ଭୁବନେଶ୍ୱର : ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ‘ରକ୍ଷକ’ ଅଭିଯାନ ଆରମ୍ଭ କରିଛନ୍ତି। ରାଜ୍ୟରେ ୩୩୫ଟି ବ୍ଲାକସ୍ପଟ୍ ଚିହ୍ନଟ ହୋଇଥିବା ବେଳେ ୧୦୦ ସମ୍ବେଦନଶୀଳ ବ୍ଲାକସ୍ପଟ୍ରେ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବା ପାଇଁ ପରିବହନ ବିଭାଗ ଗୁରୁତ୍ବ ଦେଇଛି। ଏଥିପାଇଁ ଗୁରୁବାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ରେ ଓଡ଼ିଶା ସଡ଼କ ସୁରକ୍ଷା, ପରିବହନ ବିଭାଗ, ‘ସେଭ୍ ଲାଇଫ୍ ଫାଉଣ୍ଡେସନ୍’ ସହ ତିନି ବର୍ଷିଆ ଚୁକ୍ତିନାମା ସ୍ବାକ୍ଷର କରିଛି। ରାଜ୍ୟ ପରିବହନ ପ୍ରାଧିକରଣ ଯୁଗ୍ମ କମିସନର(ସଡ଼କ ସୁରକ୍ଷା) ସଞ୍ଜୟ ବିଶ୍ୱାଳ ଏବଂ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ତଥା ସିଇଓ ପୀୟୁଷ ତିୱାରୀ ସ୍ୱାକ୍ଷର କରିଛନ୍ତି।
ଚୁକ୍ତି ମୁତାବକ ଏହି ଏନ୍ଜିଓ ସଂସ୍ଥା ବୈଜ୍ଞାନିକ ଉପାୟରେ ପ୍ରଥମ ଶହେ ବ୍ଲାକସ୍ପଟ୍ ଉପରେ ସମୀକ୍ଷା କରିବେ। ସେହିପରି କେଉଁ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇଛି, କିଏ ଆହତ ହୋଇଛି? ମୃତ୍ୟୁର କାରଣ କ’ଣ? ଚିକିତ୍ସା ଅଭାବରୁ ରାସ୍ତାରେ ଯିବା ବେଳେ ଆହତଙ୍କ ମୃତ୍ୟୁ ଘଟିଛି ନା ଦୁର୍ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହା ଉପରେ ମଧ୍ୟ ବିଶେଷଜ୍ଞଦଳ ତଦନ୍ତ କରିବ। ଯେଉଁ ସବୁ ରିପୋର୍ଟ ଆସିବ; ତାକୁ ନେଇ ଏହାର ସମାଧାନ ରିପୋର୍ଟ ପ୍ରସ୍ତୁତ ହେବ। ଏସ୍ଏଲ୍ଏଫ୍ ଏହି ରିପୋର୍ଟକୁ ପରିବହନ ବିଭାଗ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ। ବିଶେଷ କରି ରାଜ୍ୟର ଅନ୍ୟତମ ଦୁର୍ଘଟଣା ବହୁଳ ଅଞ୍ଚଳ ଚଣ୍ଡିଖୋଲରୁ ବାଲେଶ୍ବର ମଧ୍ୟରେ କିଭଳି ଦୁର୍ଘଟଣା କମାଯାଇପାରିବ ତାହା ଉପରେ ପ୍ରାଧାନ୍ୟ ଦିଆଯାଇଛି। ତେବେ ଏଥିପାଇଁ ଏସ୍ଏଲ୍ଏଫ୍ କୌଣସି ପାଉଣା ନେବନାହିଁ ବୋଲି ସ୍ପଷ୍ଟ କରାଯାଇଛି।
କାର୍ଯ୍ୟକ୍ରମରେ ଓଡ଼ିଶାର ପରିବହନ କମିସନର ଅରୁଣ ବୋଥ୍ରା ଯୋଗଦେଇ କହିଛନ୍ତି ଯେ, ପୂର୍ବରୁ ଏହି ସଂସ୍ଥା ବିଭିନ୍ନ ରାଜ୍ୟରେ କାମକରି ଦୁର୍ଘଟଣା ମୃତ୍ୟୁହାର କମାଇଛି। ପ୍ରସ୍ତାବିତ ପ୍ରତିକାର ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ମୃତ୍ୟୁହାର ପ୍ରାୟ ୩୦-୫୦ ପ୍ରତିଶତ ହ୍ରାସ କରାଯାଇପାରିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଆର୍ଟିଓ ପ୍ରଦୀପ ମହାନ୍ତିଙ୍କ ସମେତ ଏନ୍ଏଚ୍ଏଆଇ, ପରିବହନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/black-spot-1.jpg)