ବଣମଇଁଷି ଗାଁ ମୁହାଁ; ବ୍ୟାପକ ଫସଲ ନଷ୍ଟ

ଅତାବିରା : ଡେବ୍ରିଗଡ଼ ଅଭୟାରଣ୍ୟ ପାଦଦେଶ ଥିବା ଅତାବିରା ବ୍ଲକ୍‌ ସୀମାନ୍ତ ଖରମୁଣ୍ଡା ପଂଚାୟତର ଘନଘାଟି, ବେଲବାହାଲି, ଚୁଳଧର, ଗଡ଼ଗଡ଼ଦଲା ଗ୍ରାମରେ ଜଙ୍ଗଲୀ ବଣମଇଁଷି ପଲ ପଶି ଚା‌ଷୀଙ୍କ ଫସଲ ନଷ୍ଟ କରିବା ସହ ଅଂଚଳରେ ଆତଙ୍କ ଖେଳାଇଛନ୍ତି। ବାରପାହାଡ଼ ଜଂଗଲରୁ ୧୦/୧୨ଟି ବଣମଇଁଷି ଗତ ୪ ଦିନ ହେଲା ଆସି ଏହି ଅଂଳଚରେ ପନିପରିବା, ଧାନପହ୍ଲା ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି। ବେଲବାହାଲି ଗ୍ରାମର ୱାଟିୟର ସୋରେନଙ୍କ ୧୦ ଡିସିମିଲ୍‌ ଜମିର ବାଇଗଣ, ୧୫ ଡିସିମିଲ୍‌ ଜମିର ବିମ୍, ୪ ଡିସିମିଲ୍‌ର ଆଳୁ ଖାଇ ଦେଇ ଦଳିଚକଟି ନଷ୍ଟ କରିଥିବା ବେଳେ ଘନଘାଟି ଗ୍ରାମ‌ର ବଳରାମ ବରିହାଙ୍କ ଅଧା ଏକରରେ ରୁଆଧାନ, ନିମାଇଁ ସାହୁଙ୍କ ପହ୍ଲାଘାରି ଖାଇ, ଦଳିଚକଟି କରି ନଷ୍ଟ କରିଛନ୍ତି।

ଏନେଇ ବନ ବିଭାଗରେ ଅଭିଯୋଗ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କେବଳ ବୁଲି ଚାଲିଯାଉଛନ୍ତି। ସେମାନଙ୍କୁ ଘଉଡ଼ାଇବା ନେଇ କୌଣସି ପଦକ୍ଷେପ ନେଉ ନଥିବାର ଚାଷୀମାନେ ଅଭ‌ିଯୋଗ କରିଛନ୍ତି। ଚାଷୀମାନେ ବଣ ମଇଁଷିଙ୍କୁ ଘଉଡ଼ାଇବା ପାଇଁ ନିଜ ନିଜ ଜମିରେ ବାଡ଼ି, ଠେଙ୍ଗା, କୁରାଢ଼ି ଧରି ଜଗି ରହୁଛନ୍ତି। ରାତି ୮/୯ଟା ପର୍ଯ୍ୟନ୍ତ ଲାଇଟ୍, ବଲ୍ବ ଧରି ଜଗି ବସିଛନ୍ତି। ଚାଷୀମାନେ ଯେଉଁଠି ଜଗୁଛନ୍ତି ବଣମଇଁଷି ତା’ର ପାର୍ଶ୍ବବର୍ତ୍ତୀ ଅଂଚଳରେ ନିର୍ଭୟରେ ବୁଲାବୁଲି କରୁଛନ୍ତି। ଗାଁ ରାସ୍ତାରେ ଲୋକମାନେ ଯାତାୟାତ କରିବାକୁ ଡରୁଛନ୍ତି। ରାତିରେ ଏମାନଙ୍କ ଦୌରାତ୍ମ ବଢ଼ୁଥିବାରୁ ଚାଷୀ, ଅଂଚଳବାସୀ ଆତଙ୍କିତରେ ଅଛନ୍ତି। ୱାଲଟିୟର ସୋରେନଙ୍କ ଗତ କିଛି ମାସ ହେଲା ପ୍ରତି ରବିବାର ଦିନ ୫/୬ ପାକେଟ ବାଇଗଣ ବାହାରୁ ଥିବା ବେଳେ ଆଜି କେବଳ ୧୨ କେଜି ବାଇଗଣ ବାହାରିଛି ବୋଲି ସେ କହିଛନ୍ତି। ତୁରନ୍ତ ବଣମଇଁଷି ପଲକୁ ଜଂଗଲକୁ ଘଉଡାଇ ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର