ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ ଚାଲିଛି ଅବାଧରେ ଜନ୍ତୁ ଶିକାର। ଜନ୍ତୁ ଶିକାର ପାଇଁ ଶିକାରୀମାନେ ଖୋଲାଖୋଲି ବ୍ୟବହାର କରୁଛନ୍ତି ଦେଶୀ ବନ୍ଧୁକ। ଶିକାରୀମାନଙ୍କ ପୁଲିସ୍ କି ବନ କର୍ମଚାରୀ କହା ପ୍ରତି ଭୟ ନାହିଁ। ତା’ ପରେ ପୁଣି ଜଙ୍ଗଲରେ ନିଆଁ ଲାଗିଲେ ଅଧିକ ସକ୍ରିୟ ହେଉଛନ୍ତି ଏହି ଶିକାରୀ। ନିଆଁ ଭୟରେ ପ୍ରାଣ ବିକଳରେ ଗାଁ ଆଡ଼କୁ ଚାଲି ଆସୁଥିବା ବନ୍ୟ ଜନ୍ତୁଙ୍କୁ ଶିକାର କରିବାକୁ ହାତଛଡ଼ା କରୁନାହାନ୍ତି ସେମାନେ।
ଶୁକ୍ରବାର ବଡ଼ମାଳ ରେଞ୍ଜ ମୋଚିବାହାଲ ସଂରକ୍ଷିତ ଜଙ୍ଗଲରେ ବନ କର୍ମଚାରୀମାନେ ଚଢ଼ଉ କରି ୨ ଜଣ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ତେବେ ଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ସହ ୨ ଜଣ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଗିରଫ ଦୁଇଜଣ ହେଲେ ଉକ୍ତ ରେଞ୍ଜ ଅଞ୍ଚଳ ଆମଦର ଗ୍ରାମର ରାମଚନ୍ଦ୍ର ନାଏକ (୨୮) ଓ ବସୁ ଧରୁଆ (୫୫)। ତାଙ୍କ ନିକଟରୁ ହରିଣର କଟା ମୁଣ୍ଡ, କଞ୍ଚ ଓ ରନ୍ଧା ମାଂସ, ଟାଙ୍ଗିଆ, ପନିକି ଜବତ କରାଯାଇଛି। ହେଲେ ହରିଣଟିକୁ ବନ୍ଧୁକରେ ଅନ୍ୟ କୌଣସି ଅସ୍ତ୍ରରେ ହତ୍ୟା କରାଯାଇଛି ତା’ର ସୂଚନା ବନ ବିଭାଗ ପାଇପାରି ନାହିଁ। ରେଢ଼ାଖୋଲ ଉପଖଣ୍ଡରେ ୬ଟି ରେଞ୍ଜ୍ ରହିଥିବା ବେଳେ ଗତ କିଛି ବର୍ଷ ହେଲା ଖଳାସୁଣୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ମଧ୍ୟ ଗୋଟିଏ ରେଞ୍ଜ୍ କାର୍ଯ୍ୟାଳୟ ରହିଛି।
ମାତ୍ର ଏହା ସତ୍ତ୍ବେ ବି ସବୁ ରେଞ୍ଜ ଅଞ୍ଚଳରେ ଚାଲିଛି ଖୋଲାଖୋଲି ଜନ୍ତୁ ଶିକାର ଓ ମୂଲ୍ୟବାନ କାଠ ଚୋରି। ଯଦ୍ବାରା ବନଖଣ୍ଡ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲ ଧୀରେ ଧୀରେ ପଦା ହେବା ସହିତ ଦୁର୍ଲଭ ବନ୍ୟ ଜନ୍ତୁ ବି ଲୋପ ପାଇବାକୁ ବସିଲେଣି। ବିଶେଷ କରି ରେଢ଼ାଖୋଲ ବନଖଣ୍ଡର ବଡ଼ମାଳ, ଚାରମାଳ, ବଡ଼ବାହାଳ, ଗିରିଶ୍ଚନ୍ଦ୍ରପୁର, ଖଳାଶୁଣୀ ରେଞ୍ଜ ଅଞ୍ଚଳରେ ଅବାଧରେ ଚାଲି ଜନ୍ତୁ ଶିକାର। କାଁ ଭାଁ ବନ ବିଭାଗ ଚଢଉ କରି ଜଣେ ଦୁଇଜଣ ଶିକାରୀଙ୍କୁ ଗିରଫ କରୁଥିଲେ ହେଁ ଏହା ଉପରେ ଅଂକୁଶ ଲଗାଇ ପାରୁନାହିଁ।
ବନ ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ ଜ୍ଞାତ ସାରରେ ଏହି ଶିକାର ଓ କାଠ ଚୋରି ଚାଲିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ପ୍ରାୟତଃ ସବୁ ଶିକାରୀଙ୍କ ପାଖରେ ରହିଛି ଦେଶୀ ବନ୍ଧୁକ ଓ ଗୁଳି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଗିରଫ ଶିକାରୀଙ୍କ ଠାରୁ ବନ୍ଧୁକ ଓ ଗୁଳି ଜବତ କରିବାରେ ବନ ବିଭାଗ ସକ୍ଷମ ହେଉନଥିବା ବେଳେ କେବଳ ଟାଙ୍ଗିଆ, ପନିକି, ଛୁରି ଓ ମାଂସ ଆଦି ଜବତ କରି ଦାୟିତ୍ବ ସାରି ଦେଉଛି। ଶିକାରୀମାନଙ୍କଠାରୁ ବନ୍ଧୁକ ଜବତ କରିବା ଦିଗରେ ବନ ବିଭାଗ କି ପୁଲିସ୍ କେହି ବି ଗୁରୁତ୍ବ ଦେଉନାହାନ୍ତି। ଯଦ୍ବାରା ଗ୍ରାମାଞ୍ଚଳରେ ଏବେ ଦେଶୀ ବନ୍ଧୁକ କାରବାର ଢେର ମାତ୍ରାରେ ବୃଦ୍ଧି ପାଇଛି।
ଅନ୍ୟପଟେ ରେଢ଼ାଖୋଲ ଅଞ୍ଚଳରେ ବିଭିନ୍ନ ଜନ୍ତୁ ମାଂସ ଖୋଲାଖୋଲି ବିକ୍ରି ହେଉଥିବା ଜଣାପଡ଼ିଛି। ବାରାହା, କୁଟୁରା, ହରିଣ, ସମ୍ବର ଆଦି ମାରି ଶିକାରୀମାନେ ଦଲାଲଙ୍କ ଜରିଆରେ ଖୋଲାଖୋଲି ବଜାରରେ ବିକ୍ରି କରୁଛନ୍ତି। ସବୁଠୁ ଅଧିକ ପସନ୍ଦ କରାଯାଉଛି ହରିଣ ମାଂସକୁ। ଯାହା କି କେଜି ୫ ଶହରୁ ୬ ଶହ ଟଙ୍କାରେ ବିକ୍ରି ହେଉଛି। ପୁଣି ରେଢ଼ାଖୋଲ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଢାବା ହୋଟେଲଗୁଡ଼ିକରେ ମଧ୍ୟ ଜନ୍ତୁ ମାଂସ ଅନାୟାସରେ ମିଳୁଛି। ଯାତ୍ରୀମାନେ ବିଶେଷ କରି ଉପକୂଳ ଅଞ୍ଚଳର ଗ୍ରାହକମାନେ ଢାବାରେ ସେ ସବୁ ଖାଇବାକୁ ପସନ୍ଦ କରୁଛନ୍ତି।
ସେହିପରି ଶିକାରୀମାନେ କିଛି ସହରୀ ବାବୁମାନଙ୍କୁ ମଧ୍ୟ ଜନ୍ତୁ ମାଂସ ଦେଇ ଅପ୍ୟାୟିତ କରିଥାନ୍ତି। ଏ ସଂପର୍କରେ ଡିଏଫ୍ଓ ଦେବୀ ପ୍ରସାଦ ରାଉତଙ୍କୁ ପଚାରିବାରେ, ‘ଜନ୍ତୁ ଶିକାର ରୋକିବା ସହ ଦେଶୀ ବନ୍ଧୁ ଜବତ କରିବାକୁ ଷ୍ଟାଫ୍ମାନଙ୍କୁ ନିର୍ଦେଶ ଦିଆଯାଇଛି। ଢାବା ହୋଟେଲମାନଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯିବ। ଏପରିକି ଢାବା, ହୋଟେଲ୍ କିମ୍ବା ଅନ୍ୟ କୌଣସି ସ୍ଥାନରେ ବନ୍ୟ ଜନ୍ତୁ ମାଂସ କାରବାର ଚାଲିଥିଲେ ସେ ସଂପର୍କରେ ଯିଏ ଖବର ଦେବ ତାଙ୍କୁ ପୁରସ୍କୃତ କରାଯିବା ବ୍ୟବସ୍ଥା ମଧ୍ୟ ରହିଛି’ ବୋଲି ପ୍ରକାଶ କରିଥିଲେ। ଖବରଦାତାଙ୍କ ନାମ ଗୋପନ ରଖାଯିବ ବୋଲି ସେ କହିଥିଲେ। ତେବେ ଯେଉଁଭଳି ଭାବେ ବର୍ତ୍ତମାନ ବନ୍ୟ ଜନ୍ତୁ ଶିକାର ଚାଲିଛି ଖୁବ୍ ଶୀଘ୍ର ବନଖଣ୍ଡ ଅଞ୍ଚଳରୁ ସେମାନଙ୍କ ଲୋପ ହୋଇଯିବ ବୋଲି ପରିବେଶବିତ୍ମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ରୋକିବା ଦିଗରେ ଉଭୟ ବନ ବିଭାଗ ଓ ପୁଲିସ୍ ପ୍ରଶାସନ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି।