ଉଲୁଣ୍ଡା: ଜଙ୍ଗଲ ଭିତରେ ଚଳପ୍ରଚଳ କରୁଥିବା ସମୟରେ କେନାଲକୁ ଖସିପଡ଼ିଥିବା ଏକ ଜଙ୍ଗଲୀ ବାର୍ହା ଆଜି ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳାଇଛି। ଉଦ୍ଧାର କରିବାକୁ ଯାଇଥିବା ଜଣେ ବନରକ୍ଷୀ ବାର୍ହା ଆକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତ ବନରକ୍ଷୀ ହେଲେ ଆଶୁତୋଷ ହୋତା।
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଜୋରରେ ଠେଙ୍ଗୋ ଡ୍ୟାମ୍ ରହିଛି। ଏହି ଡ୍ୟାମ୍ରୁ ଚାଷ ପାଇଁ ଏକ କେନାଲ ବାହାରିଛି। ଏହି କେନାଲଟି ଉଲୁଣ୍ଡା ରେଞ୍ଜ କ୍ଷୀରପୁର ଦେଇ ଯାଇଥିବା ବେଳେ ଏକ ନିଦ୍ଦିଷ୍ଟ ସ୍ଥାନରେ ବାର୍ହାଟି ଖସି ପଡ଼ିଥିଲା। ପାଣି ଭିତରରୁ ବାହାରକୁ ଆସିବା ପାଇ ବାର୍ହାଟି ବହୁ ସଂଘର୍ଷ କରିଥିଲା। କିନ୍ତୁ ଜଳର ସ୍ରୋତ ପ୍ରଖର ଥିବାରୁ ବାର୍ହାଟି ବାହାରକୁ ଆସିପାରୁ ନ ଥିଲା। ସ୍ଥାନୀୟ ଲୋକେ ବନ ବିଭାଗର କର୍ମଚାରୀଙ୍କୁ ଏବାବଦରେ ସୂଚନା ଦେଇଥିଲେ।
ଖବର ପାଇଁ ବନ କର୍ମଚାରୀ ଆଶୁତୋଷ ହୋତା ଘଟଣାସ୍ଥଳକୁ ପହଞ୍ଚି ଥିଲେ। ବାର୍ହା ଅସୁସ୍ଥ ଅଛି ବୋଲି ଭାବି ଶ୍ରୀ ହୋତା ପାଣି ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ବାର୍ହାଟି ଶ୍ରୀ ହୋତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ଆଶୁତୋଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ଅବସ୍ଥା ସଙ୍ଗୀନ ହେବାରୁ ପରେ ବୁର୍ଲା ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ବାର୍ହାଟି ପରେ କୌଣସି ପ୍ରକାରରେ ପାଣିରୁ ବାହାରି ଥିଲା। ସେଠାରେ ଥିବା ଲୋକଙ୍କୁ ଆଡ଼କୁ ଦୌଡ଼ିଥିଲା। ଲୋକେ ଭୟରେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ଶେଷରେ ବାର୍ହାଟି ଜଙ୍ଗଲ ଭିତରକୁ ପଳାୟନ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/e636b81b-6324-41ea-8a4b-dde2a7155732.jpg)