚନ୍ଦ୍ର ସ୍ବାଇଁ ଓ ଭଗବାନ ପାଣିଗ୍ରାହୀଙ୍କ ବିରୋଧରେ ୧୦୦ ପୃଷ୍ଠାର ଏକ ଅଭିଯୋଗପତ୍ର ଦାଖଲ କରିବା କରିଛନ୍ତି। କୋର୍ଟ ଏହି ଅଭିଯୋଗ ୧ସିସି କେଶ୍ ନମ୍ବର ୨୦/୨୦କୁ ଗ୍ରହଣ କରିଛନ୍ତି।
ପୁଲିସର ତଦନ୍ତକୁ ନେଇ ସ୍ବର୍ଗତ ପଣ୍ଡାଙ୍କ ପରିବାର ମୂଳରୁ ହିଁ ସନ୍ଦେହ କରିଆସୁଥିଲେ। ଭିସେରା ରିପୋର୍ଟ ପାଇଁ ପରିବାର ଲୋକେ ଥାନା ଓ ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ବି ରିପୋର୍ଟ ପ୍ରଦାନ କରାଯାଇନଥିଲା। ଘଟଣାକୁ ଚପାଇ ଦେବାକୁ ପୁଲିସ ପକ୍ଷରୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଘଟଣାର ୧୦ମାସ ପରେ ବି ନ୍ୟାୟ ନମିଳିବା ପରେ ବାଧ୍ୟ ହୋଇ ନ୍ୟାୟପାଳିକାର ଆଶ୍ରୟ ନେଇଥିଲେ। ଏହାର ଶୁଣାଣି ଆସନ୍ତା ୧୧ତାରିଖରେ ରହିଥିବା ସୂଚନା ମିଳିଛି। ପୂର୍ବରୁ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ଜାତୀୟ ମାନବଧିକାର କମିସନ ବି ହସ୍ତକ୍ଷେପ କରିଛନ୍ତି। ଏନଏଚଆରସିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୁଲିସ ଏହାର ତଦନ୍ତ ଦାୟିତ୍ବ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ପ୍ରଦାନ କରିଛନ୍ତି। ଡିଆଇଜି ସଫିନ୍ ଅହମ୍ମଦ କେ. ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଡିଆଇଜି ପ୍ରଥମ ଦଫା ତଦନ୍ତ କରିଥିଲେ ହେଁ ଛୁଟିରେ ରହିଥିବା ଯୋଗୁଁ ତଦନ୍ତ ଆଗେଇ ପାରିନଥିବା କହିଛନ୍ତି।
ପ୍ରକାଶ ଥାଉକି, ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ଦୁର୍ନୀତି ଅଭିଯୋଗ ରହି ଆସିଛି। ଜିଲ୍ଲାପାଳଙ୍କ ଦୁର୍ନୀତିକୁ କଂଗ୍ରେସ ପ୍ରମୁଖ ପ୍ରସଙ୍ଗ କରି ଆସିଛି। ସ୍ବର୍ଗତ ପଣ୍ଡାଙ୍କୁ ଜିଲ୍ଲାପାଳ ବିଭିନ୍ନ ସମୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସ୍ବର୍ଗତ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡାଙ୍କ କହିବା ଅନୁଯାୟୀ, ଗତ ୨୦ବର୍ଷ ମଧ୍ୟରେ ତାଙ୍କ ସ୍ବାମୀଙ୍କୁ କୌଣସି ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ କରି ନ ଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେଉଥିବା ଦୁର୍ନୀତିକୁ ସେ ବୋଧହୁଏ ଅବଗତ ହୋଇଯାଇଥିବାରୁ ତାଙ୍କୁ ସମସ୍ତେ ମିଶି ମାରିଦେଇଥିବା ସେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିସି କ୍ୟାମେରାର ଚିତ୍ରକୁ ଟ୍ୟାମ୍ପରିଂ କରାଯାଇଥିବା ସେ ଅଭିଯୋଗ କରିବା ସହ ଜିଲ୍ଲାପାଳ ତାଙ୍କ ସ୍ବାମୀଙ୍କ ଉପରକୁ ହାତ ଉଠାଇଥିବା ବି କହିଛନ୍ତି। ଏହାର ଉଚିତ ତଦନ୍ତ ହେଲେ ହତ୍ୟାର ରହସ୍ୟ ଖୋଲିବ ବୋଲି ସେ ଆଶା ରଖିଛନ୍ତି।