ପ୍ରାକୃତିକ ସମ୍ବଳକୁ ନେଇ ଅଧିକ ଗବେଷଣା ହେବ: କୁଳପତି
ଏଫ୍ଏମ୍ୟୁର ନୂଆ କୁଳପତି ପ୍ରଫେସର ଦୀନବନ୍ଧୁ ସାହୁଙ୍କ ଯୋଗଦାନ
ଫୀକରମୋହନ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ଆଜି ପ୍ରଫେସର ଡ. ଦୀନବନ୍ଧୁ ସାହୁ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ୨୬ ବର୍ଷ ଧରି ଅଧ୍ୟାପନା କ୍ଷେତ୍ରରେ ଥିବା ବେଳେ ଅନେକ ସଫଳତା ସାଉଁଟିଛନ୍ତି। ବାଲେଶ୍ବର ଶ୍ରୀ ସାହୁଙ୍କ କର୍ମକ୍ଷେତ୍ର ହେବାକୁ ଯାଉଥିବା ବେଳେ ବିଶ୍ବବିଦ୍ୟାଳୟର ଇତିହାସରେ ନୂଆ ଫର୍ଦ ଯୋଡ଼ିବେ ବୋଲି ଅନେକ ଆଶା ଓ ସମ୍ଭାବନା। ତାଙ୍କର ଏହି ଯୋଗଦାନ ଅବସରରେ ‘ସମ୍ବାଦ’କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାର।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଶ୍ନ: କୁଳାଧିପତି ଆପଣଙ୍କୁ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିଛନ୍ତି। ଏଠାରେ କାର୍ଯ୍ୟ କରିବା ଭିତରେ ଆପଣ କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେବେ?
ଉ: ମୁଁ ଆଜି କାର୍ଯ୍ୟରେ ଯୋଗ ଦେଇଛି। ଫକୀରମୋହନ ବିଶ୍ବବିଦ୍ୟାଳୟ ‘ବି’ ଗ୍ରେଡ୍ ତାଲିକାରେ ରହିଛି। ଏହାକୁ ଆଗାମୀ ଦିନ କେମିତି ‘ଏ ++’ ଗ୍ରେଡ୍ ମିଳିବ, ସେଥିପାଇଁ କାମ କରିବି। ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଡାକି ଆଲୋଚନା କରିଛି। ଏଠାରେ ଶିକ୍ଷାର ଉତ୍କୃଷ୍ଟ ଭିତ୍ତିଭୂମି ପ୍ରସ୍ତୁତ କରିବା ନେଇ ଗୁରୁତ୍ବ ଦେବି।
ପ୍ରଶ୍ନ: ଅଧ୍ୟାପନା କ୍ଷେତ୍ରରେ ଆପଣଙ୍କ ପାଖରେ ୨୬ ବର୍ଷର ଅଭିଜ୍ଞତା ରହିଛି। ୧୩ରୁ ଅଧିକ ସମ୍ମାନ ତଥା ପୁରସ୍କାରର ଆପଣ ଅଧିକାରୀ। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହାର ପ୍ରତ୍ୟକ୍ଷ ଲାଭ ଉଠାଇ ପାରିବେ?
ଉ: ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ନିଶ୍ଚୟ ଲାଭ ଉଠାଇ ପାରିବେ। ପୁରୀ ଭଳି ଏକ ସହରରୁ ଯାଇ ମୁଁ ଯେତେବେଳେ ସଫଳତା ପାଇଛି, ତା’ର ଅଭିଜ୍ଞତା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବ।
ପ୍ରଶ୍ନ: ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଫକୀରମୋହ ବିଶ୍ବବିଦ୍ୟାଳୟ। କାର୍ଯ୍ୟ ପାଇଁ ପରିବେଶର ବଡ଼ ଫରକ୍ ରହିବ କି?
ଉ: ଫରକ୍ ତ ନିଶ୍ଚୟ ରହିବ। ମୁଁ ଆଜି ବୁଲି ଯାହା ଦେଖିଲି, ବିଶ୍ବବିଦ୍ୟାଳୟ ପରିସର ପରିସ୍କାର ନାହିଁ। ତେଣୁ ମୁଁ ପ୍ରଥମେ ଏହି ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନେବି। ସମୟାନୁବର୍ତ୍ତିତା ଉପରେ ମଧ୍ୟ ଗୁରୁତ୍ବ ଦେବି। ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ କିପରି ଭଲ ସଂପର୍କ ରହିବ, ସେଥିପ୍ରତି ଧ୍ୟାନ ରହିବ।
ପ୍ରଶ୍ନ: ଆପଣ ପରିବେଶ ଉପରେ ଗବେଷଣା କରିବାକୁ ଭଲ ପାଆନ୍ତି। ୨୦୦୧ ମସିହାରେ ‘ସିୱିଡ୍ସ ଅଫ୍ ଇଣ୍ଡିଆନ୍ କଷ୍ଟ’ ନାମକ ଏକ ପୁସ୍ତକ ରଚନା କରିଛନ୍ତି। ଏ ଦୃଷ୍ଟିରୁ ବାଲେଶ୍ବର ଏକ ଉର୍ବର ସ୍ଥାନ। ନୂଆ ପୁସ୍ତକ ରଚନା ନେଇ ଆମେ ଆଶା ରଖିପାରିବା?
ଉ: ମୁଁ ୧୩ଟି ବହି ଲେଖିସାରିଛି। ବାଲେଶ୍ବରରେ ନୂଆ ବହି ଲେଖିବା ପାଇଁ ଚିନ୍ତା କରିନାହିଁ। ‘ଥିଙ୍କ୍ ଗ୍ଲୋବାଲି, ଆକ୍ଟ ଲୋକାଲି’ ନିୟମରେ ସ୍ଥାନୀୟ ପ୍ରାକୃତିକ ସମ୍ବଳକୁ ନେଇ କେମିତି ଅଧିକ ଗବେଷଣା ହୋଇପାରିବ, ସେନେଇ ବ୍ୟବସ୍ଥା କରିବି।
ପ୍ରଶ୍ନ: ଆପଣ ଓ ରୟ ଚୌଧୁରୀ ମିଶି ୨୦୦୯ ମସିହାରେ ‘ଚିଲିକା: ଦ ଅନ୍ଟୋଲ୍ଡ ଷ୍ଟୋରୀ’ ନାମକ ଏକ କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଯାହା ଦେଶ ବିଦେଶରେ ପ୍ରଦର୍ଶିତ ହେବା ସହ ପ୍ରଶଂସା ସାଉଁଟିଛି। କଳାର ସହର ବାଲେଶ୍ବରରେ ସେମିତି କିଛି କରିବାର ଲକ୍ଷ୍ୟ ରହିଛି କି?
ଉ: ମୁଁ ତିନୋଟି ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ କରିଛି। ସମୟ ମିଳିଲେ ବାଲେଶ୍ବରର ନୀଳରକ୍ତ କଙ୍କଡ଼ା ସହ ଅନ୍ୟ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଇଚ୍ଛା ରଖିବି।
ପ୍ରଶ୍ନ: ଫକୀରମୋହନଙ୍କ ମାଟିକୁ ନେଇ ଆପଣଙ୍କ ଅଭିବ୍ୟକ୍ତି କ’ଣ ରହିବ?
ଉ: ଫକୀରମୋହନ ହେଉଛନ୍ତି ଜଣେ ବିଶ୍ବ ପ୍ରସିଦ୍ଧ କବି। କେବଳ ଓଡ଼ିଶାର ନୁହେଁ, ସାରା ବିଶ୍ବରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଲୋପ ପାଇଯାଉଥିବା ପ୍ରାଚୀନ କଳା, ସଂସ୍କୃତି ଓ ପରମ୍ପରାର ପୁନରୁତ୍ଥାନ ପାଇଁ ଉଦ୍ୟମ କରିବି।