ସ୍ବାମୀଙ୍କ ଦୋକାନ ଆଗରେ ପତ୍ନୀଙ୍କ ଧାରଣା: ଉଭୟ କୋର୍ଟଚାଲାଣ

ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବଜାରରେ ଥିବା ସ୍ବାମୀଙ୍କ ପୋଷାକ ଦୋକାନ ସମ୍ମୁଖରେ ପତ୍ନୀ ଆଜି ପୁଣି ଧାରଣାରେ ବସିଥିଲେ। ବିବାହ ବିଚ୍ଛେଦ ନେଇ କୋର୍ଟରେ ମାମଲା ବିଚରାଧୀନ ଥିବା ବେଳେ ଭରଣ ପୋଷଣ ନଦେଇ ତାଙ୍କ ସ୍ବାମୀ ଅନ୍ୟତ୍ର ବିବାହ କରିଥିବା ସେ ଅଭିଯୋଗ ଉଠାଇଥିଲେ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଏଠାରେ ବସି ରହିବେ କହିଥିଲେ। ଖବର ପାଇ ପୁଲିସ୍‌ ଉକ୍ତ ମହିଳାଙ୍କୁ ଥାନାକୁ ଧରି ନେଇଥିଲେ। ପରେ ସ୍ବାମୀଙ୍କୁ ଥାନାକୁ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। ଏହା ସଫଳ ନହେବାରୁ ପୂର୍ବ ମାମଲା ଆଧାରରେ ଉଭୟ ସ୍ବାମୀସ୍ତ୍ରୀଙ୍କୁ ପୁଲିସ୍‌ ଆଜି ସଂଧ୍ୟାରେ କୋର୍ଟଚାଲାଣ କରିବା ଘଟଣା  ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ମାଳଦା ଗ୍ରାମର ସ୍ବର୍ଗତ ରାହାସ ବିହାରୀ ସାହୁଙ୍କ ଝିଅ ଡଲିସ୍ମିତା ଗତବର୍ଷ ମାର୍ଚ୍ଚ ୧୨ତାରିଖରେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅରବିନ୍ଦ ରାମ୍‌ଙ୍କୁ ଜାରକା ନିକଟ ଗୋକର୍ଣ୍ଣେଶ୍ବର ମନ୍ଦିରରେ ବୈଦିକ ରୀତିରେ ବିବାହ କରିଥିଲେ।  ବିବାହର ୪ମାସ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ଡଲି ବିଧବା ମା’ଙ୍କ ସହିତ ରହୁଛନ୍ତି। ସ୍ବାମୀ ଅରବିନ୍ଦ ଅନ୍ୟତ୍ର ବିବାହ କରିଥିବା ଖବର ପାଇ ଡଲି ନ୍ୟାୟ ପାଇବା ପାଇଁ ଆଜି ଜାରକା ଉପର ବଜାରରେ ଥିବା ସ୍ବାମୀଙ୍କ ଡ୍ରେସ୍‌ ଦୋକାନ ସମ୍ମୁଖରେ ଧାରଣାରେ ବସିଥିଲେ।  ଦୋକାନ ମାଲିକ ତଥା ଅରବିନ୍ଦଙ୍କ ବଡଭାଇ ଶୁଭେନ୍ଦୁ କୁମାର ରାମ ଧର୍ମଶାଳା ଥାନାରେ ଜଣାଇଥିଲେ। ଗତ ଜାନୁଆରି ୭ତାରିଖରେ ମଧ୍ୟ ଡଲି ନିଜ ମା’ଙ୍କ ସହିତ ଦୋକାନ ସାମନାରେ ଧାରଣା ଦେଇଥିଲେ।

ସମ୍ବନ୍ଧିତ ଖବର