ଭୁବନେଶ୍ବର : ନନ୍ଦନକାନନରେ ଏକାକୀ ଜୀବନ ବିତାଉଥିବା ବନ୍ୟଜନ୍ତୁଙ୍କୁ ମିଳିବ ସାଥୀ। ଜିରାଫ, ଧୂସର ଗଧିଆ, ସାରସ ପକ୍ଷୀ, ସିଲଭର କ୍ରାଷ୍ଟେଡ୍ କକାଟୋ, ହଳଦୀପିଠିଆ ଲରି, ବର୍ମା ଅଜଗର ଭଳି ବନ୍ୟଜନ୍ତୁ ଓ ସରୀସୃପଙ୍କ ଏନ୍‌କ୍ଲୋଜରକୁ ନୂଆ ସାଥୀ ଆସିବେ। ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇ ନଥିଲେ ମଧ୍ୟ ଏଠାରେ ଏକାକୀ ଜୀବନ ବିତାଉଥିବା ଜନ୍ତୁଙ୍କ ଲାଗି ଦେଶର ଅନ୍ୟ ଚିଡ଼ିଆଖାନାରୁ ସାଥୀ ଅଣାଯିବ। ଏଥିସହ ଏଠାରେ ବଂଶଲୋପ ପାଇଥିବା ମାଙ୍କଡ଼ ପ୍ରଜାତି ମଧ୍ୟରେ ହୁଲୁକ ଗିବନ, ସିଂହଲାଞ୍ଜି, ଓରାଙ୍ଗଓଟାନ, ଲଜ୍ଜାବତୀ, ନୀଳଗିରି ହନୁ, ଜେବ୍ରା, ଗଣ୍ଡା, ବିରଳ କଳା ଚିତାବାଘ ଓ ପକ୍ଷୀଙ୍କ ମଧ୍ୟରେ କାସ୍ବାରୀ, ନି କୋବାର ପାରା, ଲାଲ ମୁନିଆ, ଲାଲ ମାକାଓ ପ୍ରଭୃତିକୁ ପୁଣିଥରେ ଆଣିବାକୁ ବି ବିଚାରବିମର୍ଶ ଜାରି ରହିଛି। ଯଦି ସବୁ ଠିକ୍‌ଠାକ୍‌ ଚାଲେ, ୨୦୨୩ ବେଳକୁ ନନ୍ଦନକାନନ ପୁଣିଥରେ ପୂରି ଉଠିବ।

Advertisment

publive-image Telegraph India

ନନ୍ଦନାକାନନ ଗସ୍ତ ସମୟରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏ)ର ସଦସ୍ୟ ସଚିବ ସଞ୍ଜୟ କୁମାର ଶୁକ୍ଳା ଏନେଇ ଆଶ୍ବାସନା ଦେଇଛନ୍ତି। ଶାଗୁଣା ବଂଶବୃଦ୍ଧି ପାଇଁ ନନ୍ଦନକାନନରେ ଚାଲିଥିବା ପ୍ରଜନନ ଯୋଜନାକୁ ଶକ୍ତ ଧକ୍କା ଲାଗିଛି। ସବୁ ଚେଷ୍ଟା ପରେ ବି ୫ବର୍ଷ ମଧ୍ୟ‌ରେ ଏଠାରେ ଶାଗୁଣା ବଂଶ ବୃଦ୍ଧି ପାଇପାରି ନାହିଁ। ବରଂ ଦିନକୁ ଦିନ ଶାଗୁଣାଙ୍କ ସଂଖ୍ୟା କମିବାରେ ଲାଗିଛି। ଯେଉଁ କିଛି ଶାଗୁଣା ରହିଛନ୍ତି, ସେମାନେ କାଁ ଭାଁ ଅଣ୍ଡା ଦେଉଛନ୍ତି ସତ, ମାତ୍ର ଛୁଆ ଫୁଟୁ ନାହାନ୍ତି। ଅଧିକ ଜନ୍ତୁ ନ ଥିବାରୁ ବଂଶ ବୃଦ୍ଧି ବି ହୋଇପାରୁ ନାହିଁ। ସିଜେଡ୍‌ଏର ସଦସ୍ୟ ସଚିବ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି। କିଛି ମାସ ପୂର୍ବରୁ ନନ୍ଦନକାନନର ଏକ ଟିମ୍‌ ପଞ୍ଜାବର ପିଞ୍ଜର୍‌ରେ ଶାଗୁଣା ପ୍ରଜନନ ସଫଳତା ସମ୍ପର୍କରେ ଜାଣିବା ଲାଗି ସେଠାକୁ ଯାଇଥିଲା। କର୍ମଚାରୀମାନେ ଯାହା ଶିକ୍ଷା ଲାଭ କରିଥିଲେ, ତାହାକୁ ଏଠାରେ ପ୍ରୟୋଗ କରିବାକୁ କୁହାଯାଇଛି। ଏଥିସହ ଯେଉଁ ଚିଡ଼ିଆଖାନାରେ ଅଧିକ ଶାଗୁଣା ରହିଛନ୍ତି, ସେଠାରୁ ଆଣିବାକୁ ନନ୍ଦନକାନନ କର୍ତୃପକ୍ଷ ଦେଇଥିବା ପ୍ରସ୍ତାବକୁ ସିଜେଡ୍‌ଏ ଗ୍ରହଣ କରିଥିବା ଜଣାପଡ଼ିଛି।

publive-image ScrollDroll

ଦୁଇଦିନିଆ ଗସ୍ତ ସମୟରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଆଉ କିଛି ପ୍ରସ୍ତାବ ଉପରେ ଶ୍ରୀ ଶୁକ୍ଳା ଗୁରୁତ୍ବ ଦେଇଛନ୍ତି। ଉଦ୍ଧାର ହୋଇ ନନ୍ଦନକାନନ ଆସୁଥିବା ବନ୍ୟଜନ୍ତୁଙ୍କ ଲାଗି ରହିଥିବା ନିୟମାବଳୀରେ ସଂଶୋଧନ କରିବା ଦିଗରେ ପଦକ୍ଷେପ ନିଆଯିବ। ବିଶେଷକରି ଉଦ୍ଧାର‌ ହୋଇ ଆସୁଥିବା ବନ୍ୟଜନ୍ତୁଙ୍କ ମଧ୍ୟରୁ ଯେଉଁମାନଙ୍କୁ ପୁଣିଥରେ ଜଙ୍ଗଲକୁ ଛାଡ଼ିବା ସମ୍ଭବପର ହେଉନାହିଁ। ସେମାନଙ୍କୁ କିଭଳି ରଖାଯାଇପାରିବ, ସେନେଇ ଉଭୟ କର୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଦେଶରୁ ଅଣାଯିବାକୁ ଥିବା କିଛି ଜନ୍ତୁଙ୍କ ବିଳମ୍ବ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି ଯେ କେଉଁଠୁ କେଉଁ ଜନ୍ତୁ ଆସିବେ, ସେନେଇ ଯୋଜନା ହୋଇଛି। ମାତ୍ର ବିଦେଶରୁ ଜନ୍ତୁ ଆଣିବା ଲାଗି ଅନେକ ରାଜିନାମା କରିବାକୁ ପଡ଼ୁଥିବାରୁ ବିଳମ୍ବ ହେଉଛି। ଏନେଇ ସିଜେଡ୍‌ଏ ସଦସ୍ୟ ସଚିବଙ୍କୁ ଅବଗତ କରାଇଛୁ। ଯେଉଁ ପ୍ରତିବନ୍ଧକ ସବୁ ରହିଛି, ତାହାକୁ ଦୂର କରିବା ଦିଗରେ ପଦକ୍ଷେପ ନେବେ ବୋଲି ଆଶ୍ବାସନା ମଧ୍ୟ ରହିଛି। ଚିଡ଼ିଆଖାନାର ବିକାଶ ଲାଗି ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଲାନ୍‌ର ସଫଳ ରୂପାୟନ ଲାଗି ଏବେ ବାର୍ଷିକ ଭିତ୍ତିରେ କାର୍ଯ୍ୟ ଜାରି ରହିଛି।

ଜଗିଲେ ଓଡ୍ରାଫ୍‌, ବୁଲିଲେ ପର୍ଯ୍ୟଟକ
ରଜ ଅବସରରେ ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଛି। ହଜାର ହଜାର ପର୍ଯ୍ୟଟକ ଆସୁଥିବାରୁ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ସିସିଟିଭି କ୍ୟାମେରାରେ ସମସ୍ତ ଚିତ୍ରକୁ କଏଦ୍‌ କରାଯାଇଛି। ଚିଡ଼ିଆଖାନାର କର୍ମଚାରୀ ଓ ଅଧିକାରୀମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନଜର ରଖିଥିଲେ। ସେହିପରି ବୋଟିଂ କରୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦିଆଯାଇଛି। କୌଣସି ପ୍ରକାର ଅଘଟଣ ଏଡ଼ାଇବା ଲାଗି ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ କର୍ମଚାରୀ, ଆମ୍ବୁଲାନ୍ସ, ପୁଲିସ ଉପସ୍ଥିତ ରହିଥିଲେ। ସୌଭାଗ୍ୟବଶତଃ ରଜ ତିନି ଦିନ ମଧ୍ୟରେ କୌଣସି ପ୍ରକାର ଅଘଟଣ ସାମ୍ନାକୁ ଆସି ନାହିଁ।