ଭିମ୍‌ସାରରେ ହେବ ୫ ମହଲା ବିଶିଷ୍ଟ ସେଣ୍ଟ୍ରାଲ୍‌ ଷ୍ଟୋର୍‌

ଅନୁମୋଦନ କଲେ ରାଜ୍ୟ ସରକାର

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ଡାକ୍ତରଖାନାରେ ସେଣ୍ଟ୍ରାଲ ଷ୍ଟୋର ସମ୍ପ୍ରସାରଣ ପାଇଁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୫ ହଜାର ବର୍ଗଫିଟର ୫ ମହଲା ବିଶିଷ୍ଟ ଷ୍ଟୋର୍‌ କରାଯିବ। ୪ ମାସ ପୂର୍ବରୁ ଏ ସଂକ୍ରାନ୍ତରେ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ପ୍ରସ୍ତାବର ଅନୁମୋଦନ ପରେ ବର୍ତ୍ତମାନ ପୂର୍ତ୍ତ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ପାଇଁ ଅଟକଳ ପ୍ରସ୍ତୁତ ହୋଇ ଟେଣ୍ଡର ଦିଆଯିବ। ଏହାପରେ କାର୍ଯ୍ୟ ଆରମ୍ଭ ହେବ।

ସୂଚନା ଅନୁଯାୟୀ, ଭିମସାରରେ ୩ ମହଲା ବିଶିଷ୍ଟ ସେଣ୍ଟ୍ରାଲ ଷ୍ଟୋର ରହିଛି। ଏଥିରେ ହଜାରେରୁ ୧୨ ଶହ ବର୍ଗ ଫୁଟ୍‌ର ସ୍ଥାନ ରହିଛି। ୧୧୮୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାକୁ ଦୈନିକ ୨ହଜାରରୁ ୨୫୦୦ ଶହ ରୋଗୀ ଓପିଡିକୁ ଆସୁଛନ୍ତି। ୨୫୦ ଭର୍ତ୍ତି ହେଉଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସାମଗ୍ରୀ ରଖିବା ପାଇଁ ଏହା ଯଥେଷ୍ଟ ହେଉ ନାହିଁ। ଏକ ଆକଳନ ଅନୁସାରେ, କେବଳ ନିରାମୟ ଯୋଜନା ଅନ୍ତର୍ଗତରେ ୫୫୦ ପ୍ରକାର ଔଷଧ ଭିମସାରକୁ ଆସିଥାଏ। ମାସକୁ ୫୦ ହଜାର ସିରିଞ୍ଜ୍‌ ବ୍ୟବହାର କରାଯାଏ। କୋଭିଡ ସମୟରେ ୧୦୦୦ରୁ ୧୫୦୦ ପିପିଇ କିଟ୍‌ ବ୍ୟବହାର ହେଉଛି। ଏହି ଆବଶ୍ୟକତା ଅନୁସାରେ ଷ୍ଟୋରରେ ସାମଗ୍ରୀଗୁଡ଼ିକ ରଖାଯାଉଛି। ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ନିର୍ଭରଶୀଳ ବୁର୍ଲା ଡାକ୍ତରଖାନା ପାଇଁ ୩ ତାଲା ବିଶିଷ୍ଟ ଷ୍ଟୋର୍‌ ଯଥେଷ୍ଟ ହେଉନଥିଲା। ଲକ୍‌ଡାଉନ୍‌ ସମୟରେ ଏହି ସଙ୍କଟ ଗୁରୁତର ହୋଇ ପଡ଼ିଥିଲା। ଆପାତକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଅଗ୍ରିମ ମେଡିକାଲ ସାମଗ୍ରୀ ମଗାଇଲେ ଏଠାରେ ରଖିବା ପାଇଁ ଆବଶ୍ୟକ ସ୍ଥାନ ନଥାଏ। ଆହୁରି ମଧ୍ୟ କରୋନା ଯୋଗୁଁ କର୍କଟ, କିଡ୍‌ନି, ଫୁସ୍‌ଫୁସ୍‌ ରୋଗ ବିଭାଗର ରୋଗୀ ବାହାରକୁ ନଯାଇ ଭିମ୍‌ସାର ଆସୁଥିବାରୁ ସେମାନଙ୍କ ସଂଖ୍ୟା କାହିଁରେ କେତେ ବୃଦ୍ଧି ପାଇଥିଲା। ସେମାନଙ୍କ ଆବଶ୍ୟକତା ଅନୁସାରେ ଆବଶ୍ୟକ ମେଡିସିନ ଏବଂ ଇଂଜେକସନ ନଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି।

ଗୋଟିଏ ଦିନରେ ଭିମସାରରେ ୨୦ ଆଇସିୟୁ ସମେତ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା ଉଦଘାଟିତ ହେବ। ଏଥିପାଇଁ ଆବଶ୍ୟକ ଥିବା ଔଷଧ, ଇଂଜେକସନ, ପିପିକିଟ ସମେତ ବିଭିନ୍ନ ପ୍ରକାର ମେଡିକାଲ ସାମଗ୍ରୀ ଏଠାରେ ରଖାଯିବ। ଆସନ୍ତା ବର୍ଷ ସୁପରସ୍ପେସାଲିଷ୍ଟ ଡାକ୍ତରଖାନା ଖୋଲିଯିବ। ଏଥିପାଇଁ ଆହୁରି ମେଡିକାଲ ସାମଗ୍ରୀ ଆସିବ। ଏହି ସମସ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଷ୍ଟୋର୍‌ ସମ୍ପ୍ରସାରଣର ଅନୁମୋଦନ ମିଳିଛି।

ସମ୍ବନ୍ଧିତ ଖବର