୪୪ଟି ବିଷୟ ପାଇଁ ବୋର୍ଡ ଅଫ୍‌ ଷ୍ଟଡିଜ୍‌ ଗଠିତ
ପ୍ରଚଳିତ ହେବ ପ୍ରଶ୍ନପତ୍ର ବ୍ୟାଙ୍କ

ଭୁବନେଶ୍ୱର : ଉଚ୍ଚଶିକ୍ଷାରେ ଆସିବ ସଂସ୍କାର। ଯୁକ୍ତ୩ ପାଠ୍ୟକ୍ରମ ବଦଳିବା ସହ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ପାଠ୍ୟକ୍ରମ। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ଛାତ୍ରଛାତ୍ରୀ ଯେଭଳି ସଫଳତା ହାସଲ କରିପାରିବେ ସେଥିପାଇଁ ପାଠ୍ୟଖସଡ଼ା ପ୍ରସ୍ତୁତ ହେଉଛି। ପ୍ରତ୍ୟେକ କଲେଜରେ ଚଏସ୍‌ ବେସ୍‌ଡ୍‌ କ୍ରେଡିଟ୍‌ ସିଷ୍ଟମ୍‌(ସିବିସିଏସ୍‌) ଢାଞ୍ଚାରେ ପାଠ୍ୟକ୍ରମ ପ୍ରଚଳନ ପାଇଁ ପଦକ୍ଷେପ ନିଆଯାଉଛି। ଏଥିପାଇଁ କଲେଜଗୁଡ଼ିକର ପାଠାଗାରକୁ ସମୃଦ୍ଧ କରାଯିବା ସହ ଛାତ୍ରଛାତ୍ରୀ ଯେପରି ଇ-ପାଠ୍ୟକ୍ରମ ତଥା ଭର୍ଚୁଆଲ୍‌ ଟ୍ୟୁଟୋରିଆଲ୍‌ ମାଧ୍ୟମରେ ଶିକ୍ଷା ଗ୍ରହଣ କରିପାରିବେ ସେଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି।

Advertisment

ଏନେଇ ଆଜି ଦିନତମାମ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ୮ଟି ବିଶ୍ୱବିଦ୍ୟାଳୟକୁ ନେଇ ବୋର୍ଡ ଅଫ୍‌ ଷ୍ଟଡିଜ୍‌ର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସିବିସିଏସ୍‌ ପାଠ୍ୟକ୍ରମ, ସିଲାବସ୍‌ ଅନୁଯାୟୀ ବହି, ପ୍ରାକ୍ଟିକାଲ, ଇଲେକ୍‌ଟିଭ୍‌ ବିଷୟ ଚୟନ ଓ ଏହାର ରୂପରେଖ, ନୂଆ ବିଷୟ ପ୍ରଚଳନ, ଛାତ୍ରଛାତ୍ରୀଙ୍କ ଭାଷାଗତ ଦକ୍ଷତା ବିକାଶ, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ଉପରେ ସଂସ୍କାର ଆଣିବା ପରି ବିଷୟ ଉପରେ ଆଲୋଚନା କରାଯାଇଛି। ବୈଠକ ଅବସରରେ ୪୪ଟି ବିଷୟ ପାଇଁ ବୋର୍ଡ ଅଫ୍‌ ଷ୍ଟଡିଜ୍‌ ଗଠନ ହୋଇଥିବା ସୂଚନା ମିଳିଛି।

ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଏଥିରେ ଯୋଗଦେଇ କହିଲେ ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା ଯୁକ୍ତ୩ କଲେଜଗୁଡ଼ିକରେ ପୁରୁଣା ପାଠ୍ୟକ୍ରମ ପ୍ରଚଳିତ ହେଉଛି। ତାହାକୁ ଏବେ ପରିବର୍ତନ କରାଯିବ। ପାଠ୍ୟକ୍ରମରେ ସଂସ୍କାର, ସଂଶୋଧନ ଓ ନୂଆ ଢାଞ୍ଚାରେ ଶିକ୍ଷାଦାନ ଲାଗି ପାଠ୍ୟଖସଡ଼ା ପ୍ରସ୍ତୁତ ହେବ। ୟୁପିଏସ୍‌ସି, ନେଟ୍‌ ଓ ବିଭିନ୍ନ ପ୍ରବେଶିକା ପରୀକ୍ଷାଗୁଡ଼ିକୁ ଆଖିରେ ରଖି ପାଠ୍ୟକ୍ରମ ପ୍ରଚଳନ କରିବାକୁ ଯୋଜନା ହୋଇଛି। ୨୦୧୮-୧୯ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଯୁକ୍ତ୩ ସ୍ତରରେ ଏକକ ପାଠ୍ୟକ୍ରମ ପ୍ରଚଳନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସମସ୍ତ ବିଦଶ୍ୱବିଦ୍ୟାଳୟ କୁଳପତିମାନେ ମଧ୍ୟ ସହମତି ପ୍ରକାଶ କରିଥିବା ସେ ସୂଚନା ଦେଇଛନ୍ତି। ଏଥିସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଲାଗି ନୂତନ ପାଠ୍ୟକ୍ରମ, ପରୀକ୍ଷା ଢାଞ୍ଚାରେ ସଂସ୍କାର, ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା, ନିର୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ‘ପ୍ରଶ୍ନପତ୍ର ବ୍ୟାଙ୍କ’ ପ୍ରଚଳନ ହେବ। ପ୍ରତ୍ୟେକ ବିଷୟରେ ଅତିକମ୍‌ରେ ୧୦ ହଜାର ପ୍ରଶ୍ନ ଏଥିରେ ରଖାଯିବ ବୋଲି ପ୍ରଫେସର ଦାସ କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ସିଡିିସି ନିର୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବିଷୟଭିତ୍ତିକ ‘ବୋର୍ଡ ଅଫ୍‌ ଷ୍ଟଡିଜ୍‌’ର ଅଧ୍ୟକ୍ଷ ଓ ଦୁଇଜଣ ସଦସ୍ୟକୁ ନେଇ ବୈଠକ ହୋଇଛି। ଗୁଣାତ୍ମକ ଶିକ୍ଷାର ବିକାଶ ସାଙ୍ଗକୁ ଜାତୀୟସ୍ତରୀୟ ପାଠ୍ୟକ୍ରମ ପ୍ରଚଳନ କରାଯିବ। ଶିକ୍ଷକଙ୍କୁ ବି ପ୍ରଶିକ୍ଷଣ ଦିଆଯିବ। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଚିବ ପରମେଶ୍ୱରନ୍‌ ବି., ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଦୀପ କୁମାର ବେହେରା ଆଲୋଚନା କରିଥିଲେ।