ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଲଖନପୁରକୁ ଛାଡ଼ୁନି ବିସ୍ଥାପନ ଦୁଃଖ। ୭୦ ବର୍ଷରେ ଦୁଇଥର ବଦଳିଲାଣି ଠିକଣା। ଏବେ ଆଉ ଏକ ବିସ୍ଥାପନର ଦୁଃଖ ଦୁଆର ମୁହଁରେ। ହୀରାକୁଦର ବୁଡ଼ି ଅଞ୍ଚଳ ପାଇଁ ବିସ୍ଥାପିତ ହୋଇଥିବା ଲୋକେ ଅନ୍ୟ ସ୍ଥାନରେ ଆସି ଘର ଗଢ଼ିଥିଲେ। କୋଇଲା ଖଣି ପାଇଁ ସେହି ଘର ଖଣ୍ଡିକ ଗଲା। ସେଠୁ ବିସ୍ଥାପିତ ହୋଇ ଅନ୍ୟଠି ପୁଣିଥରେ ଘର ତୋଳିଥିଲେ। ଆଶା ଥିଲା ଅନ୍ତତଃ ଏବେ ଆଉ ବିସ୍ଥାପନର କଷ୍ଟ ଭୋଗିବାକୁ ପଡ଼ିବନି। ହେଲେ ପୁଣି ଏକ କୋଇଲା ଖଣି ପାଇଁ ଏବେ ଲଖନପୁର ବ୍ଲକର ଆଉ ୬ଟି ଗାଁର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ। ନିକଟରେ ବେଦାନ୍ତ କମ୍ପାନିକୁ ଏକ କୋଇଲା ଖଣି ମିଳିଥିବା ବେଳେ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି।

Advertisment

କୁଡ଼ାଲୋଇ(ଏ) ନର୍ଥ କୋଲ୍‌ ବ୍ଲକ୍‌ ପାଇଁ କମ୍ପାନିକୁ ମୋଟ ୨୩୮୫.୯୪୩ ଏକର ଜମି ଲିଜ୍‌ ସୂତ୍ରରେ ମିଳିଛି। ଏଥିରୁ ୫୨୭.୨୩୦ ଏକର ଜଙ୍ଗଲ ଜମି ରହିଥିବା ବେଳେ ୬୧୬.୦୩୮ ଏକର ସରକାରୀ ଜମି ରହିଛି।

ବଳକା ୧୨୪୮.୬୮ଏକର ଘରୋଇ ଜମି ରହିଛି। ଏହି କୋଇଲା ଖଣି ପାଇଁ ଲଖନପୁର ବ୍ଲକ ବଞ୍ଜାରି ଗ୍ରାମର ୬୬୬.୩୩୬ ଏକର, ବରତାପ ଗ୍ରାମର ୨୬୮.୦୧୪ ଏକର, ବେଲପାହାଡ଼ର ୩୧୬.୯୨୭ ଏକର, ଧରୁଆମୁଣ୍ଡାର ୦.୩୯୨ ଏକର, କୁଡ଼ାଲୋଇର ୧୮୯.୭୬୩ ଏକର ଓ ପିପିଲିମାଲର ୯୪୪.୫୧୧ ଏକର ଜମି ଯିବ। ଅର୍ଥାତ୍‌ କୋଇଲା ଖଣି ପାଇଁ ଏହିସବୁ ଗାଁ ଭିତରୁ କିଛି ସମ୍ପୂର୍ଣ୍ଣ ଓ କିଛି ଆଂଶିକ ଭାବେ ମାନଚିତ୍ରରୁ ହିଁ ଲିଭିଯିବ।

ବଡ଼ତାପର ଜୟବୁଡ଼ିଆ ଗ୍ରାମର ଗୋପୀନାଥ ମାଝୀଙ୍କ କହିବାନୁସାରେ, ବରତାପର ଜୟବୁଡ଼ିଆ, କୁଡ଼ାଲୋଇ ପଞ୍ଚାୟତର ବନ୍ଧପଡ଼ା, ପରଧିଆପଡ଼ା, ପିପିଲିମାଲର ପିପିଲିମାଲ, କଟୁଜୋର, ବଢ଼େଇପଡ଼ା, କଦେଲପିଟା, ଖଡ଼ିଆପଡ଼ା, ବଞ୍ଜାରିର ସମ୍ପୂର୍ଣ୍ଣ ଗାଁ ଓ ଧରୁଆମୁଣ୍ଡାର ଅଧା ଲୋକ ବିସ୍ଥାପିତ ହେବେ। ଏହିସବୁ ଗ୍ରାମର ଅନ୍ୟୂନ ୯୦୦ ପରିବାର ବିସ୍ଥାପିତ ହେବେ। ଜୟବୁଡ଼ିଆ, ବରତାପ, ବଞ୍ଜାରି ଉପରପଡ଼ାର ଶତାଧିକ ପରିବାର ହୀରାକୁଦ ବିସ୍ଥାପିତ। ୧୯୫୦ ମସିହାରେ ହୀରାକୁଦ ନଦୀବନ୍ଧ ପାଇଁ ଏହିସବୁ ପରିବାର ବିସ୍ଥାପିତ ହେବା ପରେ ନୂଆ ଘର ତୋଳି ଏହି ଅଞ୍ଚଳରେ ବସତି ଆରମ୍ଭ କରିଥିଲେ। ଏମ୍‌ସିଏଲ୍‌ କୋଇଲା ଖଣି ପାଇଁ ମାତ୍ର ବର୍ଷକ ତଳେ ଜାମକାନିର ପ୍ରାୟ ୫୦ ପରିବାର ବିସ୍ଥାପିତ ହୋଇ ପିପିଲିମାଲ୍‌କୁ ଆସିଥିଲେ। ଏହା ପୁର୍ବରୁ ଖୁଆରିକାନିର ଲୋକେ ମଧ୍ୟ କୋଇଲା ଖଣି ପାଇଁ ବିସ୍ଥାପିତ ହେବା ପରେ ଏହି ଅଞ୍ଚଳରେ ଆସି ରହିଥିଲେ। ମାତ୍ର ଠିକଣା ବଦଳିବାର ବର୍ଷକ ଭିତରେ ପୁଣି ଥରେ ଏହି ଅଞ୍ଚଳବାସୀ ବିସ୍ଥାପିତ ହେବେ। ଝାଳବୁହା ଟଙ୍କାରେ କରିଥିବା ଘର ଭାଙ୍ଗିବାର କଷ୍ଟ, ବାପା-ଅଜାଙ୍କ ସନ୍ତକ ଚାଷ ଜମି ଖଣ୍ଡିକ ଚାଲିଯିବାର ଦୁଃଖ, ଜାଗା ପରିବର୍ତ୍ତନ ହେବା ପରେ ରୋଜଗାରର ନୂଆ ପନ୍ଥା ଖୋଜିବାର ଯନ୍ତ୍ରଣା ସାଙ୍ଗକୁ ନୂଆ ଜାଗାରେ ନିଜକୁ ତଥା ପରିବାରକୁ ପୁଣିଥରେ ସ୍ଥିର କରାଇବା ଉଦ୍ଦେଶ୍ୟରେ ହେବାକୁ ଥିବା ସଂଘର୍ଷ କେବଳ ବିସ୍ଥାପିତ ହେଉଥିବା ଲୋକେ ହିଁ ବୁଝିପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।