ବାର୍‌ହା ପାଇଁ ପରୀକ୍ଷାର୍ଥୀ ହଟହଟା : ଭିତରେ ଶିକ୍ଷକ ଜଗିଲେ, ବାହାରେ ବନବିଭାଗ

ପାତ୍ରପୁର : ବାର୍‌ହା ପାଇଁ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ଆଜି ହଟହଟା ହେବାକୁ ପଡ଼ିଛି। ପରୀକ୍ଷାକେନ୍ଦ୍ରରେ ଏକ ବାର୍‌ହା ୬ଟି ଛୁଆ ଜନ୍ମ ଦେବା ଯୋଗୁ ପରୀକ୍ଷାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଭିତରେ ଶିକ୍ଷକ ଓ ବାହାରେ ବନବିଭାଗ କର୍ମଚାରୀଙ୍କୁ ଜଗି ରହିବାକୁ ପଡ଼ିଥିଲା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍‌ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ଶ୍ରୀ ପରାଙ୍କୁଶ ବିଦ୍ୟାପୀଠରେ ଘଟିଥିବା ଏହି ଘଟଣାରେ ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଗତକାଲି ଏହି ବାର୍‌ହା ପରୀକ୍ଷାକେନ୍ଦ୍ର ଭିତରକୁ ପଶିଯାଇଥିଲା। ଆଜି ସକାଳେ ବିଦ୍ୟାଳୟ ପରିସର ପ୍ରବେଶ ଫାଟକ ନିକଟରେ ୬ଟି ଶାବକ ଜନ୍ମ ଦେଇଥିଲା। ହେଲେ ବନ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଇ ନଥିଲା। ପରୀକ୍ଷା ସମୟ ପାଖେଇଲା। ମାଟ୍ରିକ୍ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀ ଓ ପରିଚାଳନା ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ପହଞ୍ଚି ଭୟଭୀତ ହୋଇ ପଡ଼ିଥିଲେ। ଅଭିଭାବକ ମାନେ ବି ବାରହାକୁ ଦେଖି ପିଲାଙ୍କ ସୁରକ୍ଷା ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦାବି କରିଥିଲେ। ଏନେଇ ସଂଗେ ସଂଗେ ସାମନ୍ତିଆପଲ୍ଲୀ ବନା‌ଞ୍ଚଳଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା। ଫରେଷ୍ଟର ଅବିନାଶ ଚୌଧୁରୀଙ୍କ ନେତୃତ୍ବରେ ୮ଜଣ କର୍ମଚାରୀ କେନ୍ଦ୍ରକୁ ଆସିଥିଲେ। ବାର୍‌ହା ଓ ଶାବକଙ୍କୁ ସ୍ଥାନାନ୍ତର ଦିଗରେ ତ ହଠାତ୍‌ କିଛି କରିପାରି ନଥିଲେ। କିନ୍ତୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ଅପରାହ୍ନ ସାଢେ ୧୨ଟାରେ ପରୀକ୍ଷା ସରିବା ପରେ ବନବିଭାଗ ତତ୍ତ୍ବାବଧାନରେ ପିଲାଙ୍କୁ ଛଡ଼ା ଯାଇଥିଲା। ବାରହା ଯେମିତି ହିଂସ୍ର ନହେବ ଏଥିପ୍ରତି ଧ୍ୟାନ ଦିଆ ଯାଇଥିଲା।

ଅନ୍ୟପକ୍ଷରେ ଆଜି ରାତି ସୁଦ୍ଧା ବାରହାକୁ ସେଠାରୁ ବାହାର କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଖବର ମିଳିବା ସୁଦ୍ଧା ଶାବକଙ୍କୁ ମା’ ବାରହା ଜଗି ରହିଛି। ଏହି କେନ୍ଦ୍ରରେ ୬ଟି ହାଇସ୍କୁଲର ୩୧୨ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବାରହା ଯୋଗୁଁ ଅଭିଭାବକ ଓ ପରୀକ୍ଷାର୍ଥୀ ଆତଙ୍କିତ ହୋଇ ରହିଛନ୍ତି। ଏହି ଘଟଣାକୁ ନେଇ ଆଜି ଦିନତମାମ ଚର୍ଚ୍ଚା ଲାଗି ରହିଥିଲା।

ସମ୍ବନ୍ଧିତ ଖବର