ରାଜନଗର: ବାର୍‌ହା ଆକ୍ରମଣରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ଲୋକଙ୍କ ଜୀବନ ଯାଇଛି। ପ୍ରତିବର୍ଷ ଆହତଙ୍କ ସଂଖ୍ୟା ବି ବଢ଼ି ଚାଲିଛି। ମାତ୍ର ସେହି ଜଙ୍ଗଲୀ ବାର୍‌ହା ବନ କର୍ମଚାରୀଙ୍କ ପ୍ରେମରେ ବାଉଳା। ନାଁ ଧରି ଡାକିଲେ ପାଖକୁ ଦୌଡ଼ି ଆସୁଛି। ଏଭଳି ଦେଖିବାକୁ ମିଳୁଛି ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳରେ। ଡାଙ୍ଗମାଳସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ର ପରିସରରେ ରହିଛି ଏହି ବାର୍‌ହା। କୁମ୍ଭୀର ପ୍ରଜନନ କେନ୍ଦ୍ର ପରିସରରେ ବାର୍‌ହାଟି ଚରାବୁଲା କରେ। ମାସକ ତଳେ ତା’ର ବାମ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିଲା। ବନ କର୍ମଚାରୀ ଯଶୋବନ୍ତ ବେହେରା ବାର୍‌ହାକୁ ଆଣି ଚିକିତ୍ସା କରିଥିଲେ। ଗୋଡ଼ରେ କ୍ଷତ ହୋଇଥିବାରୁ ତାକୁ ଆବଦ୍ଧ ଜାଲି ଭିତରେ ରଖାଯାଇଥିଲା। କ୍ଷତ ଶୁଖିବା ପରେ ବାର୍‌ହାଟି ଆଉ ଜଙ୍ଗଲ ଭିତରକୁ ଯାଇ ନଥିଲା। ଯଶୋବନ୍ତଙ୍କ ଚିକିତ୍ସାରେ ସୁସ୍ଥ ହୋଇଥିବାରୁ ସେ ତାଙ୍କ ପ୍ରେମରେ ପଡ଼ିଯାଇଥିଲା। ବାର୍‌ହାଟିର ଦାନ୍ତ ବାହାରି ଥିବାରୁ ଆକ୍ରମଣ କରିବାର ଆଶଙ୍କା ଲାଗିରହୁଛି।

Advertisment

 ମାତ୍ର ସ୍ଥାନ ଛାଡ଼ି ସେ ଆଉ ଜଙ୍ଗଲକୁ ଯାଉନି। ବାର୍‌ହାଟିକୁ ଯଶୋବନ୍ତ ଶ୍ରଦ୍ଧାରେ ‘ଗୁଡୁ’ ବୋଲି ଡାକୁଛନ୍ତି। ‘ଗୁଡୁ’ ଡାକିଦେଲେ ବାର୍‌ହା ଯଶୋବନ୍ତଙ୍କ ନିକଟକୁ ଧାଇଁ ଆସୁଛି। ଯଶୋବନ୍ତଙ୍କୁ ଛାଡ଼ି ଜଙ୍ଗଲ ଭିତରକୁ ଯାଉ ନ ଥିବାରୁ ବାର୍‌ହା ଗୁଡ଼ୁକୁ ଏବେ ପ୍ରତିଦିନ ପଖାଳ, ତୋରାଣି ଓ କଞ୍ଚା ପରିବା ଖାଇବାକୁ ଦେଉଛନ୍ତି। କୁମ୍ଭୀର ପ୍ରଜନନ କେନ୍ଦ୍ର ଭିତରେ ଥିବା କ୍ୟାଣ୍ଟିନ୍‌ ନିକଟରେ ଗୁଡୁ ଘୂରି ବୁଲୁଛି। ଭିତରକନିକା ଇତିହାସରେ ଜଙ୍ଗଲୀ ବାର୍‌ହା ଏଭଳି ବୋଲ ମାନିବା ପ୍ରଥମ ଘଟଣା ବୋଲି କୁହାଯାଉଛି। ଅଣ୍ଡିରା ବାର୍‌ହା ହିଂସ୍ର ହୋଇଥିଲେ ମଧ୍ୟ ମଣିଷ ପ୍ରେମରେ ପଡ଼ି ଆଉ ଜଙ୍ଗଲ ଭିତରକୁ ଯା‌ଉନି। ଯଶୋବନ୍ତ ଭାରତର ପ୍ରଥମ ଧଳା କୁମ୍ଭୀର ଗୋରୀ ଓ ୨୨ବର୍ଷର ଧଳା କୁମ୍ଭୀର ମଲ୍ଲୀକୁ ଖାଦ୍ୟ ଦେବା ଦାୟିତ୍ୱରେ ଅଛନ୍ତି। ଗୋରୀ, ମଲ୍ଲୀ ରହୁଥିବା ପୋଖରୀ ନିକଟରେ ଯଶୋବନ୍ତ ପହଞ୍ଚି ଡାକିଦେଲେ ସେମାନେ ଖାଇବାକୁ ଦୌଡ଼ି ଆସନ୍ତି। ଏବେ ସେହି ତାଲିକାରେ ଗୁଡୁ ସାମିଲ ହୋଇଯାଇଛି।