ବୃଦ୍ଧାଙ୍କ ଜୀବନ ନେଲେ ବାର୍‌ହାପଲ; ୬ ଗୁରୁତର, ୫ଜଣଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର

୨ଗାଁରେ ଆତଙ୍କ ଖେଳାଇଲେ

ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା କୋଦଳା ଥାନା ରାମପଲ୍ଲୀ ଓ ବାରିହାଖଳା ଗ୍ରାମରେ ରବିବାର ଦିନ ଜଙ୍ଗଲୀ ବାର୍‌ହାପଲ ଆତଙ୍କ ଖେଳାଇଛନ୍ତି। ବାର୍‌ହା ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତକଜଣକ ହେଲେ, ଭାସି ସ୍ବାଇଁ (୭୦)। ଗୁରୁତର ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ରାମପଲ୍ଲୀ ଗ୍ରାମର କିଛି ମହିଳା ଓ ପୁରୁଷ ରବିବାର ସକାଳେ ବିଲକୁ କାମ କରିବା ଲାଗି ଯାଇଥିଲେ। ଏହିସମୟରେ ବାର୍‌ହାପଲ ଅତର୍କିତ ଭାବେ ସମସ୍ତଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥି‌ଲେ। ଭୟରେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଭାସିଙ୍କ ସମେତ ରମେଶ ପାଣ୍ଡି (୫୮), ନାରାୟଣ ପଳତା (୪୦), ଶିବରାମ ପଳତା (୪୫) ଓ ମନୋଜ ସ୍ବାଇଁ (୨୦) ବାର୍‌ହା ହାବୁଡ଼ରେ ପଡ଼ି ଆକ୍ରମଣରେ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଅନ୍ୟ ଗ୍ରାମବାସୀ କୋଦଳା ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ଭାସିଙ୍କୁ ମୃତ ଘୋଷଣା କରିଥିଲେ। ରମେଶ, ନାରାୟଣ ଓ ଶିବରାମଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ରାମପଲ୍ଲୀ ଗ୍ରାମ ନିକଟ ବାରିହାଖଳା ଗ୍ରାମରେ ମନୁ ଗୌଡ଼ (୪୭) ନାମକ ଜଣେ ମହିଳା ବାର୍‌ହା ଆକ୍ରମଣରେ ଗୁରୁତର ହୋଇଥିବାରୁ ତାଙ୍କୁ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବର୍ତ୍ତମାନ ସମୟରେ ଧାନ ପାଚିବାକୁ ଯାଉଥିବାରୁ ଜଙ୍ଗଲୀ ବାର୍‌ହା ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହେଉଛନ୍ତି। ରାତିରେ କ୍ଷେତରେ ପଶି ଫସଲ ନଷ୍ଟ କରିବା ସହ ଚାଷୀଙ୍କୁ ଆକ୍ରମଣ କରୁଛନ୍ତି। ଯାହାକୁ ନେଇ ଜନସାଧାରଣ ଭୟଭୀତ ହୋଇ ରହିଛନ୍ତି। ତୁରନ୍ତ ବାର୍‌ହାପଲକୁ ଘଉଡ଼ାଇବା ଦିଗରେ ବନ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର