ଆନନ୍ଦପୁର: ଜଙ୍ଗଲ ନିଆଁ ଯୋଗୁଁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଥିବା ବେଳେ ରବିବାର ବୈତରଣୀର ଏକ ଟାପୁରେ ଥିବା ଗୟଳଙ୍କ ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ଦ୍ବୟଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ବ୍ୟାପକ ସଚେତନତା ସତ୍ତ୍ବେ ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ବହୁ ମୂଲ୍ୟବାନ ଗଛଲତା ପୋଡ଼ି ନଷ୍ଟ ହୋଇଯାଉଛି। ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ଦୁଇଦିନ ତଳେ ଭାଲୁ ଆକ୍ରମଣରେ ମହୁଲ ଗୋଟାଇବା ପାଇଁ ଯାଇଥିବା ଏକ ଦମ୍ପତି ଗୁରୁତର ହୋଇଥିଲେ। ରବିବାର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ପଦ୍ମପୁର ନିକଟରେ ଗୟଳ ଆକ୍ରମଣରେ ଦୁଇଜଣ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।
କିଛିଦିନ ହେଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି। ଦୁଇଟି ଜଙ୍ଗଲୀ ଗୟଳ ଗତକାଲି ରାତିରେ ଆନନ୍ଦପୁର ବ୍ଲକ୍ ବାଉଁଶଗଡ଼ ଗ୍ରାମ ନିକଟରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ। ପ୍ରଥମେ ଲୋକେ ଏହାକୁ ମଇଁଷି ଭାବିଥିଲେ। ପରବର୍ତ୍ତୀ ସମୟରେ ସେମାନେ କ୍ଷୀପ୍ର ଗତିରେ ଦୌଡ଼ୁଥିବା ଦେଖି ଏହା ଜଙ୍ଗଲୀ ଗୟଳ ବୋଲି ଜାଣିବାକୁ ପାଇଥିଲେ। ଆଜି ସକାଳେ ଗୟଳ ଦୁଇଟି ପଦ୍ମପୁର ଅଞ୍ଚଳରେ ବୁଲୁଥିବା ବେଳେ ଶହଶହ ସଂଖ୍ୟାରେ ଲୋକ ସେମାନଙ୍କୁ ଘଉଡ଼ାଇଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ବେଳେ ମୁଖ୍ୟରାସ୍ତାରେ ଯାଉଥିବା ନୂଆ ପଦ୍ମପୁରର ଧର ବେହେରା (୭୦) ଓ ପୁରୁଣା ପଦ୍ମପୁରର ତ୍ରିଲୋଚନ ସାହୁ (୬୫)ଙ୍କୁ ଗୟଳ ଦୁଇଟି ହଠାତ୍ ଆକ୍ରମଣ କରି ରକ୍ତାକ୍ତ କରିପକାଇଥିଲେ। ଆକ୍ରମଣରେ ଦୁଇଜଣ ଅଚେତ ହୋଇ ରାସ୍ତାରେ ପଡ଼ି ରହିଥିବାବେଳେ ଲୋକମାନେ ଭୟରେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ନଥିଲେ।
ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ଓ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ। ବର୍ତ୍ତମାନ ଗୟଳ ଦୁଇଟି ବୈତରଣୀ ନଦୀକୂଳ ନିକଟସ୍ଥ ବୁଦାମୂଳରେ ରହିଥିବା ଜଣାପଡ଼ିଛି। ବନ ବିଭାଗ କର୍ମଚାରୀମାନେ ଲୋକଙ୍କୁ ସତର୍କ କରିବା ସହିତ ଷଡ଼ଙ୍ଗୀ, ଆନନ୍ଦପୁର ବ୍ୟାରେଜ୍, ତାଳଗାଁ ନିକଟରେ ଜଗି ରହିଛନ୍ତି। ଗୟଳ ଭୟରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ଗୟଳ ଦୁଇଟିକୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।