ବୈଶିଙ୍ଗାରେ ଯୁବକଙ୍କୁ କଚାଡ଼ିଲା ଦନ୍ତା, କବିସୂର୍ଯ୍ୟନଗରରେ ଭାଲୁ ବୁଲିଲା

କବିସୂର୍ଯ୍ୟନଗର: ଜଙ୍ଗଲ କ୍ଷୟ ଯୋଗୁଁ ଜଙ୍ଗଲୀ ଜୀବଜନ୍ତ ଗାଁ ପରେ ସହରାଭିମୁଖୀ ହେଉଛନ୍ତି। ମୟୂରଭଂଜ ଜିଲ୍ଲା ବୈଶିଙ୍ଗାରେ ଆଜି ଏକ ଦନ୍ତା ଜଣେ ଯୁବକଙ୍କୁ କଚାଡ଼ି ଜୀବନ ନେଇଛି। ଅନ୍ୟପଟରେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଲୋକେ ଭାଲୁ ବୁଲୁଥିବା ଦେଖିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡ଼ିଆ ସାପ୍ତାହିକ ହାଟରୁ ସଉଦା କରି ବାଇକ୍‌ରେ ଫେରୁଥିବା ସମୟରେ ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ। ମୃତ ଯୁବକ ହେଲେ ଆମ୍ବଗଡ଼ିଆ ଶିମିଳିସାହିର ଶିବା ସିଂଙ୍କ ପୁଅ ବିଶୁ ଓରଫ ରେପା (୩୨)। ସୂଚନା ଅନୁଯାଇ ଆଜି ଅପରାହ୍ନରେ ଆମ୍ବଗଡ଼ିଆ ଉପକଣ୍ଠ ପଡ଼ିଆରେ ସାପ୍ତାହିକ ହାଟ ଚାଲିଥିବା ବେଳେ ହଠାତ୍‌ ଏକ ଦନ୍ତାହାତୀ ହାଟ ଭିତରକୁ ପଶି ଆସିଥିଲା। ଏତେବଡ଼ ଦନ୍ତାକୁ ଦେଖି ଦୋକାନୀ ଓ ଗ୍ରାହକମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ି ପଳାଇଥିଲେ। ହାତୀଟି ହାଟ ଭିତରେ ବୁଲି ବୁଲି ପନିପରିବା ଖାଇବା ସହ ଅସ୍ଥାୟୀ ଚାଳଘରଗୁଡ଼ିକୁ ଭାଙ୍ଗି ଦେଇଥିଲା। ସାହାଯ୍ୟ ଆଶାରେ ସ୍ଥାନୀୟ ଲୋକ ବେତନଟୀ ବନବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଫୋନ କରିଥିଲେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ କାହାର ଦେଖାନଥିଲା। ଏପଟେ ହାତୀଟି ଅନାୟାସରେ ହାଟ ଭିତରେ ଉତ୍ପାତ କରିବା ପରେ ଆମ୍ବଗଡିଆ-ବୈଶିଙ୍ଗା ମୁଖ୍ୟ ରାସ୍ତା ଉପରକୁ ଉଠି ଆସିଥିଲା। ଏହି ସମୟରେ ବିଶୁ ଓ ତାଙ୍କ ସାଥୀ ବିଘ୍ନେଶ ମହାନ୍ତ ବାଇକ୍‌ରେ ସେହି ରାସ୍ତାରେ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଦନ୍ତାଟି ବିଶୁଙ୍କୁ ଶୁଣ୍ଢରେ ଭିଡ଼ି ନେଇ ରାସ୍ତା ଉପରେ କଚାଡ଼ି ମାରି ଦେଇଥିଲା। ଶତାଧିକ ଲୋକ ଏହି ଦୃଶ୍ୟ ଦେଖୁଥିଲେ ବି ଉନ୍ମତ୍ତ ହାତୀ କବଳରୁ ବିଶୁଙ୍କୁ ରକ୍ଷା କରିପାରିନଥିଲେ। ତେବେ ବାଇକ୍‌ରେ ଥିବା ବିଘ୍ନେଶ କୌଣସି ମ‌ତେ ଜୀବନ ବଞ୍ଚାଇ ଦୂରକୁ ଦୌଡ଼ି ପଳାଇ ଆସିଥିଲେ। ରକ୍ତମୁଖା ହାତୀଟି ବିଶୁଙ୍କୁ କଚାଡ଼ି ମାରିବା ପରେ ବାଇକ୍‌ଟିକୁ ମଧ୍ୟ ଭାଙ୍ଗି ଦେଇଥିଲା। ଲୋକଙ୍କ ହୋହାଲ୍ଲା ପରେ ଦନ୍ତାଟି ଘଟଣାସ୍ଥଳରୁ ପଳାଇଯିବା ପରେ ବିଶୁଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନା ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବିଧାୟକ ସନାତନ ବିଜୁଳି, ବିଜେପି ନେତା ରତିକାନ୍ତ ମହାନ୍ତ, ବିଜେଡିର ଯୁବ ସଂଗଠକ ଲଲାଟେନ୍ଦୁ ବେହେରା ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ପ୍ରଦାନ ପାଇଁ ଡିଏଫ୍‌ଓଙ୍କ ସହ କଥା ହୋଇଛନ୍ତି। ଆସନ୍ତାକାଲି ବିଶୁଙ୍କ ଶବ ବ୍ୟବଛେଦ ହେବ ବୋଲି କହିଛି ବୈଶିଙ୍ଗା ପୁଲିସ। ସୂଚନାଯୋଗ୍ୟ; ବିଶୁଙ୍କର ୨ଟି ଛୋଟ ଛୋଟ ପୁତ୍ରସନ୍ତାନ ଅଛନ୍ତି।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୁରୁଣା ଥାନା ନିକଟରେ ଥିବା ଏକ କାର୍‌ ଗ୍ୟା‌ରେଜ୍ ପାର୍ଶ୍ବରେ ଗତକାଲି ରାତିରେ ଏକ ଭାଲୁ ଦେଖିବାକୁ ମିଳିଛି। ଭାଲୁଟି ନିକଟ ଜଙ୍ଗଲରୁ ଚାଲିଆସିଥିଲା। ସହରର ଜଣେ ଯୁବକ ଛତ୍ରପୁରରୁ ଫେରୁଥିବା ସମୟରେ ଭାଲୁଟିକୁ ଦେଖି ଏହାର ଏକ ଭିଡ଼ିଓ କରିବା ସହ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିଲେ। ଭାଲୁଟି ଏକ କାର୍ ନିକଟରେ ବସିଥିବା ସହ କିଛି ସମୟ ପରେ ଦୌଡ଼ି ପଳାଇଯାଉଥିବା ଦେଖିବାକୁ ମିଳିଛି। ତେବେ ଏହା ଜଣାପଡ଼ିବା ପରେ ଲୋକେ ଆତଙ୍କିତ ହୋଇଉଠିଛନ୍ତି। ବିଭିନ୍ନ କାରଣରୁ ଜଙ୍ଗଲ କ୍ଷୟ ହେଉଥିବାରୁ ହରିଣ ଓ ଭାଲୁ ଜନବସତିମୁହାଁ ହେଉଥିବା ମତପ୍ରକାଶ ପାଇଛି। ତୁରନ୍ତ ବନ ବିଭାଗ ଏନେଇ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର