ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ବର : ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବ। ଘଡ଼ଘଡ଼ି, ବିଜୁଳି ସହ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ବହିବ। କିନ୍ତୁ ରାଜ୍ୟର ତାପମାତ୍ରା ଉପରେ ଏହାର ତତ୍‌କ୍ଷଣାତ୍‌ ପ୍ରଭାବ ପଡ଼ିବ ନାହିଁ। ଧୀରେ ଧୀରେ ତାତି କମିବ। ୨ ଦିନ ପରେ ପାରଦ ପ୍ରାୟ ୩ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଆସନ୍ତାକାଲିଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ବିସ୍ତୃତି ବଢ଼ିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ମେ’ ୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା‌ ରହିଛି। ୩ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଧା, ପୁରୀ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ଠାରେ ୪୩.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ୬ ସହରର ତାପମାତ୍ରା ୪୨ଡିଗ୍ରି ଉପରେ ରହିଥିଲା। ଆଜି ରାଜଧାନୀର ତାପମାତ୍ରା ୩୮.୩ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆଗକୁ ଆହୁରି କମିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର