‘ଲାଲ୍‌ ବଙ୍ଗଳା’କୁ ଛୁଇଁ ମାରା କରିଦେଲେ ହାତୀପଲ

ନୂଆପଡ଼ା: ଗତରାତିରେ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଆଦିମ ଜନଜାତି ‘ଭୁଞ୍ଜିଆ’ମାନଙ୍କର ‘ଲାଲ୍‌ବଙ୍ଗଳା’କୁ ଛୁଇଁ ପଲେ ହାତୀ ମାରା କରି ଦେଇଛନ୍ତି।

‘ଲାଲ୍‌ ବଙ୍ଗଳା’ ହେଉଛି ଏହି ସମ୍ପ୍ରଦାୟ ଜନଜାତିଙ୍କ ଘରେ ଥିବା ରୋଷେଇ ଘର। ‘ଲାଲ୍‌ ବଙ୍ଗଳା’କୁ ସେମାନେ ଅତି ପବିତ୍ର ମନେ କରୁଥିବାରୁ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବା ଜୀବଜନ୍ତୁ ଏହାକୁ ଛୁଇଁବା ନିଷେଧ। ଏପରି କି, ବିଭା ହୋଇଯାଇଥିବା ଘରର ଝିଅଙ୍କ ପାଇଁ ମଧ୍ୟ ‘ଲାଲ୍‌ ବଙ୍ଗଳା’ ବାରଣ କରାଯାଇଥାଏ। କଦବା କ୍ୱଚିତ୍‌ କେହି ଛୁଇଁ ଦେଲେ ‘ଲାଲ୍‌ ବଙ୍ଗଳା’କୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇ ବିଧିମତେ ପୂଜାପାଠ କରି ପୁନର୍ବାର ତିଆରି କରାଯାଏ।

ପ୍ରାପ୍ତ ସୂଚନା ଅନୁସାରେ, ୨୭ଟି ହାତୀ ଥିବା ଏକ ବୁଲା ବଣୁଆହାତୀ ପଲ ଗତରାତିରେ ସୁନାବେଡ଼ା ପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ଗ୍ରାମରେ ପଶି ଦରସ ଭୁଞ୍ଜିଆ ଏବଂ ଓଁପ୍ରକାଶ ଭୁଞ୍ଜିଆଙ୍କ ଘର ଭଙ୍ଗାରୁଜା କରିବା ସହ ସେମାନଙ୍କ ‘ଲାଲ୍‌ ବଙ୍ଗଳା’କୁ ମଧ୍ୟ ନଷ୍ଟ କରି ଦେଇଛନ୍ତି।

ଏହା ବ୍ୟତିରେକେ, ଗ୍ରାମବାସୀ ଘର ପାଖରେ ରଖିଥିବା ବସ୍ତାରୁ ଧାନ ଖାଇ ନଷ୍ଟ କରିବା ସହ ବାଡ଼ିବଗିଚାର ଫସଲ ମଧ୍ୟ ଉଜାଡ଼ି ଦେଇଛନ୍ତି।
ଖବର ପାଇ ଆଜି ସକାଳେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର