ଭୁବନେଶ୍ୱର : ଗତ ୫ ବର୍ଷ ଅର୍ଥାତ୍‌ ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ରାଜ୍ୟରେ ୮୦୨ଟି ହାତୀ, ବାଘ ଓ ଅନ୍ୟାନ୍ୟ ବିରଳ ବନ୍ୟଜନ୍ତୁ ଶିକାର ହୋଇଛନ୍ତି। ୨୦୧୬-୧୭ରେ ୧୧୭ଟି ବନ୍ୟଜନ୍ତୁ ଶିକାର ହୋଇଥିବା ବେଳେ ୨୦୧୭-୧୮ରେ ୧୫୭, ୨୦୧୮-୧୯ରେ ୧୫୮, ୨୦୧୯-୨୦ରେ ୧୩୦, ୨୦୨୦-୨୧ରେ ସର୍ବାଧିକ ୨୪୦ଟି ବନ୍ୟଜନ୍ତୁ ଶିକାରୀଙ୍କ ପଞ୍ଝାରେ ପଡ଼ିଛନ୍ତି। ସର୍ବାଧିକ ୩୩୪ଟି ବାର୍‌ହା ଶିକାର ହୋଇଛନ୍ତି। ଏହାବ୍ୟତୀତ ୧୧ଟି ହାତୀ, ୧୦ଟି କଲରାପତରିଆ ବାଘ, ୪ଟି ହେଟାବାଘ, ଗୋଟିଏ ମହାବଳ, ୧୨ଟି ଭାଲୁ, ୫ଟି କୃଷ୍ଣସାର ମୃଗ, ୮ଟି ଜଙ୍ଗଲୀ ବିଲେଇ, ୧୧୪ଟି କୁଟୁରା, ୭ଟି ଗୟଳ, ୨୦ଟି ଗୁରାଣ୍ଡି, ୫ଟି ବଜ୍ରକାପ୍ତା, ୨୩ଟି ଝିଙ୍କ, ୧୫ଟି ଠେକୁଆ, ୬୬ଟି ସମ୍ବର, ୯୭ଟି ମୃଗ, ୧୦ଟି ବେଲରା ମୂଷା, ୨୬ଟି ସାର୍କ, ୪ଟି ମାଙ୍କଡ଼, ୬ଟି ଶାଳିଆ ପାତିନି, ୩ଟି ବଣ କୁକୁଡ଼ା, ୬ଟି ଅହିରାଜ, ୨ଟି ଲେଖାଏ ମାଛରଙ୍କା ବିଲେଇ, ବିଲୁଆ, ପର୍ପୋଜ(ଡଲଫିନ୍‌ ଜାତୀୟ), ଅଜଗର, ଗୋଟିଏ ଲେଖାଏ ଗାଡ଼ ଭାଲୁ, କୁମ୍ଭୀର, ଚୌଶିଙ୍ଗା, ଉଡ଼ନ୍ତା ଗୁଣ୍ଡୁଚି, ମୟୂର, ଗୋଧି, କଇଁଛଙ୍କର ଶିକାର ହୋଇଛି।

Advertisment

publive-image

ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୩ ହଜାର ୨୪୮ ଜଣ ଶିକାରୀ ଗିରଫ ହୋଇଛନ୍ତି। ୨୦୧୬-୧୭ରେ ୫୩୭ ଜଣ ଶିକାରୀ ଗିରଫ ହୋଇଥିଲେ। ୨୦୧୭-୧୮ରେ ୪୭୪, ୨୦୧୮-୧୯ରେ ୧୨୭୪, ୨୦୧୯-୨୦ରେ ୩୫୪ ଓ ୨୦୨୦-୨୧ରେ ୬୦୯ ଜଣ ଶିକାରୀ ଗିରଫ ହୋଇଛନ୍ତି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ଏହା କହିଛନ୍ତି। ହାତୀ ମୃତ୍ୟୁ ସମ୍ପର୍କରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୪୦୬ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଦୁର୍ଘଟଣାରେ ୧୬୨ଟି ମରିଛନ୍ତି। ଯେଉଁଥିରେ ରେଳ ଦୁର୍ଘଟଣାରେ ୧୪, ରାସ୍ତା ଦୁର୍ଘଟଣାରେ ୪, ବିଦ୍ୟୁତ୍‌ ଆଘାତରେ ୫୪, ଶିକାରୀଙ୍କ ଦ୍ବାରା ୧୧ଟି ଓ ଅନ୍ୟାନ୍ୟ ଭାବେ ୯୦ଟି ହାତୀଙ୍କ ମୃତ୍ୟୁ ଘଟିଛି।