ଅନୁଗୁଳ: ବଣୁଆହାତୀ ହାବୁଡ଼ରେ ପଡ଼ି ବାଇକ୍‌ ଆରୋହୀ ମୃତ

ବନ୍ତଳା: ହାତୀ ହାବୁଡ଼ରେ ପଡ଼ି ମଙ୍ଗଳବାର ରାତିରେ ଅନଗୁଳ ଜିଲ୍ଲା କତରପଡ଼ା ବ୍ଲକ୍‌ ଅଞ୍ଚଳର ଜଣେ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ସାହାରାଗୁଡ଼ା ଅନ୍ତର୍ଗତ ସୁନାଭୂଇଁ ସାହିର ୪୯ ବର୍ଷିୟ ରମେଶ ଚନ୍ଦ୍ର ସାହୁ।

ପ୍ରାପ୍ତ ସୂଚନା ମୁତାବକ, ବନ୍ତଳା ଥାନା ଅଧୀନ ବନ୍ତଳା ଗ୍ରାମର କୁମୁଦ ପ୍ରଧାନ ତାଙ୍କ ସାଙ୍ଗ ଦିପୁ ଓ ରମେଶ ଚନ୍ଦ୍ର ସାହୁଙ୍କୁ ନେଇ ଗତ ସନ୍ଧ୍ୟାରେ ନିଜ ଭିଣୋଇଘର ବଲଙ୍ଗ ଗ୍ରାମକୁ ଯାଇଥିଲେ। ରାତି ପ୍ରାୟ ୧୧ଟା ସମୟରେ ତିନିଜଣଯାକ ଦୁଇଟି ବାଇକ୍‌ ଯୋଗେ ବନ୍ତଳାକୁ ପ୍ରତ୍ୟାବର୍ତ୍ତନ କରୁଥିଲେ।

ଏକାକୀ ବାଇକ୍‌ ଚଳାଉ ଥିବା ରମେଶ ଚନ୍ଦ୍ର ସାହୁ କରତପଡ଼ା ଗ୍ରାମ ପାଖରେ ପହଞ୍ଚିଥିବା ବେଳେ ଅକସ୍ମାତ ଗୋଟାଏ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତାଟି ତାଙ୍କୁ ଶୁଣ୍ଢରେ ଉଠାଇ ନେଇ ଖଣ୍ଡେ ଦୂରକୁ ଫିଙ୍ଗିଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ଗ୍ରାମବାସୀମାନେ ରାସ୍ତାକଡ଼ରେ ରମେଶଙ୍କ ଶବ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। କ୍ରମେ ଘଟଣା ସ୍ଥାନୀୟ ଅଞ୍ଚଳରେ ବ୍ୟାପିଯିବା ପରେ ଲୋକେ ଉତ୍ତ୍ୟକ୍ତ ହେବା ସହ ପୁରୁଣା ଟାୟାର୍‌ ଜାଳି ଟିକରପଡ଼ା-ବନ୍ତଳା ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ବନ୍ତଳା ଥାନା ଆଇଆଇସି ଗୀତାଞ୍ଜଳି ସାହୁ ଓ ଅନଗୁଳ ରେଞ୍ଜର୍‌ ସତ୍ୟବ୍ରତ ପ୍ରଧାନ ଅବରୋଧସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୁ ଅବରୋଧ ହଟିଥିଲା।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରୁ ରମେଶଙ୍କ ଶବ ଉଦ୍ଧାର କରାଯାଇ ନ ଥିଲା।

ସମ୍ବନ୍ଧିତ ଖବର