ବନ୍ୟଜନ୍ତୁଙ୍କ ଶିକାର : ଶୀର୍ଷରେ ଓଡ଼ିଶା, ୨୦୧୮-୧୯ରେ ୩୩୧ ମାମଲାରେ ୧୨୭୪ ଜଣ ଗିରଫ

ଚୋରା ଚାଲଣ ରୋକିବାକୁ ଜଙ୍ଗଲରେ ପାଟ୍ରୋଲିଂ ବଢ଼ିବ

ଭୁବନେଶ୍ବର : ଓଡ଼ିଶାରେ ଅସୁରକ୍ଷିତ ହୋଇପଡିଛନ୍ତି ବନ୍ୟଜନ୍ତୁ। କଡ଼ା ସରକାରୀ କଟକଣା ଓ ଦଣ୍ଡବିଧାନର ଭୟ ସତ୍ତ୍ବେ ବନ୍ୟଜନ୍ତୁଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଗତ ୪ ବର୍ଷ ହେଲା ରାଜ୍ୟର କୋଣ ଅନୁକୋଣରେ ବନ୍ୟଜନ୍ତୁଙ୍କ ଶିକାର ବଢ଼ିଚାଲିଛି। କେତେବେଳେ ଦାନ୍ତ ନେବା ପାଇଁ ହାତୀଙ୍କୁ ହତ୍ୟା କରାଯାଉଛି ତ ଆଉ କତେବେଳେ ବଜ୍ରକାପ୍ତା ଚୋରା ଚାଲାଣ ହେଉଛି। ଏବେ ଅନ୍ତର୍ଜାତୀୟସ୍ତରର ଚୋରା ବେପାରୀଙ୍କ ଲୋଲୁପ ଦୃଷ୍ଟି ମଧ୍ୟ ଓଡିଶା ଉପରେ ପଡ଼ିଲାଣି। ଓଡିଶାରୁ ଚୀନ, ନେପାଳ, ଭିଏତନାମ ଆଦି ଦେଶକୁ ବନ୍ୟଜନ୍ତୁଙ୍କ ଦାନ୍ତ, ଚମଡ଼ା ଆଦି ରପ୍ତାନି ହେଉଥିବା ‌ନେଇ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି। ଏହାକୁ ରୋକିବା ଲାଗି ଆକ୍ସନ ପ୍ଲାନ ପ୍ରସ୍ତୁତ ସହ ଜଙ୍ଗଲରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି।

ବନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୪ ବର୍ଷ ହେଲା ଓଡ଼ିଶାରେ ବନ୍ୟଜନ୍ତୁଙ୍କ ଶିକାର ବଢୁଛି। ସେହି ଅନୁଯାୟୀ ଅପରାଧୀ ବି ଧରାହେଉଛନ୍ତି। ୨୦୧୧-୧୨ରେ କେବଳ ହାତୀ ଶିକାର ଘଟଣାରେ ୮ଟି ମାମଲା ହୋଇଥିବା ବେଳେ ୩୨ ଜଣ ଗିରଫ ହୋଇଥିଲେ। ଏହି ବର୍ଷ ଅନ୍ୟ ଜୀବଜନ୍ତୁଙ୍କୁ ଶିକାର କରିବା ଅଭିଯୋଗରେ ୫୪ଟି ମାମଲା ଓ ୧୫୯ ଜଣ ଗିରଫ ହୋଇଛନ୍ତି। ସେହିପରି ୨୦୧୨-୧୩ରେ ହାତୀଙ୍କ କ୍ଷେତ୍ରରେ ୧୨ଟି ମାମଲା ହୋଇଥିବା ବେଳେ ୨୩ ଜଣ ଗିରଫ ହୋଇଥିଲେ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କୁ ହତ୍ୟା କରିବା ଘଟଣାରେ ୧୦୪ଟି ମାମଲାରେ ୧୭୪ ଜଣ ଗିରଫ ହୋଇଛନ୍ତି। ୨୦୧୧-୧୨ ତୁଳନାରେ ୨୦୧୨-୧୩ରେ ମୋଟ ମାମଲା ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଥିଲା। ହେଲେ ଅପରାଧୀଙ୍କ ଗିରଫ ସଂଖ୍ୟାରେ ସେତେଟା ବୃଦ୍ଧି ଘଟି ନଥିଲା‌। ଅନୁରୂପ ଭାବରେ ୨୦୧୩-୧୪ରେ ୧୭୩ଟି ମାମଲା ହୋଇଥିବାବେଳେ ୩୫୫ ଜଣ ଗିରଫ ହୋଇଥିଲେ। ୨୦୧୪-୧୫ରେ ମୋଟ ୧୮୭ଟି ମାମଲା ହୋଇଥିବା ବେଳେ ୩୯୦ ଜଣ ଗିରଫ ହୋଇଥିବା ସୂଚନା ମିଳିଛି।

ତେବେ ଏହାପରେ ବନ୍ୟଜନ୍ତୁଙ୍କ ଶିକାର ବହୁ ପରିମାଣରେ ବୃଦ୍ଧି ପାଇଛି। ୨୦୧୫-୧୬ରେ ମୋଟ ୨୩୮ଟି ମାମଲା ହୋଇଥିବା ବେଳେ ୭୦୫ ଜଣ ଗିରଫ ହୋଇଥିଲେ। କେବଳ ହାତୀ ଶିକାର ପାଇଁ ୮ଟି ମାମଲା ହେବା ସହ ୫୬ଜଣ ଗିରଫ ହୋଇଥିଲେ। ତେବେ ଅନ୍ୟ ବନ୍ୟଜନ୍ତୁଙ୍କ ଶିକାର ଚିନ୍ତାଜନକ ରହିଥିଲା। ୨୩୦ଟି ମାମଲାରେ ୬୪୯ ଜଣଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ମାମଲା ସଂଖ୍ୟାରେ ଆଉ ହ୍ରାସ ଘଟି ନାହିଁ। ବରଂ ବଢ଼ି ଚାଲିଛି। ୨୦୧୬-୧୭ରେ ହାତୀଙ୍କ କ୍ଷେତ୍ରରେ ୭ଟି ମାମଲା ହୋଇଥିବା ବେଳେ ୧୪ ଜଣ ଗିରଫ ହୋଇଥିଲେ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ଶିକାର ପାଇଁ ୨୬୨ଟି ମାମଲା ହୋଇଥିବା ବେଳେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୫୨୩ ରହିଥିଲା। ୨୦୧୭-୧୮ରେ ମୋଟ ୨୫୬ଟି ମାମଲା ମଧ୍ୟରୁ ହାତୀ ପାଇଁ ୮ ଓ ଅନ୍ୟାନ୍ୟ ପାଇଁ ୨୪୮ଟି ମାମଲା ହୋଇଥିଲା। ସେହି ଅନୁଯାୟୀ ହାତୀ ଶିକାର ପାଇଁ ୧୧ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଶିକାର ପାଇଁ ୪୬୩ ଜଣ ଗିରଫ ହୋଇଥିଲେ।

ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ୨୦୧୮-୧୯ରେ ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଶିକାର ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ହାତୀ ଶିକାର ପାଇଁ ୨୧ଟି ମାମଲା ହୋଇଥିବା ବେଳେ ୩୧୦ ଜଣ ଗିରଫ ହୋଇଥିଲେ। ଅନ୍ୟାନ୍ୟ ବନ୍ୟଜନ୍ତୁ ଶିକାର ଲାଗି ୩୮ଟି ମାମଲା ହୋଇଥିବା ବେଳେ ୧୨୩୬ ଜଣ ଗିରଫ ହୋଇଥିଲେ। ମୋଟ ଉପରେ ଉକ୍ତ ବର୍ଷକ ମଧ୍ୟରେ ୩୩୧ଟି ମାମଲା ହୋଇଥିବା ବେଳେ ୧୨୭୪ ଜଣ ଗିରଫ ହୋଇଥିଲେ। ଏହି ବର୍ଷ ସବୁଠାରୁ ଅଧିକ ହାତୀ ବି ଓଡ଼ିଶାରେ ମରିଥିବାରୁ ଜାତୀୟସ୍ତରରେ ଚର୍ଚ୍ଚା ହୋଇଥିଲା।

ପିସିସିଏଫ(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ଗତକାଲି ୱାଇଲ୍ଡଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ୍‌ ବ୍ୟୁରୋର ପୂର୍ବାଞ୍ଚଳ ବୈଠକ ଭୁବନେଶ୍ବରରେ ହୋଇଥିଲା। ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଜଙ୍ଗଲରେ ଥିବା ଗାର୍ଡ ଓ ଫରେଷ୍ଟରମାନଙ୍କୁ ନିୟମିତ ଭାବେ ତାଲିମ ଦିଆଯିବ। ଶିକାରୀ ନୂଆ ନୂଆ ତରିକା ଆପଣାଉଥିବାରୁ ତାହାର କିଭଳି ମୁକାବିଲା କରାଯିବ ସେନେଇ ଆଲୋଚନା ହୋଇଛି। ପୁଲିସ ଓ ଗୁଇନ୍ଦା ସହଯୋଗରେ ଏଣିକି ନଜର ରଖାଯିବ। ବିଦେଶୀକୁ ଚୋରା ଚାଲଣ ନେଇ ଅଭିଯୋଗ ହେବା କ୍ଷଣି ୱାଇଲ୍ଡଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ‌କୁ ସୂଚନା ଦିଆଯିବ। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର