ଭାପୁର : ଜଙ୍ଗଲ ଓ ପାହାଡ଼ ଘେରା ଭାପୁର ଅଞ୍ଚଳରେ ବାର୍‌ହାଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାପୁର ବ୍ଲକ୍ ଅନ୍ତର୍ଗତ ୨୦ ଟି ପଞ୍ଚାୟତରେ ବାର୍‌ହାମାନଙ୍କ ଯୋଗୁ ଧାନ ଫସଲ ନଷ୍ଟ ହେବା ସହ ଆକ୍ରମଣରେ ଅନେକଙ୍କ ଜୀବନ ହାନି ହେଉଥିବା ଜଣାପଡ଼ିଛି। ବାର୍‌ହାମାନେ ଧାନ ଫସଲ ଖାଇଯିବା ସହ ପାଚିଲା ଧାନ କ୍ଷେତ ନଷ୍ଟ କରୁଛନ୍ତି। ଫଳରେ ଚାଷୀମାନେ ଏବେ ଚିନ୍ତାରେ।

Advertisment

publive-image

ମିଳିଥିବା ସୂଚନା ଅନୁଯାୟୀ, ଭାପୁର ବ୍ଲକ୍‌ ଅନ୍ତର୍ଗତ ଧାନଚାଙ୍ଗଡ଼ା, ପଥରଚକଡ଼ା, କେନ୍ଦୁପଲ୍ଲୀ, ବାଉଁଶବାଟୀ, ରାକମା, ପଦ୍ମାବତୀ, କରବର, ଶାସନ, ବିଜିପୁର, ଫତେଗଡ଼, ଭାପୁର, ଶାଳପଡ଼ା, ଗୋଳାପୋଖରୀ, ଚକ୍ରଧରପ୍ରସାଦ, ନିମାଣୀ, ବଡ଼ସହରା, ବାଇଗୁଣିଆ, ବାଘୁଆପଲ୍ଲୀ ଓ ଭଗବାନପୁର ଆଦି ପଞ୍ଚାୟତ ଜଙ୍ଗଲ ଓ ପାହାଡ଼ ଘେର ମଧ୍ୟରେ ରହିଛି। ଫଳରେ ଏହି ସବୁ ପଞ୍ଚାୟତରେ ବାର୍‌ହାମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସେମାନଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଧାନର ଥୋଡ଼ ଧରିବା ସମୟ ହୋଇଥିବାରୁ ବହୁ ସଂଖ୍ୟାରେ ବାର୍‌ହା ପଲ ଫସଲ ଖାଇବାକୁ ପାହାଡ଼ରୁ ଗଡ଼ୁଛନ୍ତି। ବାର୍‌ହାମାନେ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଛି। ଏହି ଘଟଣା ନେଇ କରବର ପଞ୍ଚାୟତ ଅନ୍ତର୍ଗତ ଗୁଡ଼ୁପଡ଼ା ଗ୍ରାମର ରବୀନ୍ଦ୍ର କୁମାର ସ୍ବାଇଁ ତାଙ୍କ ବିଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଗତ ୧୮ ତାରିଖରେ ଜିଲ୍ଲା ବନାଞ୍ଚଳ ଅଧିକାରୀ ଓ ଭାପୁର ତହସିଲଦାରଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ତେଣୁ ଏହାର ତଦନ୍ତ କରାଯାଇ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି।