ପୁରୀ : ବିନାଭକ୍ତରେ ହେବ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା। ଆସନ୍ତା ଜୁନ୍ ୨୪ ତାରିଖରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏହାପରେ ଅଣସର ନୀତି, ନବଯୌବନ ଦର୍ଶନ। ଜୁଲାଇ ୧୨ରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। କୋଭିଡ୍ କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଖୁବ୍ଶୀଘ୍ର ବୈଠକ ବସି ଏ ସମ୍ପର୍କିତ ଚୂଡ଼ାନ୍ତ ଏସ୍ଓପି ଜାରି ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।
ଗତବର୍ଷ ସ୍ନାନଯାତ୍ରା, ରଥଯାତ୍ରା, ସବୁକିଛି କଟକଣା ଭିତରେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ବି ବିନା ଭକ୍ତରେ ସ୍ନାନଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ନାନଯାତ୍ରା ଉପରେ ଜିଲ୍ଲାପାଳ ନୀତି ସମ୍ପୃକ୍ତ ସେବକ ଓ ଅନ୍ୟମାନଙ୍କ ସହ ଅନ୍ଲାଇନ୍ରେ ବୈଠକ କରିଥିଲେ। ଶୃଙ୍ଖଳିତ ସ୍ନାନଯାତ୍ରା ଉପରେ ବିଚାରବିମର୍ଶ ହୋଇଥିଲା। ଉପସ୍ଥିତ ସେବକ, ଅଧିକାରୀଙ୍କ ମତାମତ ନିଆଯାଇଥିଲା।
ବୈଠକ ଉପରେ ଜିଲ୍ଲାପାଳ ଶ୍ରୀ ବର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଚଳିତବର୍ଷ ସ୍ନାନଯାତ୍ରା ବିନା ଭକ୍ତରେ କଟକଣା ଭିତରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଥାପି ଏହା ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ। ଏ ଉପରେ ଖୁବ୍ଶୀଘ୍ର ଆଉ ଏକ ବୈଠକ ବସିବ। ଯେଉଁଥିରେ ସ୍ନାନଯାତ୍ରା ପାଇଁ ଏସ୍ଓପି ଚୂଡ଼ାନ୍ତ ହେବ ବୋଲି ଶ୍ରୀ ବର୍ମା କହିଛନ୍ତି। ଅନ୍ୟପଟେ ସ୍ନାନଯାତ୍ରା, ଅଣସର ନୀତି, ନବଯୌବନ ଦର୍ଶନ, ରଥଯାତ୍ରାରେ ଦଇତାପତି ସେବକଙ୍କ ପ୍ରମୁଖ ଭୂମିକା ରହିଛି। କିନ୍ତୁ ବରିଷ୍ଠ ଦଇତାପତି ସେବକଙ୍କ ସହ ଏ ସମ୍ପର୍କରେ ଆଲୋଚନା ହୋଇନଥିବାରୁ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି କି ଜିଲ୍ଲାପାଳ ଆମ ସହିତ ଏ ସମ୍ପର୍କରେ କିଛି ଆଲୋଚନା କରି ନାହାଁନ୍ତି। ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ଜିଲ୍ଲାପାଳ ଖୁବଶୀଘ୍ର ଦଇତାପତିଙ୍କ ସହ ଏକ ଆଲୋଚନା ବୈଠକ ଡାକିବାକୁ ସେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Snana-Mandap-1280x720-1.jpg)