ଜୟପୁର/ବୈପାରିଗୁଡ଼ା: ଜୈବ ବିବିଧତାର ଗନ୍ତାଘର ମାଳଭୂମି ଏବେ ମାଫିଆଙ୍କ ଟାର୍ଗେଟରେ। ପୂର୍ବରୁ ହାତୀଦାନ୍ତ, ବାରହା ଶିକାର ସହ ଗଞ୍ଜେଇ ଓ ଚନ୍ଦନ କାଠ ଚୋରା ଚାଲାଣ କରୁଥିଲେ। ଏବେ ବିରଳ ବଜ୍ରକାପ୍ତା ଉପରେ ନଜର ପକାଇଛନ୍ତି। ଚୋରା ଚାଲାଣର ଚେର ଲମ୍ବିଛି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ। ବାହାର ଦେଶକୁ ଚୋରା ଚାଲାଣ ହେଉଥିବା ବ୍ରଜକାପ୍ତାକୁ ଗୁରୁବାର ରାତିରେ ଏସଟିଏଫ୍ ଟିମ୍ ଚଢ଼ାଉ କରି ଉଦ୍ଧାର କରିବା ପରେ ଏହି ଖୁଲାସା କରିଛି। ଫଳରେ ମାଳଭୂମିର ବନ୍ୟଜନ୍ତୁ ସଙ୍କଟରେ ଥିବା ସ୍ପଷ୍ଟ ହୋଇଛି।
କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଦଶମନ୍ତପୁର, ଗୁପ୍ତେଶ୍ବର, ରାମଗିରି, ନୂଆଗୁଡା ଗୁମ୍ମା, ଦଣ୍ଡାବାଡି ଅଞ୍ଚଳରେ ବହୁଳ ଭାବରେ ବିରଳ ବ୍ରଜକାପ୍ତା ଅଛନ୍ତି। ଏଥି ସହିତ ବହୁ ବିରଳ ବନ୍ୟଜନ୍ତୁ ବୈପାରିଗୁଡା ଜଙ୍ଗଲରେ ରହିଥିବାରୁ ଜୈବ ବିବିଧତା କେନ୍ଦ୍ର କରିବାକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଲକ୍ଷ୍ୟ ରଖିଛି। ୨୦୨୦ ଏପ୍ରିଲ୍ ମାସରେ ଦଶମନ୍ତପୁର ପଞ୍ଚାୟତ ଅଞ୍ଚଳରୁ ଏକ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଧରା ପଡିଥିଲା। ସେହିପରି ୨୦୨୧ରେ କୋଟପାଡ଼ ରେଞ୍ଜ ଅଞ୍ଚଳରୁ ୪.୬ କିଲୋର ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା ବନ ବିଭାଗ। ଏହାର ୨ ବର୍ଷ ପରେ ଗୁରୁବାର ଚୋରା ଚାଲାଣ ପୂର୍ବରୁ ଦ୍ବିତୀୟ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସଟିଏଫ୍ ଟିମ୍। ରାମଗିରି ବଡପଡା ଗ୍ରାମରୁ ଏହି ବଜ୍ରକାପ୍ତା ଚାଲାଣ କରାଯାଉଥିବା ଏସଟିଏଫର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। କାହା ଲିଙ୍କରେ ଚୋରା ଚାଲାଣକାରୀ ବଜ୍ରକାପ୍ତାକୁ ନେଉଥିଲେ ସେ ନେଇ ଅଧିକ ତଦନ୍ତ ଚାଲିଛି। କେବଳ ବଜ୍ରକାପ୍ତା କାହିଁକି ବୈପାରିଗୁଡ଼ା ଜଙ୍ଗଲରେ ଥିବା ବହୁ ବିରଳ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବେ ବାହାର ରାଜ୍ୟ ଓ ଦେଶକୁ ଚୋରା ଚାଲାଣ କରୁଛନ୍ତି ମାଫିଆ।
ଏହା ପଛରେ ବଡ ରାକେଟ୍ କାମ କରୁଥିବା ବେଳେ ଥରେ ଅଧେ ବନ ବିଭାଗ ମାଫିଆଙ୍କୁ ଧରୁଥିବା ବେଳେ ବହୁ ସମୟରେ ଏମାନେ ଖସି ଯାଉଛନ୍ତି। ଫଳରେ ବିରଳ ବନ୍ୟଜନ୍ତୁଙ୍କ ସଂଖ୍ୟା ଲୋପ ପାଇବାରେ ଲାଗିଛି। ବଜ୍ରକାପ୍ତା ପୂର୍ବରୁ ବହୁ ମାଫିଆ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ରହୁଥିଲେ। ପୁଲିସର ଧରପଗଡ଼ ପରେ ପୁଣି ପୁରୁଣା ବୃତ୍ତିକୁ ଫେରିଛନ୍ତି ମାଫିଆ। ହାତୀଦାନ୍ତ ପାଇଁ ମାଫିଆ ଅବିଭକ୍ତ କୋରାପୁଟରେ ଥିବା ବହୁ ହାତୀକୁ ଶିକାର କରିଛନ୍ତି। ୨୦୨୧ ରେ ଏସଟିଏଫ୍ ଟିମ୍ ରାୟଗଡ଼ା ଜିଲ୍ଲାର ରାମନାଗୁଡା ଅଞ୍ଚଳରେ ଚଢ଼ାଉ କରି ହାତୀ ଦାନ୍ତ ସହ ୩ ମାଫିଆଙ୍କୁ ଗିରଫ କରିଥିଲା। କୋରାପୁଟ, ରାୟଗଡ଼ା ଜିଲ୍ଲା ହାତୀଶୂନ୍ୟ ହୋଇ ପଡିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଛତିଶଗଡ଼ ହାତୀପଲ ଦୌରାତ୍ମ୍ୟ କରୁଛନ୍ତି। ସେହିପରି କୋରାପୁଟ ଜିଲ୍ଲାର ନନ୍ଦପୁର ଅଞ୍ଚଳ ଚନ୍ଦନ ବଣ ପାଇଁ ଖ୍ୟାତି ଥିଲା। ମାଫିଆଙ୍କ ପାର୍ଦୁଭାବ ଯୋଗୁ ଏବେ ଆଉ ଗୋଟିଏ ବି ଗଛ ନାହିଁ। ଏହି ଅଞ୍ଚଳର ବଜ୍ରକାପ୍ତା ସହ ବହୁରୂପୀ ଏଣ୍ଡୁଅ ଓ ଅନ୍ୟ ବିରଳ ସରୀସୃପ, ବନ୍ୟଜନ୍ତୁର ଚାହିଦା ବାହାର ଦେଶରେ ଅଧିକା ରହିଥିବାରୁ ଚୋରା ଚାଲାଣ ବଢ଼ୁଛି। ଯାହାର ସୁରାକ୍ ବନ ବିଭାଗ ପାଖରେ ପହଞ୍ଚି ପାରୁନି।