ଭୁବନେଶ୍ୱର: ବନ୍ୟଜନ୍ତୁ ଆକ୍ରମଣରେ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି ହୋଇଛି। ପୂର୍ବରୁ ୬ ଲକ୍ଷ ଟଙ୍କା ସହାୟତା ଦିଆଯାଉଥିବା ବେଳେ ଏବେ ତାହାକୁ ୧୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣ ଅଧିକ ହେବା ସହ ବନ୍ୟଜନ୍ତୁ ଆକ୍ରମଣରେ ଧନଜୀବନ ନଷ୍ଟ ହୋଇଥାଏ। ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ରାଶି ଆଜି ବୃଦ୍ଧି କରିଛନ୍ତି।
ନିଷ୍ପତ୍ତି ଅନୁଯାୟୀ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି କରାଯିବା ସହିତ ଯଦି ବାସଗୃହ କ୍ଷତିଗ୍ରସ୍ତ ହୋଇଥାଏ ତେବେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ କିମ୍ବା ସମତୁଲ ଆର୍ଥିକ ସହାୟତା ପ୍ରଦାନ କରାଯିବ। ରୋଷେଇ ଘର, ଧାନ ସଂରକ୍ଷଣ ଗୃହ କିମ୍ବା ଛେଳି ଗୁହାଳ କ୍ଷତିଗ୍ରସ୍ତ ହେଲେ ୩ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ପକ୍କା ପାଚେରି, କମ୍ପାଉଣ୍ଡ ୱାଲ୍ କ୍ଷତିଗ୍ରସ୍ତ ହେଲେ ପ୍ରତି ମିଟର ପିଛା ୫ହଜାର ଏବଂ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବ।