ପୁରୀ: ବେଶ କିଛିଦିନ ହେବ ପୁରୀ ସହରମୁହାଁ ହେବାରେ ଲାଗିଛନ୍ତି ବନ୍ୟଜନ୍ତୁ। କିଛିଦିନ ତଳେ ବାର୍ହା ଶ୍ରୀମନ୍ଦିର ସିଂହଦ୍ବାରରେ ବୁଲିବା ଚର୍ଚ୍ଚାର ଶିରୋନାମା ପାଲଟିଥିଲା। ଆଜି ଏକ ବିଲୁଆ ଦିନ ଦ୍ବିପହରରେ ବଡ଼ଦାଣ୍ଡରେ ବୁଲୁଥିବା ଦେଖିବାକୁ ମିଳିଛି। ବିଲୁଆ ଧକ୍କାରେ ଜଣେ ବାଇକ୍ ଚାଳକ ବି ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଏକ ବିଲୁଆ ହଠାତ୍ ବଡ଼ଦାଣ୍ଡରେ ବିଚରଣ କରୁଥିବା ଦେଖିବାକୁ ମିଳିଥିଲା। ବଳଗଣ୍ଡି ଛକରେ ବିଲୁଆଟି ଏଣେତେଣେ ଭୟଭୀତ ଅବସ୍ଥାରେ ବୁଲୁଥିଲା। ହଠାତ୍ ବିଲୁଆଟି ବଳଗଣ୍ଡି ଛକରେ ରାସ୍ତା ଅତିକ୍ରମ କରିବା ବେଳେ ଏକ ବାଇକ୍ ଚାଳକ ସହ ଧକ୍କା ହେବାରୁ ସଂପୃକ୍ତ ବାଇକ୍ ଚାଳକ ମୁହଁ ମାଡ଼ି ତଳେ ପଡ଼ିଥିଲେ।
ଖଣ୍ଡିଆଖାବରା ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହା ପରେ ବିଲୁଆଟି ମାଉସୀ ମା’ଙ୍କ ମନ୍ଦିର ପଛପାର୍ଶ୍ବ ଏକ ଭଗ୍ନ କୋଠାର ଛାତ ଉପରେ ଗଛ ଅଢ଼ୁଆଳରେ ଲୁଚି ରହିଥିବା ଦେଖିବାକୁ ମିଳିଛି। ଦିନରେ ବିଲୁଆର ଏଭଳି ବିଚରଣକୁ ନେଇ ସହରବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ସୂଚନାଯୋଗ୍ୟ, କିଛି ମାସ ହେବ ବାର୍ହାମାନେ ନିୟମିତ ପୁରୀ ସହର ଭିତରେ ଚଳପ୍ରଚଳ କରୁଛନ୍ତି। କେତେବେଳେ ପୁରୀ ବେଳାମାର୍ଗରେ ତ’ କେତେବେଳେ ଲୋକନାଥ ରୋଡ୍ରେ ଏମାନେ ବିଚରଣ କରୁଥିଲେ। କିଛିଦିନ ତଳେ ଏକ ବାର୍ହା ଶ୍ରୀମନ୍ଦିର ସିଂହଦ୍ବାରରେ ବିଚରଣ କରୁଥିବା ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/sfhfhfhhf.jpg)