ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରତିଶ୍ରୁତି: ଋଷିକୁଲ୍ୟା କଂସାରିଗଣ୍ତରେ ବ୍ୟାରେଜ୍ ହେବ

୫-ଟି ସଚିବଙ୍କ ସହ ଛତ୍ରପୁର ବିଧାୟକ ଓ ଚାଷୀ ପ୍ରତିନିଧିଙ୍କ ଆଲୋଚନା 

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚାଷୀଙ୍କ ବହୁ ବର୍ଷର ସ୍ବପ୍ନ ସାକାର ହେବା ଆଶା ଉଜ୍ଜୀବିତ ହୋଇଛି। ଜିଲ୍ଲାର ଜୀବନରେଖା ଭାବେ ପରିଚିତ ଋଷିକୁଲ୍ୟା ନଦୀର ଶେଷ ମୁଣ୍ଡରେ ଛତ୍ରପୁର ବ୍ଲକ୍‌ କଂସାରିଗଣ୍ଡରେ ପ୍ରାୟ ୨୪୦ କୋଟି ଟଙ୍କା ବ୍ୟୟରେ ବ୍ୟାରେଜ୍‌ ପ୍ରକଳ୍ପ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରତିଶ୍ରୁତି ମିଳିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍‌।

ବ୍ରହ୍ମପୁର ଓ ଛତ୍ରପୁର ସହର ସମେତ ଗୋଳାବନ୍ଧ ଆର୍ମି ଏଡି କଲେଜକୁ ପାନୀୟ ଜଳଯୋଗାଣ ସହ ସମୁଦ୍ରକୁ ଚାଲି ଯାଉଥିବା ଋଷିକୁଲ୍ୟାର ଉଦ୍‌ବୃତ୍ତ ଜଳକୁ ସଂରକ୍ଷିତ କରି ବର୍ଷସାରା ଜଳସେଚନ ସୁବିଧା ଲାଗି ପ୍ରାୟ ୨୮ ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍‌ ହଂସପୁର ଗ୍ରାମ ନିକଟ ଋଷିକୁଲ୍ୟାର କଂସାରିଗଣ୍ତରେ ବ୍ୟାରେଜ୍ ନିର୍ମାଣ ଲାଗି ପ୍ରସ୍ତୁବ ଥିଲା। ବର୍ତ୍ତମାନ ଗଞ୍ଜାମ ଚାଷୀଙ୍କ ଏହି ସ୍ବପ୍ନ ସାକାର ହେବାକୁ ଯାଉଛି। କଂସାରିଗଣ୍ତରେ ପ୍ରସ୍ତାବିତ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗକୁ ନେଇ ଆଜି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏବଂ ଚାଷୀ ପ୍ରତିନିଧି ମାନଙ୍କ ସହ ଭିସିରେ ଆଲୋଚନା କରି ୫-ଟି ସଚିବ ଶ୍ରୀ ପାଣ୍ତିଆନ୍‌ ଏହା ପ୍ରକାଶ କରିଛନ୍ତି।

ଋଷିକୁଲ୍ୟା ନଦୀ ହେଉଛି ଅ‌ଞ୍ଚଳର ଜୀବନ ରେଖା। କଂସାରିଗଣ୍ତରେ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ହେଲେ ଚାଷ ଜମି ପାଇଁ ଜଳ ପାଇବା ସହିତ ଜଳ ସଂରକ୍ଷଣ, ପାନୀୟ ଜଳଯୋଗାଣ, ବନ୍ୟା ବିପର୍ଯ୍ୟୟ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକଳ୍ପକୁ ଜଳଯୋଗାଣ ସମ୍ଭବ ହେବ। କଂସାରିଗଣ୍ତରୁ ଛତ୍ରପୁର, ଗୋପାଳପୁର, ଆର୍ମିଏଡି କଲେଜ ଏବଂ ବ୍ରହ୍ମପୁରକୁ ପାନୀୟ ଜଳଯୋଗାଣ ହେଉଛି। ଜାନୁଆରି ମାସ ପରଠୁ କଂସାରିଗଣ୍ତ ଋଷିକୁଲ୍ୟା ଶଯ୍ୟା ଶୁଖିଲା ରହୁଛି। ଏଣୁ ବ୍ୟାରେଜ୍ ନିର୍ମାଣ ହେଲେ ଗଞ୍ଜାମ ଓ ଛତ୍ରପୁର ବ୍ଲକର ଚାଷୀ ସମେତ ବିଭିନ୍ନ ଅ‌ଞ୍ଚଳକୁ ବର୍ଷତମାମ ପାନୀୟ ଜଳଯୋଗାଣ ସୁବିଧା ହୋଇପାରିବ ବୋଲି ବିଧାୟକ ଶ୍ରୀ ବେହେରାଙ୍କ ସମେତ ଚାଷୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ଚାଷୀ ପ୍ରବାସୀ ପ୍ରଧାନ, ମହିଳା ଚାଷୀ ସୁକାନ୍ତି ସେଠୀ ଓ କୁମାରୀ ନାହାକ ୫-ଟି ସଚିବଙ୍କ ସହ ଆଲୋଚନା କରି ଦୃଷ୍ଟି ଆକର୍ଷଣ କରିଥିଲେ।

୫-ଟି ସଚିବ ଶ୍ରୀ ପାଣ୍ତିଆନ୍ କହିଛନ୍ତି, ସେ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରୁ କଂସାରିଗଣ୍ତ ସଂପର୍କରେ ସେ ଅବଗତ ଅଛନ୍ତି। ଅତିଶୀଘ୍ର ଆପଣମାନଙ୍କୁ ଖୁସି ଖବର ମିଳିବ। କଂସାରିଗଣ୍ତରେ ଚେକ୍ ପଏଣ୍ଟ୍‌ ବ୍ୟାରେଜ୍ ନିର୍ମାଣ ପାଇଁ ପ୍ରକଳ୍ପ ମଞ୍ଜୁର ହେବ। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାକୁ ବେଶ୍ ଭଲ ପାଆନ୍ତି। ଗଞ୍ଜାମ ଜିଲ୍ଲାରୁ ଯାହା ଅନୁରୋଧ ଆସିବ ତାକୁ ମୁଖ୍ୟମନ୍ତ୍ରୀ ନା’ କରିବେ ନାହିଁ। ଏଥିପାଇଁ ଛତ୍ରପୁର ବିଧାୟକଙ୍କ ମଧ୍ୟ ଉଦ୍ୟମ ରହିଛି। ଏଣୁ ଆପଣମାନେ ନିଶ୍ଚିତ ରୁହନ୍ତୁ ବୋଲି ଭିଡ଼ିଓ କନଫରେନ୍ସିଂରେ ଉପସ୍ଥିତ ଚାଷୀଙ୍କୁ ୫-ଟି ସଚିବ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଡ଼ମାଧପୁର ସରପଂଚ ଶରତ ଖୁଣ୍ଟିଆ, ରମେଶ ବାରିକ, ସୁକାନ୍ତ ନାହାକ, ସମିତିସଭ୍ୟା ବନ୍ଦନା ନାହାକ, ଶମ୍ଭୁନାଥ ସ୍ବାଇଁ, ସପନ ନାହାକ, ପୂର୍ବତନ ସରପଂଚ ଭଗବାନ ନାହାକ, ପବିତ୍ର ସାହୁ, ମୋହନ ବେହେରା ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର