କେନ୍ଦୁଝର: ହାତୀ ମୃତ୍ୟୁ ନେଇ କେନ୍ଦୁଝର ଜିଲ୍ଲା ଦୁର୍ନାମ ମୁଣ୍ଡାଇଛି। ଜିଲ୍ଲାରେ କେବଳ ହାତୀ ମରୁ ନାହାନ୍ତି ବନ୍ୟପ୍ରାଣୀ ହାତୀ, ଭାଲୁ ଓ ବାର୍‌ହା ଆକ୍ରମଣରେ ପ୍ରତ୍ୟେକ ବର୍ଷ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ସେହିପରି ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଥିବାରୁ ଚାଷୀ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ି ଯାଉଛି।

Advertisment

ମିଳିଥିବା ସୂଚନା ଅନୁସାରେ, ୨୦୧୬-୧୭ ମସିହାରେ କେନ୍ଦୁଝର ଜିଲ୍ଲାରେ ବନ୍ୟଜନ୍ତୁ ଆକ୍ରମଣରେ ୧୦ଜଣ ପ୍ରାଣ ହରାଇଥିଲେ। ‌ସେମାନଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା ବନ ବିଭାଗ ପ୍ରଦାନ କରିଛି। ସେହିପରି ୩୪ଜଣ ବନ୍ୟପ୍ରାଣୀ ଆକ୍ରମଣରେ ଆହତ ହୋଇଥିବା ବେଳେ ହାତୀ ୧୦୨ଜଣଙ୍କ ଘର ଭାଙ୍ଗିଛି। ୩୭୬୨ଜଣଙ୍କ ୯୫୧ ଏକର ଜମିର ଫସଲ ନଷ୍ଟ କରିଛି। ୨୦୧୭-୧୮ରେ ବନ୍ୟଜନ୍ତୁ ଆକ୍ରମଣରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୨୯ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଏହିବର୍ଷ ୨୬ଜଣ ବନ୍ୟପ୍ରାଣୀ ଆକ୍ରମଣରେ ଆହତ ‌ହୋଇଥିବା ବେଳେ ହାତୀ ୨୧୬ଜଣଙ୍କ ଘର ଭାଙ୍ଗିଛି। ୩୫୧୭ଜଣଙ୍କ ୯୦୫ ଏକର ଜମିର ଫସଲ ନଷ୍ଟ ‌କରିଛି।

୨୦୧୮-୧୯ ମସିହାରେ ବନ୍ୟଜନ୍ତୁ ଆକ୍ରମଣରେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୬ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହିବର୍ଷ ୩୦ ଜଣ ବନ୍ୟପ୍ରାଣୀ ଆକ୍ରମଣରେ ଆହତ ‌ହୋଇଥିବା ବେଳେ ୧୦୪ଜଣଙ୍କ ଘର ଭାଙ୍ଗିଛି ହାତୀ। ୩୫୧୪ଜଣଙ୍କ ୮୫୬ଏକର ଜମିର ଫସଲ ନଷ୍ଟ କରିଛି। ୨୦୧୯-୨୦ରେ ବନ୍ୟଜନ୍ତୁ ଆକ୍ରମଣରେ ୯ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୩୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହିବର୍ଷ ୩୮ଜଣ ବନ୍ୟପ୍ରାଣୀ ଆକ୍ରମଣରେ ଆହତ ‌ହୋଇଥିବା ବେଳେ ହାତୀ ୩୩୫ଜଣଙ୍କ ଘର ଭାଙ୍ଗିଛି। ୩୫୮୧ଜଣଙ୍କ ୯୦୪ ଏକର ଜମିରେ ଫସଲ ନଷ୍ଟ କରିଛି।

୨୦୨୦-୨୧ରେ ବନ୍ୟପ୍ରାଣୀ ଆକ୍ରମଣରେ ୬ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ପରିବାରକୁ ୨୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ୫୪ଜଣ ଆହତ ‌ହୋଇଥିବା ବେଳେ ହାତୀ ୧୩୯ଜଣଙ୍କ ଘର ଭାଙ୍ଗିଛି। ୩୮୫୯ଜଣଙ୍କ ୮୩୬ଏକର ଜମିର ଫସଲ ନଷ୍ଟ କରିଛି। ୨୦୨୧-୨୨ ମସିହାରେ ବନ୍ୟଜନ୍ତୁ ଆକ୍ରମଣରେ ମୋଟ ୧୩ଜଣ ପ୍ରାଣ ହରାଇଥିବା ବେଳେ ‌ସେମାନଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୨ ଲକ୍ଷ ଟଙ୍କା ବନ ବିଭାଗ ପ୍ରଦାନ କରିଛି। ୫୫ଜଣ ବନ୍ୟପ୍ରାଣୀ ଆକ୍ରମଣରେ ଆହତ ‌ହୋଇଛନ୍ତି। ହାତୀ ୧୮୫ଜଣଙ୍କ ଘର ଭାଙ୍ଗିଥିବା ବେଳେ ୨୧୦୭ ଜଣଙ୍କ ୮୦୪୮ଏକର ଜମିର ଫସଲ ନଷ୍ଟ ‌କରିଥିବା ସୂଚନା ମିଳିଛି।