କଟକ ଖାନନଗରରେ ହେବ ବସ୍ ଟର୍ମିନାଲ, ନେତାଜୀଙ୍କ ନାମରେ ନାମିତ କଲେ ମୁଖ୍ୟମନ୍ତ୍ରୀ

ନେତାଜୀ ଜୟନ୍ତୀ ପୂର୍ବରୁ ମାଷ୍ଟର କାର୍ଡ ଖେଳିଲେ
ସୁଭାଷଙ୍କ ସଂପର୍କରେ ସ୍ବତନ୍ତ୍ର କିଓସ୍କୋ ରହିବ
ବ୍ୟୟ ହେବ ୬୫ କୋଟି, ୧୮୦ ବସ୍ ରହିବ

ଭୁବନେଶ୍ବର : ଭୁବନେଶ୍ବରରେ ବିଶ୍ବସ୍ତରୀୟ ବସ୍‌ଷ୍ଟାଣ୍ଡ କାମକୁ ତ୍ବରାନ୍ବିତ କରିବା ପରେ ରାଜ୍ୟ ସରକାର କଟକରେ ଅତ୍ୟାଧୁନିକ ବସ୍ ଟର୍ମିନାଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିରେ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। କେବଳ ସେତିକି ନୁହେଁ, ରାଜ୍ୟ ସରକାର ୧୨ ଏକର ବିଶିଷ୍ଟ ବସ୍ ଟର୍ମିନାଲ୍‌ର ଏବେଠାରୁ ନାମକରଣ କରିସାରିଲେଣି। ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଟର୍ମିନାଲ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି।

ବସ୍ ଟର୍ମିନାଲ ଆଳରେ ସରକାର ଗ୍ରହଣ କରିଥିବା ଏହି ପଦକ୍ଷେପ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏଇଥିପାଇଁ ଯେ ସଂପ୍ରତି କେନ୍ଦ୍ର ସରକାର ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ ଏକ ଜାତୀୟସ୍ତରର କମିଟି ଗଠନ କରିଛନ୍ତି। ଏଥିରେ ଯଦିଓ ମୁଖ୍ୟମନ୍ତ୍ରୀ ସଦସ୍ୟ ରହିଛନ୍ତି, ତଥାପି କମିଟିରେ ଓଡ଼ିଶାର ଉପସ୍ଥିତି ନଗଣ୍ୟ ରହିଥିବା ପରିପ୍ରେକ୍ଷୀରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯେହେତୁ ନେତାଜୀଙ୍କର କଟକରେ ଜନ୍ମ, ଏଣୁ ରାଜ୍ୟ ସରକାର ଏହି ସୁଯୋଗରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। କଟକବାସୀଙ୍କ ମନ ଜିଣିଛନ୍ତି ଓ କେନ୍ଦ୍ର କମିଟି ଗଠନ କରୁଥିବା ବେଳେ ରାଜ୍ୟ ସରକାର ପ୍ରକଳ୍ପ ନାମକରଣକୁ ଗଲେଣି ବୋଲି ବାର୍ତା ଦେବାକୁ ଚେଷ୍ଟା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି କୁହାଯାଇଛି ଯେ କଟକର ଖାନନଗର ଠାରେ ପ୍ରସ୍ତାବିତ ଏହି ବସ୍‌ଷ୍ଟାଣ୍ଡ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟକାରୀ କରାଯିବ।

ସରକାର କହିଛନ୍ତି ଯେ ଆଗାମୀ ଜାନୁଆରୀ ୨୩ ତାରିଖ ଦିନ ନେତାଜୀଙ୍କ ଜୟନ୍ତୀ ପାଳନ କରାଯିବ ଏବଂ ଚଳିତ ବର୍ଷ ସମଗ୍ର ଦେଶ ନେତାଜୀଙ୍କର ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସେନାପତି ଓ ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ଓଡିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ଏବଂ କଟକରେ ବାଲ୍ୟ ଶିକ୍ଷା ଲାଭ କରିଥିଲେ। ବାଦାମବାଡି ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଜନଗହଳି ବୃଦ୍ଧି ପାଇଛି। ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ବସ୍‌ ଟର୍ମିନାଲରେ ନେତାଜୀଙ୍କ ଜୀବନ ଓ ସଂଗ୍ରାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏକ ସ୍ବତନ୍ତ୍ର କିଓସ୍କୋ ରହିବ। ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଆଦର୍ଶ ଓ ଜୀବନୀ ସଂପର୍କରେ ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଚିତ୍ର ଆଦି ସ୍ଥାନ ପାଇବ।

iStock

ଟର୍ମିନାଲର ରୂପରେଖ ସଂପର୍କରେ ସରକାର କହିଛନ୍ତି ଯେ ଏହି ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏଥିରେ ଏକ ବୃହତ ଟର୍ମିନାଲ ବିଲ୍‌ଡିଂ, ସାଧାରଣ ଯାତ୍ରୀବାହୀ ବସ୍‌ ପାଇଁ ସ୍ଥାନ, ସ୍ଥାନୀୟ ଓ ‘ମୋ ବସ୍‌’ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍‌, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍‌ଡିଂ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ୍‌ କୋର୍ଟ, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ଆଦି ରଖାଯିବ। ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍‌ ପାର୍କିଂର ବ୍ୟବସ୍ଥା ରହିବ। ନିର୍ମାଣ ପାଇଁ କଟକର ରିଙ୍ଗ୍ ରୋଡକୁ ଆଉ ଦୁଇ କିଲୋମିଟର ସଂପ୍ରସାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଆଜିର ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସଂଚାଳନା କରିଥିଲେ। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ତ୍ତ ସଚିବ ଏହି ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ।

ସମ୍ବନ୍ଧିତ ଖବର