ଭଞ୍ଜନଗର: ସଂପ୍ରତି ମଣିଷ ନିଜ ସ୍ବାର୍ଥ ପାଇଁ ପରିବେଶକୁ ନଷ୍ଟ କରିବାରେ ଲାଗିଥିବା ବ‌େଳେ ପରିବେଶ ସନ୍ତୁଳନ ମଧ୍ୟ ବିଗିଡିବାରେ ଲାଗିଛି। ଯାହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ଜଙ୍ଗଲ ଉପରେ ନିର୍ଭର କରୁଥିବା ବନ୍ୟଜନ୍ତୁ ମାନଙ୍କ ଉପରେ। ଅନେକ ସମୟରେ ଜଙ୍ଗଲୀ ଜନ୍ତୁମାନେ ଖାଦ୍ୟ ଓ ପାନୀୟ ଅ‌ନ୍ବେଷଣରେ ଜନବସତି ମୁହାଁ ହେଉଥିବା ବେଳେ ଲୋକଙ୍କ ଆକ୍ରମଣ କିମ୍ବା କୁକୁର ଭଳି ପ୍ରାଣୀର ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି। ଯାହା ଫଳରେ ନୀରିହ ଜନ୍ତୁଟିର ଅନେକ ସମୟରେ ପ୍ରାଣ ମଧ୍ୟ ଚାଲି ଯାଉଥିବା ନଜିର ରହିଛି। ଆଉ ଜଙ୍ଗଲ ଜନ୍ତୁ ମାନଙ୍କ ବିକଳ ଅବସ୍ଥାର ଆଜି ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଞ୍ଜନଗର ଜନଗହଳି ସ୍ଥାନରେ ଥିବା ତହସିଲ କାର୍ଯ୍ୟାଳୟ ନିକଟରେ। ଆଜି ପୂର୍ବାହ୍ନରେ ଏକ ଜଙ୍ଗଲୀ ବାର୍‌ହା ଛୁଆଙ୍କୁ ଉଦ୍ଧାର କରାଯାଇ ବନ ବିଭାଗ ତାର ଚିକିତ୍ସା କରିଥିବା ଜଣାପଡିଛି।

Advertisment

ସୂଚନା ଅନୁଯାୟୀ,ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘରର କ୍ଳବ୍ ଘର ପାଖରେ ଏକ ଜଙ୍ଗଲୀ ବାର୍‌ହା ଛୁଆ ରହିଥିବ‌ା ଦେଖିବାକୁ ପାଇଥିଲେ। ସେମାନେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଶୂଳପାଣୀ ଶତପଥୀଙ୍କୁ ଖବର ଦେବା ପରେ ଶ୍ରୀ ଶତପଥୀ ଏବଂ ଏନ୍‌ଏସି ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ଜଗଦୀଶ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଆହାତ ବାର୍‌ହା ଛୁଆଟିକୁ ଉଦ୍ଧାର କରିଥିଲେ। ଏହାପରେ ବନବିଭାଗକୁ ଖବର ଦେଇ ପଶୁ ଚିକିତ୍ସାଳୟରେ ତାର ଚିକିତ୍ସା କରିଥିଲେ। ବନରକ୍ଷୀ ସୁଶାନ୍ତ ‌ମିଶ୍ର, ଦୀନବନ୍ଧୁ ମିଶ୍ର ହସ ବନ କର୍ମଚାରୀ ଆଲୋକ ରଣା, ପ୍ରତାପ ସ୍ବାଇଁ, ମିଖାଇଲ ନାୟକ ପ୍ରମୁଖ ତାର ଚିକିତ୍ସାରେ ସହଯୋଗ କରିଥିଲେ। ଶ୍ରୀ ଶତପଥୀଙ୍କ ସୂଚନା ଅନୁଯାୟୀ ବାର୍‌ହା ଛୁଆଟି ତାର ମା’ ସହ ରାସ୍ତା ଭୁଲି କିମ୍ବା ଖାଦ୍ୟ ଅନ୍ବେଷଣରେ ସହର ଭିତରକୁ ଚାଲି ଅସିଥିବା ବ‌େଳେ କୁକୁର ଆକ୍ରମଣ ଶିକାର ହୋଇଥିବା ଅନୁମାନ କରାଯାଉଛି। ସେମାନଙ୍କ କବଳରୁ ଅନ୍ୟ ବାରହା ମୁକୁଳି ପଳାଇଥିବା ବେଳେ ଛୁଆଟି ଏଠାରେ ରହିଯାଇଛି। ପ୍ରାଥମିକ ଚିକିତ୍ସା ପରେ ଛୁଆଟିକୁ କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ସଂପୂର୍ଣ୍ଣ ସୁସ୍ଥ ହେବାପରେ ଜଙ୍ଗଲ ଭିତରେ ଛଡାଯିବ ‌ବ‌ୋଲି ସେ ପ୍ରକାଶ କରିଛନ୍ତି।