ବିପଦରେ କପିଳାସର ବନ୍ୟଜନ୍ତୁ

ଶିକାରୀ ସକ୍ରିୟ, ଅଢ଼େଇବର୍ଷ‌ରେ ୧୪୧ ଗିରଫ, ବିଭିନ୍ନ ବନାଞ୍ଚଳରେ ୮୧ଟି ମାମଲା ରୁଜୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ବନ୍ୟଜନ୍ତୁଙ୍କ ଶିକାର ବଢ଼ିବଢ଼ି ଚାଲିଛି। ଶିକାରୀମାନେ ନାନାଉପାୟ ଆପଣେଇ ଶିକାର କରି ଚାଲିଛନ୍ତି। ବିଭିନ୍ନ ସମୟରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଶିକାରୀମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଶିକାରୀମାନଙ୍କ ପ୍ରାଦୁର୍ଭାବ କମୁନି। ଗତ ଅଢ଼େଇବର୍ଷ ମଧ୍ୟରେ କପିଳାସ ସରଂକ୍ଷିତ ଜଙ୍ଗଲରେ ସର୍ବାଧିକ ବନ୍ୟଜନ୍ତୁ ଶିକାର ହୋଇଥିବା ଜଣାପଡ଼ିଛି। ବିଭିନ୍ନ ବନାଞ୍ଚଳରେ ୮୧ଟି ମାମଲା ରୁଜୁ ହୋଇଥିବା ବେଳେ ୧୪୧ ଜଣ ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୩୮ଟି ବନ୍ଧୁକ ଜବତ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ଢେଙ୍କାନାଳ ବନାଞ୍ଚଳରେ ହାତୀ, ସମ୍ବର, ବଜ୍ରକାପ୍ତା, ଚିତାବାଘ, ବାର୍‌ହା, ଭାଲୁ, ହରିଣ ଆଦି ବିଭିନ୍ନ ପ୍ରକାର ବନ୍ୟ ଜୀବଜନ୍ତୁ ରହିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାର ୮ଟି ବନାଞ୍ଚଳରେ ନିୟମିତ କର୍ମଚାରୀଙ୍କ ସମେତ ୯୫ଟି ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ବାଡ୍‌, ୫୪ଟି ଏଲିଫ୍ୟାଣ୍ଟ ସ୍କ୍ବାଡ୍‌, ୧୩୦ଟି ଆଣ୍ଟି ଡିପ୍ରେଡେସନ୍ ସ୍କ୍ବାଡ୍‌, ୮ଟି ହାତୀ ଟ୍ରାକର୍‌, ୫ଟି ଆଣ୍ଟି ପୋଚିଂ ସ୍କ୍ବାଡ୍‌, ୫ଟି ମଙ୍କି ମ୍ୟାନେଜମେଣ୍ଟ୍‌ ଟିମ୍, ୫ଟି ୱାଚର ଫର ପ୍ରୋଟେକ୍ସନ୍‌ଙ୍କୁ ନିୟୋଜିତ କରାଯାଇଛି। ଏହାସତ୍ତ୍ବେ ଶିକାରୀଙ୍କ କବଳରୁ ରକ୍ଷା ପାଇପାରୁ ନାହାନ୍ତି ବନ୍ୟଜନ୍ତୁ। ଲୁଚିଛପି ଜଙ୍ଗଲ ଭିତରେ ପ୍ରବେଶ କରି ଶିକାରୀମାନେ ନାନା ଉପାୟରେ ଶିକାର କରୁଛନ୍ତି। ବାର୍‌ହା ପାଇଁ ବିଛାଇଥିବା ବିଦ୍ୟୁତ୍ ଫାଶରେ ଫଡି ଅନେକ ସ୍ଥାନରେ ମଣିଷମାନଙ୍କ ଜୀବନ ଚାଲିଯାଉଛି। ହାତୀମାନେ ମଧ୍ୟ ଏହି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି। ଶିକାର ପାଇଁ ବିଛାଯାଇଥିବା ବିସ୍ଫୋରକକୁ ଖାଇ ମଧ୍ୟ ଅନେକ ଗାଈଗୋରୁ ଗୁରୁତର ହେଉଛନ୍ତି। ବନବିଭାଗ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଇ ଶିକାରୀମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ସେମାନଙ୍କ ପ୍ରାଦୁର୍ଭାବ ହ୍ରାସ ପାଇବା ପରିବର୍ତ୍ତେ ବଢ଼ିବଢ଼ି ଚାଲିଛି।

firstpost.com

ସୂଚନା ଅନୁସାରେ, ୧୦୧୯ ମସିହାରେ ବନ୍ୟଜନ୍ତୁ ଶିକାରକୁ ନେଇ ଢେଙ୍କାନାଳ, ଷଡ଼ଙ୍ଗୀ, କାମାକ୍ଷାନଗର ଇଷ୍ଟ, ହିନ୍ଦୋଳ ଏବଂ ମହାବୀରୋଡ୍ ବନାଞ୍ଚଳରେ ୮ଟି ମାମଲା ରୁଜୁ ହୋଇଛି। ଏଥିରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଢେଙ୍କାନାଳ ସଦର ରେଞ୍ଜରୁ ସର୍ବାଧିକ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେହିବର୍ଷ ଗିରଫ ଅଭିଯୁକ୍ତମାନଙ୍କଠାରୁ ୮୦ ସେମିର ହାତୀଦାନ୍ତ, ୧୭ କେଜି ଜଙ୍ଗଲୀ ବାର୍‌ହା ମାଂସ, ହାତୀଦାନ୍ତ ୨ଟା, ମୃତ କୁଟୁରା ଆଦି ଜବତ କରାଯାଇଛି। ୨୦୨୧ ମସିହାରେ ଢେଙ୍କାନାଳ ସଦର ରେଞ୍ଜ୍‌ରେ ବନ୍ୟଜନ୍ତୁ ଶିକାରକୁ ନେଇ ୨ଟି ମାମଲା ରୁଜୁ ହୋଇଥିବାବେଳେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କପିଳାସ ସରଂକ୍ଷିତ ଜଙ୍ଗଲରେ ସର୍ବାଧିକ ୧୫ଟି ମାମଲା ରୁଜୁ ହୋଇଥିବାବେଳେ ୧୪ଜଣ ଶିକାରୀଙ୍କୁ ଏବଂ ୧୮ ଜଣ ବନ୍ୟଜନ୍ତୁ ତସ୍କରଙ୍କୁ ଗିରଫ କରାଯାଇଛି। ଗିରଫ ଶିକାରୀମାନଙ୍କଠାରୁ ୧୩ଟି ବନ୍ଧୁକ ଜବତ କରାଯାଇଛି। ଷଡ଼ଙ୍ଗୀ ରେଞ୍ଜର ୧୧ଟି ରେଞ୍ଜରେ ୧୧ଟି ମାମଲା ରୁଜୁ ହୋଇଥିବାବେଳେ ୧୫ ଜଣ ଶିକାରୀ ଏବଂ ୭ ଜଣ ତସ୍କରଙ୍କୁ ଗିରଫ କରାଯାଇଛି। କାମାକ୍ଷାନଗର ଇଷ୍ଟ୍‌ରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କାମାକ୍ଷାନଗର ଓ୍ବେଷ୍ଟ୍‌ରେ ବନ୍ୟଜନ୍ତୁ ଶିକାରରେ ୪ଟି ମାମଲାରେ ୪ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ଏବଂ ୨ଟି ମାମଲା ରୁଜୁ କରାଯାଇଛି। ହିନ୍ଦୋଳ ବନାଞ୍ଚଳରେ ୬ଟି ମାମଲାର ୧୪ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ଏବଂ ସୋନଙ୍କଠାରୁ ୩ଟି ବନ୍ଧୁକ ଜବତ କରାଯାଇଛି। ମହାବୀରୋଡ୍ ରେଞ୍ଜରେ ୩ଟି ମାମଲାରେ ୪ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଏପରିଭାବେ ୨୦୨୧ ବର୍ଷରେ ୪୩ଟି ମାମଲାରେ ୬୦ ଜଣ ଶିକାରୀ, ୨୫ ଜଣ ତସ୍କରଙ୍କୁ ଗିରଫ କରାଯାଇଥିବା ବେଳେ ୧୮ ଟି ବନ୍ଧୁକ, ୫୦ କେଜି ବାର୍‌ହା ମାଂସ, ଚିତାବାଘ, ବଜ୍ରକାପ୍ତା କାତି, ହାତୀଦାନ୍ତ, ହରିଣ, ସମ୍ବର ଆଦିର ଶିଙ୍ଗ, ବାର୍‌ହା ନଖ, ଦାନ୍ତ, ଝିଙ୍କ ଆଦି ଜବତ କରାଯାଇଛି।

ସେହପିରି ୨୦୨୨ର ଜୁନ୍‌ ମାସ ସୁଦ୍ଧା ୩୦ଟି ମାମଲାରେ ୬୧ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୦ଟି ବନ୍ଧୁକ ସହ ବାର୍‌ହା, ଗୁଣ୍ତୁରାମୂଷା ମାଂସ ୭୨.୮୫ କେଜି, ବଜ୍ରକାପ୍ତା କାତି, ବିଲ୍ ହୁକ୍ ଆଦିକୁ ଜବତ କରାଯାଇଥିଲା। ଢେଙ୍କାନାଳ ରେଞ୍ଜ୍‌ରେ ୫ଟି ମାମଲାରେ ୮ ଜଣ ଶିକାରୀ ଗିରଫ ହୋଇଛନ୍ତି ଏବଂ ୧ଟି ବନ୍ଧୁକ ଜବତ ହୋଇଛି। କପିଳାସ ରେଞ୍ଜ୍‌ରେ ୯ଟି ମାମଲାରେ ୨୦ ଜଣ ଶିକାରୀ ଗିରଫ ହୋଇଛନ୍ତି ଏବଂ ୧୨ଟି ବନ୍ଧୁକ ଜବତ ହୋଇଛି। ଷଡ଼ଙ୍ଗୀରେ ୫ଟି ମାମଲାରେ ୯ଜଣ ଶିକାରୀ ଗିରଫ ହୋଇଛନ୍ତି ଏବଂ ୩ଟି ବନ୍ଧୁକ ଜବତ ହୋଇଛି। କାମାକ୍ଷାନଗର ଇଷ୍ଟରେ ଗୋଟିଏ ମାମଲାରେ ୫ଜଣ ଶିକାରୀ ଗିରଫ ହୋଇଛନ୍ତି। ହିନ୍ଦୋଳ ବନାଞ୍ଚଳରେ ୮ଟି ମାମଲାରେ ୧୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ଏବଂ ୩ଟି ବନ୍ଧୁକ ଜବତ ହୋଇଛି। ସେହିପରି, ମହାବୀରୋଡ୍‌ରେ ୨ଟି ମାମଲାରେ ୨ଜଣ ଶିକାରୀ ଗିରଫ ହୋଇଥିବାବେଳେ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ବନ୍ୟଜନ୍ତୁ ଶିକାର ଦିନକୁଦିନ ବଢ଼ୁଥିବାବେଳେ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଶିକାରୀମାନଙ୍କୁ ଗିରଫ କରାଯାଉଛି। ଏହାପରେ ସେମାନେ ଜାମିନ୍‌ରେ ଆସି ପୁନର୍ବାର ପୁଣି ସେହି କାର୍ଯ୍ୟରେ ଲାଗିପଡୁଛନ୍ତି। ଫଳରେ ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବନ୍ୟଜନ୍ତୁ ଶିକାର ଉପରେ ପ୍ରତିବନ୍ଧକ ଲଗାଯାଇପାରନ୍ତା ବୋଲି ପରିବେଶବିତ୍‌ଙ୍କ ମଧ୍ୟରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର