ଗ୍ୟାଙ୍ଗଷ୍ଟରଙ୍କ ପରେ ସାବାଡ୍ ହେବେ ଗୁଣ୍ଡା, ଆସିବ ସ୍ୱତନ୍ତ୍ର ‘ଗୁଣ୍ଡା ନିରୋଧ’ ଆଇନ

ଆଇନ ବିଭାଗକୁ ରାଜ୍ୟ ସରକାରଙ୍କ ଚିଠା ପ୍ରସ୍ତାବ
ଅପରାଧୀଙ୍କ ସହ ହାତ ମିଳାଇଥିବା ପୁଲିସ, ସରକାରୀ କର୍ମଚାରୀ ବି ଫସିବେ

ଭୁବନେଶ୍ବର : ହାଇଦର, ଟିଟୋ, ରାଜା ଆଚାର୍ଯ୍ୟ, ଧଳସାମନ୍ତ ବ୍ରଦର୍ସଙ୍କ ଭଳି ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପରେ ଏବେ ସାବାଡ୍ ହେବେ ଗୁଣ୍ଡା। ରାଜରାସ୍ତାରେ ଅନେକ ସମୟରେ ଗଣ୍ଡଗୋଳ କରୁଥିବା, ଦାଦାବଟି ଆଦାୟ କରୁଥିବା, ଅପହରଣ କରି ମୁଣ୍ଡ ଜାମିନ ରଖୁଥିବା, ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରି ଅପରାଧ ଘଟାଉଥିବା ଏବଂ ଲୋକଙ୍କୁ ଠକୁଥିବା ଜମି ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଆସିବ ‘ଓଡ଼ିଶା ଗୁଣ୍ଡା ଏବଂ ଅସାମାଜିକ କାର୍ଯ୍ୟକଳାପ(ନିରୋଧ) ଆଇନ-୨୦୨୧। ଏ ନେଇ ଗୃହ ବିଭାଗ ପକ୍ଷରୁ ଆଇନ ବିଭାଗକୁ ଚିଠା ପ୍ରସ୍ତାବ ପଠାଯାଇଛି। ଆଇନ ବିଭାଗ ଏହାକୁ ତର୍ଜମା କରିବା ପରେ କିଛିଟା ପରିବର୍ତ୍ତନ ଓ ସଂଶୋଧନ ପାଇଁ ଗୃହ ବିଭାଗକୁ ପଠାଇଛି। ପରିବର୍ତ୍ତନ ଓ ସଂଶୋଧନ ଉପରେ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଛି। ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷବାଲା ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡାଙ୍କୁ ଚିଠି ଲେଖି ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ଏହି ଚିଠା ପ୍ରସ୍ତାବରେ ଅନେକ କଠୋର ଆଇନ ରହିଛି। ଏହି ସ୍ବତନ୍ତ୍ର ଆଇନ ବଳରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ଅତି କମରେ ୭ ବର୍ଷ ଜେଲ୍‌ ଦଣ୍ଡର ବ୍ୟବସ୍ଥା ଅଛି। ସେହିପରି ଅଭିଯୁକ୍ତର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ମିଳିପାରିବ। ଯେଉଁ ପୁଲିସ କିମ୍ବା ସରକାରୀ ଅଧିକାରୀ ଓ କର୍ମଚାରୀ ଗୁଣ୍ଡା ଓ ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପୃକ୍ତ ଥିବାର ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ ମଧ୍ୟ ଏହି ସ୍ବତନ୍ତ୍ର ଆଇନ ବଳରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ଅପରାଧୀଙ୍କ ସହ ସମ୍ପୃକ୍ତ ରହି କୋର୍ଟ ଆଦେଶ ଏବଂ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ସ୍ବତନ୍ତ୍ର କୋର୍ଟରେ ଏହିଭଳି ମାମଲାର ଶୁଣାଣି ହେବାକୁ ଥିବା ବେଳେ ସାକ୍ଷୀଙ୍କ ପରିଚୟ ଓ ଠିକଣା ଯେମିତି ଗୋପନୀୟ ଏବଂ ସୁରକ୍ଷିତ ରହିବ ସେ ନେଇ ପ୍ରସ୍ତାବରେ ଉଲ୍ଲେଖ ରହିଛି। କଟକ, ଭୁବନେଶ୍ବର ଭଳି ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଅଧିକ ଥିବାରୁ ସେଠାରେ ଏହି ଆଇନ ଅଧିକ ଫଳପ୍ରଦ ହେବ ବୋଲି କୁହାଯାଉଛି।

ପରିବର୍ତ୍ତନ ଓ ସଂଶୋଧନ ପାଇଁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଯେଉଁ ଚିଠି ଲେଖାଯାଇଛି ସେଥିରେ ଉତ୍ତରପ୍ରଦେଶରେ ‘ଗୁଣ୍ଡା’ ଆଇନ ବଳରେ ଗ୍ୟାଙ୍ଗଷ୍ଟରଙ୍କ ପାଇଁ ଯେଉଁ ଆଇନ କାର୍ଯ୍ୟକାରୀ ହେଉଛି ତାହାକୁ ଓଡ଼ିଶାରେ ଲାଗୁ କଲେ କିଛି ଅସୁବିଧା ନାହିଁ ବୋଲି ଉଲ୍ଲେଖ ରହିଛି। ଆଉ କିଛି ସଂଶୋଧନ ଓ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଛି। ଏହି ଆଇନ କାର୍ଯ୍ୟକାରୀ ହେଲେ ଗୁଣ୍ଡା ସାବାଡ୍ ହେବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର