ଜଟଣୀ: କୁହାଯାଏ, ମଲା ପରେ କିଏ କାହା ପଛରେ ଗୋଡ଼ାଇ ଯାଏନାହିଁ। ଦିନେ, ଅଧେ କାନ୍ଦିବା ପରେ ସମସ୍ତେ ମୃତକଙ୍କୁ ଭୁଲି ପୁଣି ଜୀବନଯାତ୍ରାକୁ ଆଦରି ନିଅନ୍ତି। କିନ୍ତୁ ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ସୋନା। ସ୍ବାମୀଙ୍କ ଜୁଇ ନ ଲିଭୁଣୁ, ସୋନା ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଦିକ୍‌ ଦିକ୍‌ ହୋଇ କୁହୁଳୁଥିବା ସ୍ବାମୀଙ୍କ ଜୁଇରେ ସୋନାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ହାଇଟେକ୍‌ ହସ୍ପିଟାଲ୍‌ ଏସି ବିସ୍ଫୋରଣରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଏସି ‌ମେକାନିକ୍‌ ଦିଲୀପ ସାମନ୍ତରାୟଙ୍କ ସ୍ତ୍ରୀ ସୌମ୍ୟାଶ୍ରୀ ଓରଫ୍ ସୋନା ଆଜି ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ବାମୀଙ୍କ ପଛେପଛେ ଦୁନିଆରୁ ବିଦାୟ ନେଇଛନ୍ତି। ଆଜି ସକାଳୁ ଏହି ହୃଦୟବିଦାରକ ଖବର ପ୍ରଚାରିତ ହେବା ପରେ ଜଟଣୀ‌ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

Advertisment

ଗତ ୨୯ ତାରିଖ ଦିନ ହାଇଟେକ୍‌ ହସ୍ପିଟାଲ୍‌ରେ ଏସି ମରାମତି କରୁଥିବା ବେଳେ କ‌ମ୍ପ୍ରେସର୍ ବିସ୍ଫୋରଣ ହୋଇଥିଲା। ଫଳରେ ଏସି ମେକାନିକ୍‌ ଜଟଣୀ ନିକଟ ହରିରାଜପୁର ବଅଙ୍ଗ ଗାଁର ଦିଲୀପ ଗୁରୁତର ହୋଇଥିଲେ। ତାଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ବେଳେ ଗୋଟିଏ ଗୋଡ଼ ବେଶି ପ୍ରଭାବିତ ହୋଇଥିଲା। ୨ ଦିନ କାଳ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ସେ ଗତକାଲି ଆଖି ବୁଜିଦେଇଥିଲେ। ଦୁର୍ଘଟଣା ପରଠୁ ସ୍ତ୍ରୀ ସୋନା ସମ୍ପୁର୍ଣ୍ଣ ଭାଙ୍ଗିପଡ଼ିଥିଲେ। ଗତକାଲି ଦିଲୀପଙ୍କ ମରଶରୀର ଗାଁକୁ ଆସିଥିଲା ଏବଂ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ସୋନାଙ୍କ ଅବସ୍ଥା ପୂରା ବିଗିଡ଼ିଯାଇଥିଲା। ସେ ମୂକ ହୋଇଯାଇଥିଲେ। ତେଣୁ ତାଙ୍କ ବାପା ତାଙ୍କୁ ଗତକାଲି ରାତିରେ ହିଁ ନିଜ ପାଖକୁ ନୂଆଗାଁ ଗାନ୍ଧୀନଗର ନେଇଆସିଥିଲେ। କିଛି ଦିନ ବାପଘରେ ରହିବା ପରେ ହୁଏତ ସୋନାଙ୍କ ଦୁଃଖ କିଛିଟା କମିଯିବ ବୋଲି ସମସ୍ତେ ଭାବିଥିଲେ।

ଗତକାଲି ରାତିରେ ବାପଘର ଲୋକଙ୍କ ସହ ପଡ଼ୋଶୀମାନେ ତାଙ୍କୁ ବହୁ ବୁଝାସୁଝା କରିଥିଲେ। କିନ୍ତୁ ସମସ୍ତଙ୍କ ସବୁ ଅନୁମାନକୁ ଭୁଲ ପ୍ରମାଣିତ କରିଦେଲେ ସେ। ଆଜି ଭୋର୍‌ ସମୟରେ ସେ ଶୋଇବା ଘର ଫ୍ୟାନ୍‌ରେ ଝୁଲିପଡ଼ିଲେ। ପରିବାର ଲୋକେ ଉଠିବା ବେଳକୁ ସୋନା ଆଉ ଦୁନିଆରେ ନଥିଲେ। ବଞ୍ଚିଥିବା ଭାବି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ବାପଘର ଲୋକଙ୍କ ଉପସ୍ଥିତିରେ ଶ୍ବଶୁର ଘର ଲୋକଙ୍କୁ ହସ୍ତାନ୍ତର କରିଥିଲା। ବଅଙ୍ଗ ଗାଁ ମଶାଣିରେ ସ୍ବାମୀଙ୍କ ଚିତାରେ ସୋନାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ସୋନା ମା’ ଛେଉଣ୍ଡ ଥିଲେ। ଗତ ଦୁଇ ବର୍ଷ ତଳେ ସୋନା ଓ ଦିଲୀପଙ୍କର ବିବାହ ହୋଇଥିଲା। ସେମାନଙ୍କର କୌଣସି ସନ୍ତାନସନ୍ତତି ନଥିଲେ।