ଅନୁଗୁଳ : ଶେଷଥର ପାଇଁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରିମଣ୍ଡଳରେ ଇସ୍ପାତ ଓ ଖଣିମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ। ଏହାପରେ ଜିଲ୍ଲାରୁ କେହି ମନ୍ତ୍ରୀ ହେବାର ସୌଭାଗ୍ୟ ପାଇନାହାନ୍ତି। ଏବେ କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଆଭାସ ମିଳିବା ପରେ ଅନୁଗୁଳକୁ ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜିଲ୍ଲାର ୫ ବିଜେଡି ବିଧାୟକଙ୍କ ଭିତରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ କିମ୍ବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ବିଜେଡି ମହଲରେ ଜୋରସୋର ଆଲୋଚନା ଚାଲିଛି। ଏପଟେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ସମର୍ଥକ ମହଲ ବି ଢେର୍ ଆଶାବାଦୀ ଅଛନ୍ତି।
ଅନୁଗୁଳ ଜିଲ୍ଲାରେ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ଏବେ ୫ଟି ଯାକ ଆସନରେ ବିଜେଡି ବିଧାୟକ ଅଛନ୍ତି। ୨୦୧୯ ନିର୍ବାଚନରେ ଜିଲ୍ଲାବାସୀ ବିଜେଡିକୁ ବିପୁଳ ସମର୍ଥନ ଦେଇଥିଲେ ମଧ୍ୟ ଜିଲ୍ଲା ମନ୍ତ୍ରୀ ଛେଉଣ୍ଡ ହୋଇ ରହିଛି। କେବଳ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ବିଧାନସଭାର ଉପବାଚସ୍ପତି ପଦ ମିଳିଛି। ସେହିପରି ନବୀନଙ୍କ ୨୦୧୪-୨୦୧୯ ପାଳିରେ ଅନୁଗୁଳ ଜିଲ୍ଲାର ୫ଟି ଯାକ ଆସନରେ ବିଜେଡି ବିଧାୟକ ରହିଥିଲେ। କିନ୍ତୁ କାହାକୁ ମନ୍ତ୍ରୀ କରିବାକୁ ଉଚିତ ମନେ କରି ନ ଥିଲେ ନବୀନ। ଏବେ କିନ୍ତୁ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହେବାପରେ ପୁଣି ଆଶାରେ ରହିଛି ଅନୁଗୁଳ।
ଜିଲ୍ଲାର ବିଜେଡି ନେତାମାନଙ୍କ ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାକୁ ଏଥର ଅଦଳବଦଳରେ ନିଶ୍ଚୟ ଗୁରୁତ୍ବ ମିଳିବ। ଜିଲ୍ଲାକୁ ଅତି କମ୍ରେ ଗୋଟିଏ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି। ଏଥିନେଇ ଉପରମହଲରୁ ସଙ୍କେତ ମିଳିଛି। ତେବେ କାହାକୁ ଏହି ମନ୍ତ୍ରୀପଦ ମିଳିବ ସେଥିନେଇ କିଛି ସ୍ପଷ୍ଟ ହୋଇନି। କିନ୍ତୁ ଦୌଡ଼ର ଅଛନ୍ତି ୪ ଥରର ବିଧାୟକ ତଥା ବର୍ତ୍ତମାନର ଉପବାଚସ୍ପତି ରଜନୀକାନ୍ତ ସିଂହ। ଜିଲ୍ଲାର ବରିଷ୍ଠ ବିଧାୟକ ଭାବେ ତାଙ୍କୁ ଆଉଥରେ ସୁଯୋଗ ଦେଇପାରନ୍ତି ନବୀନ। ଦୀର୍ଘଦିନ ଧରି ସେ ଜିଲ୍ଲା ସଭାପତି ରହି ଆସିଥିଲାବେଳେ ଏବେ ନିଜ ଅନୁଗତ ମହେନ୍ଦ୍ର ବସ୍ତିଆଙ୍କୁ ଜିଲ୍ଲା ସଭାପତି କରାଇଛନ୍ତି। ତେଣୁ ଶୀର୍ଷସ୍ତରରେ ଏବେ ବି ସେ ଜିଲ୍ଲାର ବିଜେଡି ଚେହେରା ଭାବେ ପରିଚିତ ଅଛନ୍ତି। ତେଣୁ ତାଙ୍କୁ ଉପବାଚସ୍ପତି ପଦରୁ ହଟାଇ ନବୀନ ନିଜ ମନ୍ତ୍ରିମଣ୍ଡଳରେ ନେଇପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ରଜନୀକାନ୍ତଙ୍କ ସହିତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ହେଉଛି। ସେ ଲଗାତାର ୩ ଥର ବିଧାୟକ ହୋଇଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ କୌଣସି ଗୁରୁତ୍ବପୂର୍ଣ୍ଣ ପଦପଦବି ମିଳିନାହିଁ। ଏପଟେ ତାଙ୍କ ସମର୍ଥକ ମହଲର ଯୁକ୍ତି ଅନୁଯାୟୀ ତାଳଚେର ଓ କଣିହାଁ ଅଞ୍ଚଳରେ ବିଜେପିର ପ୍ରଭାବ ଅଧିକ ଥିବାରୁ ବ୍ରଜଙ୍କୁ ମନ୍ତ୍ରୀ ପଦ ଦେଇ ବିରୋଧୀଙ୍କୁ ଦୁର୍ବଳ କରିବାର ଯୋଜନା କରିପାରନ୍ତି ନବୀନ। ଲୋକଙ୍କ ଭିତରେ ତାଙ୍କର ଗ୍ରହଣୀୟତା ରହିଥିଲାବେଳେ ଜିଲ୍ଲାସ୍ତରରେ ମଧ୍ୟ ଦବ୍ଦବା ରହିଛି। କିନ୍ତୁ ତାଙ୍କୁ ନେଇ ରହିଥିବା କିଛି ବିବାଦ ତାଙ୍କ ପାଇଁ ଅଡ଼ୁଆ କରିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ବିଚାର କରୁଛନ୍ତି।
ରଜନୀକାନ୍ତ ଓ ବ୍ରଜକିଶୋର ଜିଲ୍ଲାର ଦୁଇ ବରିଷ୍ଠ ବିଧାୟକ ହୋଇଥିଲେ ମଧ୍ୟ ଏଥର ପ୍ରଥମଥର ପାଇଁ ବିଧାୟକ ହୋଇଥିବା ଆଠମଲ୍ଲିକର ରମେଶ ସାଏ ଉଭୟଙ୍କ ପାଇଁ କଣ୍ଟା ହୋଇପାରନ୍ତି। ପ୍ରଶାସକରୁ ବିଧାୟକ ହୋଇଥିବା ରମେଶ ଦଳୀୟ କ୍ଷମତାକେନ୍ଦ୍ରର ପାଖାପାଖି ବୋଲି ଚର୍ଚ୍ଚା ହୁଏ। ଗତ ନିର୍ବାଚନରେ ଦଳର ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ ଖାସ୍ ଲୋକ ବୋଲି କୁହାଯାଉଥିବା ରମେଶ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁଙ୍କ ଟିକେଟ କାଟି ଦଳର ଟିକେଟ ନେଇଥିଲେ। ତୃତୀୟ ମହଲା ସହ ତାଙ୍କର ଭଲ ସଂପର୍କ ତାଙ୍କୁ ମନ୍ତ୍ରିମଣ୍ଡଳ ଆଡକୁ ବାଟ କଢେଇ ନେଇପାରେ ବୋଲି ତାଙ୍କ ପାଖଲୋକ ଯୁକ୍ତି କରୁଛନ୍ତି। ଏପଟେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ମଧ୍ୟ ଦୌଡ଼ରୁ ଦୂରରେ ନ ଥିବା କୁହାଯାଉଛି। ଅନୁସୂଚିତ ଜାତିରୁ ପ୍ରତିନିଧିତ୍ବ କରୁଥିବା ସୁଶାନ୍ତ ଲଗାତାର ଦ୍ବିତୀୟଥର ପାଇଁ ବିଧାୟକ ହୋଇଛନ୍ତି। ତାଙ୍କୁ ମନ୍ତ୍ରୀ ପଦ ଦେଇ ନବୀନ ଅନୁସୂଚିତ ଜାତି ବର୍ଗକୁ ସନ୍ତୁଷ୍ଟ କରିପାରନ୍ତି ବୋଲି ବିଚାର କରୁଛନ୍ତି ତାଙ୍କ ସମର୍ଥକ ମହଲ। ତେବେ ଏମିତି ଅନେକ ଚର୍ଚ୍ଚା ବିଜେଡି ରାଜନୀତିକୁ ଏବେ ଚଳଚଞ୍ଚଳ କରିଥିଲାବେଳେ କାହାକୁ ମନ୍ତ୍ରୀପଦ ମିଳିବ ତାକୁ ସମସ୍ତେ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରିରହିଛନ୍ତି। ଆଗକୁ ପୌର, ପଞ୍ଚାୟତ ଓ ସମବାୟ ନିର୍ବାଚନ ଥିବାରୁ ଏବଂ ଜିଲ୍ଲାରେ ବିଜେପିର ପ୍ରଭାବ ବଢୁଥିବାରୁ ନବୀନ ନିଶ୍ଚୟ ଜିଲ୍ଲାରୁ ଜଣଙ୍କୁ ମନ୍ତ୍ରୀ କରିପାରନ୍ତି ବୋଲି ବିଜେଡି ନେତାମାନେ ଆକଳନ କରିଛନ୍ତି।