ଭୁବନେଶ୍ବର: ବନ୍ୟଜନ୍ତୁଙ୍କୁ ନେଇ ଅଧା ଓଡ଼ିଶାରେ ଆତଙ୍କ। ଦକ୍ଷିଣରୁ ପଶ୍ଚିମ ଏବଂ ଉତ୍ତର ଓଡ଼ିଶା। ଏସବୁ ଅଞ୍ଚଳରେ ବାଘ, ଭାଲୁ ପରି ହିଂସ୍ର ଜନ୍ତୁ ଏବେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ବାଘ କେତେବେଳେ ମଣିଷ ଶିକାର କଲାଣି ତ ଆଉ କେତେବେଳେ ଗାଈ ଗୋରୁଙ୍କୁ ମାରି ଖାଉଛି। ୭ ଦିନ ମଧ୍ୟରେ ବାଘ ଆକ୍ରମଣରେ ନୂଆପଡ଼ା ଜିଲ୍ଲାରେ ଦୁଇ ଜଣଙ୍କ ଜୀବନ ଯାଇଥିବାରୁ ଲୋକେ ଦିନରେ ମଧ୍ୟ ପଦାକୁ ବାହାରିବାକୁ ଡରୁଛନ୍ତି। ନୂଆପଡ଼ା ବ୍ୟତୀତ କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ପରି ଜିଲ୍ଲାରେ ବନ୍ୟଜନ୍ତୁଙ୍କ ପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଓଡ଼ିଶା ଜଙ୍ଗଲରେ ମହାବଳଙ୍କ ସଂଖ୍ୟା ବହୁତ କମ୍ ରହିଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ବ୍ୟତୀତ କାଁ ଭାଁ ଗୋଟିଏ ଦୁଇଟି ଜଙ୍ଗଲରେ ସେମାନଙ୍କ ଉପସ୍ଥିତି ରହିଛି। ତେଣୁ କଲରାପତରିଆ ଏବେ ଗାଁ ଗାଁରେ ଆତଙ୍କ ଖେଳାଉଛନ୍ତି। ହେଲେ ହଠାତ୍ ବନ୍ୟଜନ୍ତୁ ଜଙ୍ଗଲ ଛାଡ଼ି ଜନବସତିମୁହାଁ କାହିଁକି? ଏ ପ୍ରଶ୍ନ ଉପରେ ବିଶେଷଜ୍ଞ ଚର୍ଚ୍ଚା ଆଲୋଚନା ଜୋର ଚାଲିଥିଲେ ହେଁ ଠୋସ୍ କାର୍ଯ୍ୟାନୁଷ୍ଠାନ ପରିଲକ୍ଷିତ ହେଉନାହିଁ।
ଇତିମଧ୍ୟରେ ନୂଆପଡ଼ାରେ ଆତଙ୍କ ଖେଳାଇଥିବା କଲରାପତରିଆକୁ ଯନ୍ତାରେ ଫସାଇବାରେ ସକ୍ଷମ ହୋଇଛି ବନ ବିଭାଗ। ସୁନାବେଡ଼ା ଅଭୟାରଣ୍ୟ ସମେତ ସଂଲଗ୍ନ ଜଙ୍ଗଲରେ କଲରାପତରିଆଙ୍କ ସଂଖ୍ୟା ବଢ଼ିବା ସହ ଦିନକୁ ଦିନ ସେମାନଙ୍କ ଆତଙ୍କ ବଢ଼ୁଛି। ଫଳରେ ଗତ ବର୍ଷକ ମଧ୍ୟରେ ନୂଆପଡ଼ା ଜିଲ୍ଲାରେ ବାଘ ଆକ୍ରମଣରେ ୩୦ରୁ ଅଧିକ ଗୃହପାଳିତଙ୍କ ପଶୁଙ୍କ ସହ ୩ ଜଣ ଲୋକଙ୍କ ଜୀବନ ଗଲାଣି। ବାଘ ମାତିଥିବାରୁ ଲୋକେ ଡରରେ ଜଙ୍ଗଲକୁ ଯାଇ ପାରୁ ନାହାନ୍ତି। ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ବାଘ ସହଜରେ ଶିକାର କରିପାରୁ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ବଢ଼ିଗଲାଣି। ଅକ୍ଟୋବର ପ୍ରଥମ ସପ୍ତାହରେ କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଉପସ୍ଥିତି ଥିବା ବେଳେ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ମାତିଥିଲା। ବାର୍ହାଟିପୁରା ଗ୍ରାମ ନିକଟ ରଜାବନ୍ଧ ମୁଣ୍ଡାବସ୍ତିର ୪ଟି ଛେଳିକୁ ବାଘ ମାରିଥିବା ବେଳେ ୧୦ଟି ଛେଳି ନିଖୋଜ ସମ୍ପର୍କରେ ଅଭିଯୋଗ ହୋଇଥିଲା। ଜୁଲାଇ ମାସରେ ଅନୁଗୁଳ ବନଖଣ୍ଡ ପୋକୁଣ୍ଡା ସେକ୍ସନ କଲରାପତିଆ ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇଥିଲେ।
ଭାଲୁଙ୍କ ଆତଙ୍କ ମଧ୍ୟ କିଛି କମ୍ ନାହିଁ। ଏପର୍ଯ୍ୟନ୍ତ ଭାଲୁ ଆକ୍ରମଣରେ ୧୦ରୁ ଅଧିକ ଗୁରୁତର ହୋଇଥିବା ବେଳେ ଦୁଇ ଜଣଙ୍କ ଜୀବନ ଯାଇଛି। ଅଗଷ୍ଟରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜରେ କାଠ ସଂଗ୍ରହ କରିବାକୁ ଜଙ୍ଗଲ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିଲେ। ଜୁଲାଇରେ ନୂଆପଡ଼ା ଜିଲ୍ଲାରେ ଭାଲୁ ଆକ୍ରମଣର ଶିକାର ହୋଇ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କାଂଶ ପଞ୍ଚାୟତର କରଞ୍ଜିଆ ଗ୍ରାମରେ ଭାଲୁ ଆକ୍ରମଣରେ ଦୁଇ ଯୁବକ ଗୁରୁତର ହୋଇଥିଲେ। ମେ’ରେ କେନ୍ଦୁଝର ସଦର ରେଞ୍ଜ ପଳାଶପଙ୍ଗା ସେକ୍ସନ ରାଇକଳା ବିଟ୍ ଅନ୍ତର୍ଗତ ତିଆଡିପଶି ଗ୍ରାମ ନିକଟରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।
ଗୋଟିଏ ପଟେ କଲରାପତରିଆଙ୍କ ଆତଙ୍କ ବଢ଼ିଥିବା ବେଳେ ଅନ୍ୟପଟେ ଆନ୍ଧ୍ର ଓ ଛତିଶଗଡ଼ ଜଙ୍ଗଲର ବାଘ ଓଡ଼ିଶା ମୁହାଁ ହେବା ଅଧିକ ଚିନ୍ତାର ବିଷୟ ପାଲଟିଛି। ଗୋଟିଏ ପଟେ ଖାଦ୍ୟ ଅନ୍ବେଷଣରେ ବାହାର ରାଜ୍ୟର ବାଘ ଓଡ଼ିଶା ଆସୁଥିବାରୁ ବନ ବିଭାଗ ଅଧିକାରୀ ଖୁସିବ୍ୟକ୍ତ କରୁଛନ୍ତି। ଅନ୍ୟପଟେ ଏହାକୁ ନେଇ ସୀମାନ୍ତବର୍ତ୍ତୀ ଜିଲ୍ଲାବାସୀଙ୍କ ନିଦ ହଜିଗଲାଣି। ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ୍ ମହାନ୍ତିଙ୍କ କହିବାନୁଯାୟୀ ଯେଉଁ ବାଘ ଜନବସତି ମୁହାଁ ହେଉଛନ୍ତି ସେମାନେ ମୁଖ୍ୟତଃ କଲରାପତରିଆ ପ୍ରଜାତିର। ଖାଦ୍ୟ ଅଭାବରୁ ସେମାନେ ଜନବସତି ଆଡ଼କୁ ଆସିଥାଇପାରନ୍ତି। ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି ଯେ ଫାଶରେ ପଡ଼ି କଲରାପତରିଆ ଆହତ ହୋଇଥିଲେ ସେମାନେ ପରବର୍ତ୍ତୀ ସମୟରେ ଅଧିକ ହିଂସ୍ର ହୋଇଥାନ୍ତି। ତେଣୁ ବର୍ତ୍ତମାନ ସମୟରେ ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ପଡ଼ିବ। ବାଘ ଯେଉଁଠାରେ ଲୋକ କିମ୍ବା ଗାଈ ଗୋରୁଙ୍କୁ ମାରୁଛନ୍ତି ସେଠାରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦାରଖ କରିବାର ଆବଶ୍ୟକତା ରହିଛି। ନ ହେଲେ ଆଗାମୀ ଦିନରେ ବନ୍ୟଜନ୍ତୁ-ମଣିଷ ଲଢ଼େଇ ଶୀର୍ଷରେ ପହଞ୍ଚିପାରେ। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଜଙ୍ଗଲ ପାଖରେ ଥିବା ଗାଁ ଭିତରକୁ କଲରାପତରିଆ ପଶି ଆସୁଛନ୍ତି। ତେଣୁ ଲୋକଙ୍କ ସୁରକ୍ଷା ପାଇଁ ଏବେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଯେଉଁ କଲରାପତରିଆ ଧରାପଡ଼ିଛି ତାହାକୁ କେଉଁଠି ଛଡ଼ାଯିବ ସେନେଇ ଆଲୋଚନା ଚାଲିଛି।