ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥରେ ବଢ଼ୁଛି ବନ୍ୟଜନ୍ତୁଙ୍କ ଦୁର୍ଘଟଣାଜନିତ ମୃତ୍ୟୁ!

ବଲାଙ୍ଗୀର: ଜନବସତି ମୁହାଁ ବନ୍ୟଜନ୍ତୁ । କେଉଁଠି ବି ସେମାନେ ସୁରକ୍ଷିତ ବି ନାହାନ୍ତି । କେତେବେଳେ ବନ୍ୟଜନ୍ତୁ ହତ୍ୟାର ଶିକାର ହେଉଛନ୍ତି ତ ଆଉ କେତେବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥରେ । ଦୁର୍ଘଟଣାର ଶିକାର ହୋଇଥିବା ଏକ ହନୁମାଙ୍କଡ଼କୁ କୁକୁର ଝୁଣି ଖାଉଥିବାର ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି । କୁକୁର ମୁହଁରେ ମାଙ୍କଡ଼ ସତେ ଯେଭଳି ଏକ ପରିବେଶ ନଷ୍ଟକୁ ନେଇ ଏକ ସମ୍ବେଦନଶୀଳ ଚିତ୍ର ପ୍ରଦର୍ଶନ କରିଛି ।
ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥ । ଦୁର୍ଘଟଣା ନିତିଦିନିଆ ଘଟଣା । ବହୁ ଜୀବନ ରାସ୍ତା ଉପରେ ଗଲାଣି । ଦୁର୍ଘଟଣାରେ କିଏ ମୃତ୍ୟୁବରଣ କଲେ ଜାତୀୟ ରାଜପଥ ଜାମ ହୋଇଯାଏ । ଉପଜିଲ୍ଲାପାଳ କିମ୍ବା ମାଜିଷ୍ଟ୍ରେଟ୍ ଯାଇ ବୁଝାସୁଝା ପରେ ଆନ୍ଦୋଳନ ଥମିଥାଏ । କ୍ଷତିପୂରଣ ପାଇଁ ବି ଆନ୍ଦୋଳନକାରୀ ପ୍ରଶାସନ ସହ ମୁଲଚାଲ କରନ୍ତି । ହେଲେ ମାଙ୍କଡ଼ର ଦୁର୍ଘଟଣାରେ ମୃତ୍ୟୁ ପରେ ବି ସେଥିନେଇ କାହାରି ଦରଦ ନାହିଁ । ମାଙ୍କଡ଼କୁ କେହି ରାସ୍ତା କଡ଼ରୁ ନ ନେବାରୁ କୁକୁର ଶେଷରେ ରାସ୍ତାକଡ଼କୁ ନେଇ ଝୁଣି ଖାଇବା ସ୍ଥିତି ଏଠାରେ ଦେଖିବାକୁ ମିଳିଛି । ବଇରାସର, ଖାରୀ ମଧ୍ୟବର୍ତ୍ତି ଅଞ୍ଚଳରେ ଏକ ମାଙ୍କଡ଼ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିବା ପରେ ଏଭଳି କିଛି ପ୍ରଶ୍ନ ସମାଜ ଆଗରେ ଛିଡ଼ା କରିଛି । ସତରେ ବନ୍ୟଜନ୍ତୁଙ୍କ ପାଇଁ କାହାର ଦରଦ ନାହିଁ? ଏମାନଙ୍କ ସୁରକ୍ଷା କାହାର ଦାୟିତ୍ୱ? କଣ ପାଇଁ ଏଭଳି ହନୁମାଙ୍କଡ଼ମାନଙ୍କ ଅବସ୍ଥା? ମୋଟାମୋଟି କହିଲେ ମଣିଷ ମୃତ୍ୟୁରେ ନିଆଁ ଜାଳି ରାସ୍ତା ଅବରୋଧ କରୁଥିବା ଜନସାଧାରଣ ହନୁମାଙ୍କଡ଼ର ମୃତ୍ୟୁରେ ନୀରବ।

ସମ୍ବନ୍ଧିତ ଖବର